ବିଶ୍ୱ ୟୁନାନି ଦିବସ – ପ୍ରାକୃତିକ ଓ ନିରାପଦ ଚିକିତ୍ସା

ସମାଜ ପୋର୍ଟାଲ ଡେସ୍କ: ୟୁନାନି ଚିକିତ୍ସା ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଔଷଧଗୁଡ଼ିକର ମାନ ନିର୍ଦ୍ଧାରଣ ହେବା ଉଚିତ୍‍ ଓ ଏ କ୍ଷେତ୍ରରେ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ବିଶ୍ୱ ୟୁନାନି ଦିବସ ଅବସରରେ ମଙ୍ଗଳବାର ନୂଆଦିଲ୍ଲୀରେ ୟୁନାନି ଚିକିତ୍ସା ବ୍ୟବସ୍ଥା କ୍ଷେତ୍ରର ଗବେଷକମାନଙ୍କୁ ପୁରସ୍କାରମାନ ବଣ୍ଟନ କରି ମନ୍ତ୍ରୀ କହିଛନ୍ତି, ଏହି ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଔଷଧଗୁଡ଼ିକ ପ୍ରାକୃତିକ ଓ ନିରାପଦ। ସେ କହିଛନ୍ତି, ଏହି ଚିକିତ୍ସା ବ୍ୟବସ୍ଥା ପୁରାତନ ସମୟରୁ ବହୁ ବଡ଼ବଡ଼ ରୋଗର ଚିକିତ୍ସା କରିବାରେ ସଫଳ ରହିଛି। ସେ କହିଛନ୍ତି, ୟୁନାନି ଚିକିତ୍ସା ବ୍ୟବସ୍ଥାରେ ଏଭଳି ଔଷଧମାନ ରହିଛି ଯାହା ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ରାଜନାଥ କହିଛନ୍ତି, ୟୁନାନି ଔଷଧଗୁଡ଼ିକ କେବଳ ରୋଗର ଚିକିତ୍ସା କରିନଥାଏ ଏହା ରୋଗକୁ ମୂଳରୁ ବିନାଶ କରିଥାଏ। ୟୁନାନି ଚିକିତ୍ସା ସଂକ୍ରାନ୍ତ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସହ ଚତୁର୍ଥ ବିଶ୍ୱ ୟୁନାନି ଦିବସ ପାଳନ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷର ସମ୍ମିଳନୀର ଶୀର୍ଷକ ‘ୟୁନାନି ଔଷଧ – ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ରହିବା ପାଇଁ ସ୍ଥାୟୀ ବିକାଶର ଲକ୍ଷ୍ୟ’ ହାସଲ ରହିଛି।

Comments are closed.