ଅଯୋଧ୍ୟା ରାମ ମନ୍ଦିର ପାଇଁ ବିଶ୍ୱର ସର୍ବବୃହତ ତାଲା

ଆଲିଗଡ: ଉତ୍ତର ପ୍ରଦେଶର ଆଲିଗଡ ଜିଲାର ଜଣେ ତାଲା ପ୍ରସ୍ତୁତକାରୀ ଏବଂ ତାଙ୍କ ପତ୍ନୀ ମିଶି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ବିଶ୍ୱର ସର୍ବବୃହତ ତାଲା ତିଆରି କରିଛନ୍ତି । ଏହି ତାଲାର ଓଜନ ୪୦୦ କିଲୋଗ୍ରାମ ଏବଂ ଏହା ଖୋଲିବାକୁ ଉଦ୍ଦିଷ୍ଟ ଚାବିର ଓଜନ ୩୦ କିଲୋଗ୍ରାମ ଥିବା ଜଣାଯାଇଛି । ଉକ୍ତ ତାଲାରେ ପ୍ରଭୁ ଶ୍ରୀରାମଙ୍କ ଛବି ମଧ୍ୟ ଖୋଦେଇ କରିଛନ୍ତି ଏହି ତାଲା ପ୍ରସ୍ତୁତକାରୀ ସତ୍ୟପ୍ରକାଶ ଶର୍ମା । ଉକ୍ତ ତାଲାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ଜଣାଯାଇଛି । ୬୫ ବର୍ଷ ବୟସ୍କ ସତ୍ୟପ୍ରକାଶ ତାଲା ତିଆରି କରିବାକୁ ପ୍ରାୟ ୬ମାସ ସମୟ ନେଇଥିଲେ । ଏହାର ଦୈର୍ଘ୍ୟ ୧୦ ଫୁଟ ରହିଛି । ଏହା ଉପରେ ପିତଳ କାମ ଶେଷ ହେବା ପରେ ତାଲାକୁ ରାମ ମନ୍ଦିରକୁ ପଠାଇ ଦିଆଯିବ ବୋଲି କାରିଗର ଶ୍ରୀ ଶର୍ମା କହିଛନ୍ତି । ତାଲାରେ ଯେଭଳି କଳଙ୍କି ନଲାଗିବ, ସେଥିପାଇଁ ଇସ୍ପାତର ଏକ ଚଦର ଲଗାଯିବ । ଏହାର ବାହ୍ୟପଟ, ଲିଭର, ହୁଲ ଆଦି ପିତଳରେ ନିର୍ମାଣ କରାଯିବ । ଏଥିପାଇଁ ତାଙ୍କ ନିକଟରେ ଅର୍ଥାଭାବ ରହିଥିବାରୁ ସେ ଜନସାଧାରଣଙ୍କ ନିକଟରୁ ସହାୟତା ଲୋଡିଛନ୍ତି । ସୂଚନାଯୋଗ୍ୟ ଯେ ଗତବର୍ଷ ସତ୍ୟପ୍ରକାଶ ୩୦୦ କିଲୋ ଓଜନର ତାଲା ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ପତ୍ନୀ ରୁକ୍ମଣୀ ଶର୍ମା କହିଛନ୍ତି ଯେ ସତ୍ୟପ୍ରକାଶ ତାଲା ବ୍ୟବସାୟରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି ଏବଂ ଏପେ ପରବର୍ତ୍ତୀ ପିଢି ତାହାକୁ ଆଗେଇ ନେବା ସେମାନଙ୍କ ଉପରେ ନିର୍ଭର କରୁଛି ।

Comments are closed.