ଡୁକୁରାରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଡୁକୁରା ବନ ବିଭାଗ ଅଧୀନରେ ସୋମବାର ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଚକ୍ରବର୍ତ୍ତି ବନ ସୁରକ୍ଷା ସମିତିକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ଜଙ୍ଗଲରେ ବାଘର ଉପସ୍ଥିତି ସମଗ୍ର ପରିବେଶ ଓ ପ୍ରାଣୀ ଜଗତ ପାଇଁ ଏକ ଜରୁରୀ ଆବଶ୍ୟକତା ବୋଲି ମତ ଦେଇଥିବା ବେଳେ ବାଘର ସୁରକ୍ଷା ପାଇଁ ବନ ସୁରକ୍ଷା କମିଟି ଓ ଜନସାଧାରଣଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଘ ନରହିଲେ ପ୍ରକୃତିର ଖାଦ୍ୟ ସୃଙ୍ଖଳ ନଷ୍ଟ ହେବା, ଜଙ୍ଗଲ ଅବାଧ ଚାରଣ ଭୂମିରେ ପରିଣତ ହେବା ସହିତ ପରିବେଶର ଭାରସାମ୍ୟ ନଷ୍ଟ ହୋଇଯିବ ବୋଲି ଅବଗତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ନିକଟରେ ଶିମିଳିପାଳ ଅଭୟାରଣ୍ୟ ଥିବା ବେଳେ ସେଠାରେ ବାଘମାନଙ୍କର ସୁରକ୍ଷା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟ କରିଆସୁଅଛି। ତେବେ ଶିକାରୀ ଓ ଅନ୍ତର୍ଜାତିକ ବଣ୍ୟ ଜନ୍ତୁ ଚୋରା କାରବାର ର‍୍ୟାକେଟର ଲୋଲୁପ ଦୃଷ୍ଟି ବାଘମାନଙ୍କ ଜୀବନକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବାଘମାନଙ୍କୁ ନିର୍ଦୟ ଭାବେ ଶିକାର କରାଯାଇ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ବିଶେଷକୁ ଅନ୍ତର୍ଜାତିକ ବଜାରରେ ଖୁବ୍‍ ଚଢା ଦରରେ ବିକ୍ରି କରାଯାଉଥିବାରୁ ସେମାନଙ୍କ ସଂଖ୍ୟା କମିବା ସହ ସ୍ଥିତ ବିପନ୍ନ ହେବାରେ ଲାଗିଛି। ଶିମିଳିପାଳର ବାଘମାନେ ମଧ୍ୟ ଶିକାରୀମାନଙ୍କ ନିଶାଣରେ ରହିଛନ୍ତି। ଅନେକ ସମୟରେ ଚଢଉ ବେଳେ ବାଘ ଛାଲ ଜବତ ହେଉଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ସେଥିରେ ସ୍ଥାନୀୟ ଲୋକମାନଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି। ମାତ୍ର ସବୁଥର ଯେ ସେମାନେ ଧରା ପଡୁଛନ୍ତି ତାହା ବିଶ୍ୱାସ ହେଉନାହିଁ। ଏହି ପରିପ୍ରେକ୍ଷୀରେ ବାଘମାନଙ୍କ ସୁରକ୍ଷା ପାଇଁ ଜନସାଧାରଣ ଓ ବନ ସୁରକ୍ଷା କମିଟିର ଭୂମିକା ସହିତ ସରକାରଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ ସେତିକି ଗୁରୁତ୍ୱ ରଖେ। ବାଘମାନଙ୍କ ସୁରକ୍ଷା ପାଇଁ ବନ ସୁରକ୍ଷା କମିଟି ସଚେତନ ରହିବା ସହିତ ବାଘ ଜନବସତି ମୁହାଁ ହେଲେ ତାକୁ ଆକ୍ରମଣ କିମ୍ବା ଶିକାର ନକରି ବନ ବିଭାଗକୁ ତୁରନ୍ତ ସୂଚନା ଦେବା ଓ ବାଘକୁ ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟକୁ ଫେରାଇ ନେବା ବାବଦରେ ସଦସ୍ୟ ଓ ଗ୍ରାମବାସୀମାନଙ୍କୁ ସଚେତନ କରାଯାଇଥିଲା। ଡୁକୁରା ରେଞ୍ଜ ଅନନ୍ତ କୁମାର ଜେନା, ଡେପୁଟି ରେଞ୍ଜର କେଦାରନାଥ ମଲ୍ଲିକ, ବନପାଳ ଲବଙ୍ଗଲତା ବିନ୍ଧାଣୀବନରକ୍ଷୀ ତ୍ରୀନାଥ ସାମଲ ଯୋଗଦେଇଥିଲେ।

Comments are closed.