ପରଲୋକରେ ଗିନିଜ ରେକର୍ଡଧାରୀ ବିଶ୍ୱର ସବୁଠାରୁ ଗେଡା ବ୍ୟକ୍ତି ଖଗେନ୍ଦ୍ର

ଡେସ୍କ: ବିଶ୍ୱର ସବୁଠାରୁ ଗେଡା ବ୍ୟକ୍ତି ଭାବେ ଗିନିଜ ରେକର୍ଡ କରିଥିବା ନେପାଳର ଖଗେନ୍ଦ୍ର ଥାପ୍ପା ମଗରଙ୍କର ୨୭ ବର୍ଷ ବୟସରେ ପରଲୋକ ଘଟିଛି। ୬୭ ଦଶମିକ ୮ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଖଗେନ୍ଦ୍ର ନିମୁନିଆ ରୋଗରେ ପୀଡିତ ଥିଲେ ଓ କାଠମାଣ୍ଡୁଠାରୁ ୨ ସହ କିଲୋମିଟର ଦୂର ପୋଖରାର ଏକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଖଗେନ୍ଦ୍ରଙ୍କ ଭାଇ ମହେଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ ଅନେକ ସମୟରେ ସଂକ୍ରମଣ ପାଇଁ ହସ୍ପିଟାଲ ଯାଉଥିଲେ କିନ୍ତୁ ଶେଷଥର ତାଙ୍କ ହୃଦୟ ମଧ୍ୟ ସଂକ୍ରମିତ ହୋଇଥିଲା। ୧୮ ବର୍ଷ ବୟସରେ ୨୦୧୦ରେ ଗିନିଜ ୱାର୍ଲଡ ରେକର୍ଡ ସଂସ୍ଥା ତାଙ୍କୁ ପୃଥିବୀର ସବୁଠାରୁ ଗେଡା ବ୍ୟକ୍ତି ଭାବରେ ଘୋଷଣା କରିଥିଲା। ପରେ ସେହି ନେପାଳର ଚନ୍ଦ୍ର ବାହାଦୁର ଡ଼ଙ୍ଗୀଙ୍କୁ ଏହି ମାନ୍ୟତା ମିଳିଥିଲେ ମଧ୍ୟ ୨୦୧୫ରେ ତାଙ୍କ ମୃତ୍ୟୁ ହେବା ଯୋଗୁ ପୁଣି ଖଗେନ୍ଦ୍ରଙ୍କୁ ବିଶ୍ୱର ସବୁଠାରୁ ଗେଡା ବ୍ୟକ୍ତି ସମ୍ମାନ ମିଳିଥିଲା।

ତାଙ୍କ ମୃତ୍ୟୁରେ ଗିନିଜ ୱାର୍ଲଡ ରେକର୍ଡସର ମୁଖ୍ୟ କ୍ରେଗ ଗ୍ଲେଣ୍ଡେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଖଗେନ୍ଦ୍ର ନେପାଳ ପର୍ଯ୍ୟଟନ ବିକାଶ ମନ୍ତ୍ରାଳୟର ଆମ୍ବାସଡର ଥିଲେ ଓ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ଅନେକ ଦେଶ ଭ୍ରମଣ କରିଥିଲେ। ସେ ମଧ୍ୟ ସବୁଠାରୁ କଣ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗେଙ୍କୁ ଭାରତ ଭ୍ରମଣ ଅବସରରେ ସାକ୍ଷାତ କରିଥିଲେ। ଖଗେନ୍ଦ୍ରଙ୍କ ନିଧନ ପରେ ଏବେ କଲମ୍ବିଆର ଏଡ଼ୱାର୍ଡ଼ ନିନୋଙ୍କୁ ଏହି ଆଖ୍ୟା ମିଳିଛି। ଏଡ଼ୱାର୍ଡ଼ଙ୍କ ଉଚ୍ଚତା ହେଉଛି ୭୦ ଦଶମିକ ୨୧ ସେଣ୍ଟିମିଟର।

Comments are closed.