ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆଜିଠାରୁ ଆରମ୍ଭ ହେବ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ୨୦୧୯ ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୧୦ ଜାନୁଆରୀ ୨୦୨୦ ଯାଏ ଚାଲିବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ଏଣୁ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବରଗଡ଼ରେ ୧୧ଦିନ ଧରି ମହାପ୍ରତାପୀ କଂସଙ୍କ ରାଜୁତି। ନବବର୍ଷ ଏବଂ ଧନୁଯାତ୍ରାକୁ ନେଇ ବରଗଡ଼ ସହର ଏବେ ବେଶ ଉତ୍ସବମୁଖର ଜଣାପଡ଼ୁଛି। ଆସନ୍ତାକାଲି ଅପରାହ୍ନ ୩ଟା ସମୟରେ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ଆନୁଷ୍ଠାନିକ ଭାବରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହେବ।

ଏହା ସହିତ ମହାରାଜଙ୍କ ଦରବାର ମଧ୍ୟ ଆରମ୍ଭ ହେବ। ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଗାଇସିଲେଟ ବ୍ଲକ କନ୍ଦୁମୁଣ୍ଡା ଦଣ୍ଡପାଟି, ସିଂହେନପାଲି ଦୁଲଦୁଲି, ରେମତା ଘଣ୍ଟ ପାର୍ଟି, ପୁରୀ ଘଣ୍ଟ ମର୍ଦଳ, ବଲାଙ୍ଗିର ଡାକା, କଟାପାଲି କରମସାନି, ଗାଇସିଲେଟ ପରଭା ନୃତ୍ୟ, ତୁମୁରିପାଣି କଳଙ୍ଗୀ, ଅଇଁଲାମୁଣ୍ଡା ସଂପ୍ରଦ, ନୂଆଁପଡ଼ା ସଂପ୍ରଦା, ରେଶମ ସମ୍ପ୍ରଦା ଆଦି ସାଂସ୍କୃତିକ ଦଳ ସାମିଲ ହେବେ। ପାଞ୍ଚ କିଲୋମିଟର ପରିଧିବ୍ୟାପ୍ତ ମୁକ୍ତ ରଙ୍ଗମଞ୍ଚରେ ୨୧ଟି ମଞ୍ଚରେ ଅଭିନୀତ ହେବ ଦ୍ୱାପର ଯୁଗର ମଥୁରା ଓ ଗୋପଲୀଳାର କଥାବସ୍ତୁ। ଉଗ୍ରେସନଙ୍କ ଗାଦିଚ୍ୟୁତ ଠାରୁ ଆରମ୍ଭ ହୋଇ କଂସ ନିଧନ ଯାଏ ସମ୍ପୂର୍ଣ୍ଣ ପୌରାଣିକ ଶୈଳୀରେ ଅଭିନୀତ ହେବ ଧନୁଯାତ୍ରା। ଡିସେମ୍ବର ୧ ଶୁଭସ୍ତମ୍ଭ ସ୍ଥାପନ ହେବା ପରଠାରୁ ଆୟୋଜକ କମିଟି, ଜିଲା ପ୍ରଶାସନ, କଳାକାର ତଥା ବେପାରୀମାନେ ଆଜିର ଦିନକୁ ଅପେକ୍ଷା କରି ରହିଥିଲେ। ଆଉ ମାତ୍ର କିଛିଘଣ୍ଟା ପରେ ବରଗଡ଼ ସହର ପାଲଟିଯିବ ଦ୍ୱାପର ଯୁଗର ମଥୁରା ନଗରୀ। ଠିକ୍‌ ସେହିପରି ବରଗଡ଼ ଅମ୍ବାପାଲି ପାଲଟିଯିବ କୃଷ୍ଣଙ୍କ ପ୍ରିୟଭୂମି ଗୋପପୁର।

କଳାକାରମାନେ ଦୀର୍ଘ ୧୫ଦିନ ହେଲା ଆଖଡ଼ାଶାଳରେ ଅଭ୍ୟାସ କରିବା ସହିତ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି କିପରି ହଜାର ହଜାର ଦର୍ଶକଙ୍କ ଆଗରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବା ସହିତ ଅତୀତକୁ ଫେରିଯିବା ପାଇଁ। ଧନୁଯାତ୍ରାର ମୁଖ୍ୟ ବିଷୟବସ୍ତୁ କଂସ ବଧ ଓ କୃଷ୍ଣ ରାଜୁତିର ପ୍ରତିଷ୍ଠା ଲକ୍ଷ୍ୟ ରହିଥିଲେ ମଧ୍ୟ ଏହି ଉତ୍ସବରେ ମୁଖ୍ୟ ନାୟକ ହେଉଛନ୍ତି ଖଳ ନାୟକ ମହାପ୍ରତାପୀ ମହାରାଜ କଂସ। ମହାରାଜ କଂସଙ୍କ ନଗର ଭ୍ରମଣ, ରାଜଦରବାର, ରଙ୍ଗ ମହଲ ଓ ପ୍ରଜା କୋର୍ଟ ଧନୁଯାତ୍ରାର ସବୁଠାରୁ ବିଶେଷ ଆକର୍ଷଣ ଭାବେ ଚଳିଆସିଛି। ଚଳିତବର୍ଷ ବହୁ ବାଦବିବାଦ ପରେ ପୁଣିଥରେ ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ। ଧନୁଯାତ୍ରାରେ କଂସ ଭୂମିକା କରିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଧନୁଯାତ୍ରା କରି କଂସ ଭୂମିକାରେ ନିଖୁଣ ଅଭିନୟ କରିବା ପରେ ଏବେ ଧନୁଯାତ୍ରାର ମୁଖ୍ୟ ନାୟକ ଭାବରେ ଅଭିନୟ କରୁଛନ୍ତି। ୭୧ତମ ଧନୁଯାତ୍ରାକୁ ସବୁଦିନ ପାଇଁ ସ୍ମରଣୀୟ କରିରଖିବା ପାଇଁ ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହା ସ୍ମରଣୀୟ ହୋଇ ରହିବ ନା ନାହିଁ ତାହା ଯଦିଓ ସମୟ କହିବ ତଥାପି ମଧ୍ୟ ଚଳିତ ଧନୁଯାତ୍ରା ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ବରଗଡ଼ ନିଶାମଣି ପଡ଼ିଆରେ ମହାରାଜଙ୍କ ରଙ୍ଗମହଲ, ହାଟପଦା ଠାରେ ଦରବାର ପ୍ରସ୍ତୁତ ହୋଇସାରିଛି।

Comments are closed.