ମା’ ଭଟ୍ଟାରିକା ଏବଂ ବାବା ସିଂହନାଥ ଦେବଙ୍କ ପୀଠକୁ ପର୍ଯ୍ୟଟକଙ୍କ ଆଗମନରେ ବାଧକ ହୋଇପାରେ କୋଭିଡର କାୟା

ସମ୍ଭାବନାର ନୂତନ ସୂର୍ଯ୍ୟୋଦୟ ଅପେକ୍ଷାରେ ବଡ଼ମ୍ବାର ପର୍ଯ୍ୟଟନସ୍ଥଳୀ ସମୂହ

ବଡ଼ମ୍ବା: ରାତ୍ରିର ହାଲକା ଶୀତ ସାଙ୍ଗକୁ ଉତ୍ସବ ଆଉ ପିକନିକର ଋତୁ ଆଗତ ପ୍ରାୟ ବୋଲି ପ୍ରକୃତି ସୂଚନା ଦେଲାଣି। ତେବେ ଏଭଳି କଳ୍ପନାକୁ ଧରାଶାୟୀ କରିଛି କୋଭିଡ ବା କରୋନାର ଭୟ। ଦେଶର ପୁରପଲ୍ଲୀଠୁ ଦିଲ୍ଲୀର ଜନସମୁହ ଏହି ମହାମାରୀକୁ ନେଇ କୋକୁଆ ଭୟରେ କାଳାତିପାତ କରୁଛନ୍ତି। ତେବେ ପ୍ରାୟ ୬ମାସରୁ ଊର୍ଦ୍ଧ୍ବ ସମୟଧରି ଗୃହବନ୍ଦି ପ୍ରାୟ ଜୀବନ ବିତାଉଥିବା ମଣିଷ ନିଜର ଭୟ ଛଡ଼ାଇବାକୁ କିଛିଟା ସୁରକ୍ଷିତ ଭ୍ରମଣ ମଧ୍ୟ ଇଛାପ୍ରକାଶ କରୁଥିବା ଦେଖାଯାଇଛି।

ଆଜି ବିଶ୍ୱ ପର୍ୟ୍ୟଟନ ଦିବସ ପାଳନ ହେଉଛି। ଦୀର୍ଘ ପ୍ରାୟ ୪୦ବର୍ଷ ଧରି ଏହା ପାଳନ ହେଇ ଆସୁଥିବା ବେଳେ ଚଳିତବର୍ଷ ଜାତିସଂଘ ତରଫରୁ ଏହି ପରିପ୍ରେକ୍ଷୀରେ ‘ପର୍ୟ୍ୟଟନ ସହିତ ଗ୍ରାମୀଣ ବିକାଶ’ର ଆହ୍ୱାନ କରାଯାଇଛି। ବିଡ଼ମ୍ବନା କରୋନା ମାଡ଼ରେ ଠାକୁରଙ୍କ ମନ୍ଦିର ସର୍ବସାଧାରଣ ଯିବା ଉପରେ ଅଙ୍କୁଶ ଏବେ ବି ବଳବତ୍ତର ରହିଛି। ପର୍ୟ୍ୟଟକ ମଧ୍ୟ ଭ୍ରମଣରେ ବାହାରିବାକୁ ନିଜକୁ ସୁରକ୍ଷିତ ମନେକରୁନଥିବା ଅନୁମେୟ ହେଉଛି। କଟକ ଜିଲା ବଡ଼ମ୍ବା ବ୍ଲକ ସମେତ ଜିଲା ସଦର ମହକୁମାଠୁ ଧରି ବାଙ୍କୀ ତଥା ଆଠଗଡ଼ ଉପଖଣ୍ଡ ଅଧୀନ ବିଭିନ୍ନ ଅଞ୍ଚଳରେ ଏକାଧିକ ମନଲୋଭା ପର୍ୟ୍ୟଟନସ୍ଥଳୀ ରହିଛି। ଅପରୁପା ଅଂଶୁପା ହେଉ କି ସ୍ୱପ୍ନାତୀତ ସାତକୋଶିଆର ଶାନ୍ତ ପରିବେଶ, ଦିଅଁଝର ଝରଣାର କୁଳୁକୁଳୁ ନାଦ ହେଉ କି ମହାନଦୀକୂଳ ମା ଚର୍ଚ୍ଚିକା, ମା ଭଟ୍ଟାରିକା, ତ୍ରିକୁଟଧାମ କୁହାଯାଉଥିବା ବାବା ସିଂହନାଥ ଦେବ, ବୈଦ୍ୟନାଥ ଦେବ, ସୀତାନାଥ ଦେବଙ୍କ ମନ୍ଦିର ସମେତ ବାଣେଶ୍ୱରନାସୀ ଶୈବପୀଠ ଏବଂ ପଡ଼ୋଶୀ ନୟାଗଡ଼ ଜିଲା ଅନ୍ତର୍ଗତ କଣ୍ଟିଲୋର ମହାପ୍ରଭୁ ନୀଳମାଧବଙ୍କ ମନ୍ଦିର ଆଧ୍ୟାତ୍ମିକ ସହିତ ପ୍ରାକୃତିକ ସୌନ୍ଦର୍ୟ୍ୟର ଭରପୁର ଖୋରାଖ ଆଗନ୍ତୁକ ପର୍ୟ୍ୟଟକଙ୍କୁ ଯୋଗାଇଥାଏ। ଏଥିସହିତ ମାଣିଆବନ୍ଧର ବିଶ୍ୱପ୍ରସିଦ୍ଧ ହସ୍ତତନ୍ତ ଶିଳ୍ପ ଏବଂ ଅନନ୍ୟ ବୌଦ୍ଧ ସଂସ୍କୃତି ମଧ୍ୟ ଦେଶ ତଥା ବିଦେଶାଗତ ପର୍ୟ୍ୟଟକଙ୍କ ପାଇଁ ଅନେକ ଆନନ୍ଦ ଦେଉଥିବା ବେଳେ ପୁରପଲ୍ଲୀରେ ଥିବା ଅନେକ ମିନି ପର୍ୟ୍ୟଟନସ୍ଥଳୀ ମଧ୍ୟ ନିଜନିଜର ଗରିମାମୟ ଇତିହାସକୁ ନେଇ ଗର୍ବ ଅନୁଭବ କରନ୍ତି।

ବଡ଼ମ୍ବାର ଆରାଧ୍ୟା ଦେବୀ ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ପୀଠ ଏବଂ ବାବା ସିଂହନାଥ ଦେବଙ୍କ ପ୍ରାଚୀନ ଶୈବପୀଠର ପ୍ରାକୃତିକ ସୌନ୍ଦର୍ୟ୍ୟରେ ପର୍ୟ୍ୟଟକ ପ୍ରକୃତିସ୍ଥ ହୋଇଉଠେ। ଏହି ଦୁଇ ପୀଠଦେଇ ଚିରସ୍ରୋତସ୍ୱିନୀ ମହାନଦୀ ବହିଯାଉଛି। ମହାନଦୀର ବକ୍ଷସ୍ଥଳରେ ଅବସ୍ଥିତ ପ୍ରସ୍ତର କାରୁକାର୍ୟ୍ୟପୂର୍ଣ୍ଣ ପ୍ରାଚୀନ ସିଂହନାଥ ମନ୍ଦିର ଯଦିଓ ଜାତୀୟ ସ୍ମାରକୀ(ନ୍ୟାସନାଲ ମନୁମେଣ୍ଟ) ପଞ୍ଜିକୃତ ଐତିହପୂର୍ଣ୍ଣ ପର୍ୟ୍ୟଟନସ୍ଥଳି, ତେବେ ଏବେ ବି ଗମନାଗମନ ଦୃଷ୍ଟିରୁ ଏହି ପୀଠ ଅପହଞ୍ଚ ମନେହୁଏ। ରାଜ୍ୟ ସରକାରଙ୍କ ପର୍ୟ୍ୟଟନ ବିଭାଗର ଶୁଭଦୃଷ୍ଟିରୁ ଏବେ ଏହି ପୀଠକୁ ମହାନଦୀ ଉପରେ ସୁଉଚ୍ଚ ପୋଲ ନିର୍ମାଣ କରାଯାଇ ସବୁଦିନିଆ ରାସ୍ତା ସଂଯୋଗ କାର୍ୟ୍ୟ ତ୍ୱରାନିତ କରାଯାଉଛି ଏବଂ ଏହା ଖୁବ୍‍ ଶିଘ୍ର ସମ୍ପୁର୍ଣ୍ଣ ହେବା ଆଶା ପ୍ରକାଶ ପାଇଛି। ଏହିସବୁ ପର୍ୟ୍ୟଟନସ୍ଥଳିରେ ପାନ୍ଥନିବାସ ସହିତ ଅନେକ ବିକାଶମୁଳକ କାର୍ୟ୍ୟ କରାଯାଇଛି। ମାଣିଆବନ୍ଧରେ ବୌଦ୍ଧ ବାଖ୍ୟାୟନ କେନ୍ଦ୍ର ମଧ୍ୟ କରାଯାଇଛି। ସବୁସତ୍ୱେ ପର୍ୟ୍ୟଟନ ଶିଳ୍ପ ସହିତ ଗ୍ରାମୀଣ ବିକାଶ ଲାଗି ଅନେକ କିଛି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଯେମିତି କି ବିଶ୍ୱପ୍ରସିଦ୍ଧ ମାଣିଆବନ୍ଧ ଶାଢୀ, ପାଟବସ୍ତ୍ର, ସାନବାରସିଂହ ଶୀତୁଳିଆଙ୍କ ଢୋକ୍ରା ହସ୍ତଶିଳ୍ପ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ବେତ କାମ, ବାଉଁଶ ତଥା କାଠକୁନ୍ଦ କାମ ଆଦି ହସ୍ତଶିଳ୍ପର ଚାହିଦା ଥିବା ସତ୍ୱେ ବିକ୍ରୟପାଇଁ ପର୍ୟ୍ୟଟନସ୍ଥଳୀରେ ସ୍ୱତନ୍ତ୍ର ବଜାର ସୁବିଧା କରାଯାଇପାରିନି। ଏହା ସାଙ୍ଗକୁ ମହାନଦୀରେ ନୌବିହାର ଏବଂ ନଦୀବନ୍ଧରେ ରିଭରସାଇଡ ଡ୍ରାଇଭର ପର୍ୟ୍ୟାପ୍ତ ସୁବିଧା ସୃଷ୍ଟି କରାଯାଇପାରିଲେ ହୁଏତ ପର୍ୟ୍ୟଟନର ବିକାଶ ସହିତ ଗ୍ରାମୀଣ ବିକାଶ ଦିଗରେ ସମ୍ଭାବନାର ନୂତନ ସୂର୍ୟ୍ୟୋଦୟ ସୃଷ୍ଟି ହୋଇପାରିବ ଏହା ବୁଦ୍ଧିଜୀବୀ ମହଲରେ ବିବେଚନା କରାଯାଉଛି। ସରକାର ଏସବୁ ଦିଗପ୍ରତି ଦୃଷ୍ଟି ଦେଲେ ପର୍ୟ୍ୟଟକ ଅଧିକ ଆକୃଷ୍ଟ ହେବେ ବୋଲି ବିଶ୍ୱ ପର୍ୟ୍ୟଟନ ଦିବସ ଅବସରରେ ଭ୍ରମଣାନୁରାଗୀ ଅନୁଚିନ୍ତା କରୁଛନ୍ତି।

Comments
Loading...