ପରାଜୟ ପରେ ମଲ୍ଲଯୋଦ୍ଧା ଋତିକାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଚମ୍ପିଆନ କୁସ୍ତିବିତ୍‌ ବବିତା‌ ଫୋଗଟ୍‌ ଓ ଗୀତା ଫୋଗଟ୍‌ଙ୍କ ସମ୍ପର୍କୀୟ ଭଉଣୀ ଋତିକା ଫୋଗଟ୍‌ ଆତ୍ମହତ୍ୟା କରିଛନ୍ତି। ଗୀତା ଓ ବବିତାଙ୍କ ଭଳି ଋତିକା ଜଣେ କୁସ୍ତିବିତ୍‌। ତାଙ୍କ ବୟସ ୧୭ ହୋଇଥିବା ବେଳେ ସେ ଏକାଧିକ ଥର ରାଜ୍ୟସ୍ତରୀୟ ଜୁନିୟର ଓ ସବ୍‌ଜୁନିୟର କୁସ୍ତିରେ ଭାଗ ନେଇଥିଲେ। ସେ ହରିୟାଣାର ପ୍ରସିଦ୍ଧ ଫୋଗଟ୍‌ ପରିବାରର ସଦସ୍ୟା।

ଋତିକା ନିକଟରେ ରାଜସ୍ଥାନର ଭରତପୁରରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାର ୫୩ କିଗ୍ରା ବର୍ଗର ଫାଇନାଲରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଲଢେଇ କରି ପରାସ୍ତ ହୋଇଥିଲେ।ଏହାକୁ ନେଇ ସେ ମାନସିକ ଚିନ୍ତାରେ ରହୁଥିଲେ। ଏହି କାରଣରୁ ସେ ଜୀବନ ହାରିଥିବା କୁହାଯାଉଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ପିଉଷା ମହାବୀର ଫୋଗଟ୍‌ ଏବଂ ଋତିକାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସେ ମାତ୍ର ୧ ପଏଣ୍ଟରେ ହାରି ଯାଇଥିଲେ।

ମଙ୍ଗଳବାର ବିଳମ୍ବିତ ରାତିରେ କିମ୍ବଦନ୍ତୀ କୁସ୍ତିବିତ୍‌ ତଥା ତାଙ୍କ ବଡ଼ବାପା ମହାବୀର ଫୋଗଟ୍‌ଙ୍କ ଘରୁ ଋତିକାଙ୍କ ମୃତଦେହ ମିଳିଛି। ମ୍ୟାଚ ହାରିଥିବା ନେଇ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ପୁଲିସ ଘଟଣାର ତଦନ୍ତ କରୁଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୁସ୍ତିବିତ୍‌ ମହାବୀର ଫୋଗଟ୍‌ ଖୋଲିଥିବା ଏକାଡ଼େମୀରେ ହିଁ ଋତିକା ପ୍ରଶିକ୍ଷଣ ନେଉଥିଲେ। ସୂଚନାଯୋଗ୍ୟ ଗୀତା ଓ ବବିତାଙ୍କୁ ମହାବୀର କିଭଳି ପ୍ରଶିକ୍ଷଣ ଦେଇ ବିଶ୍ବବିଖ୍ୟାତ କରିଥିଲେ ତାହାର କାହାଣୀ ଅମୀର ଖାଁନଙ୍କ ଦଙ୍ଗଲ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ୨୦୧୦ରେ ଗୀତା ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ରେ ପ୍ରଥମ କୁସ୍ତିବିତ୍‌ ଭାବେ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ କରିଥିଲେ। ସେହିପରି ବବିତା ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ୨୦୧୨ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ଋତିକାଙ୍କ ଆତ୍ମହତ୍ୟାକୁ ନେଇ ବବିତା ଓ ଗୀତା ଦୁଃଖ ପ୍ରକାଶ କରିବା ସହିତ ଭାବପ୍ରବଣ ଭିଡ଼ିଓ ପୋଷ୍ଟ କରି ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

Comments are closed.