ବିଶ୍ବ ବ୍ୟବସ୍ଥା ଓ କରୋନା ଭୂତାଣୁ

ଗତ ଶତାବ୍ଦୀର ଦ୍ବିତୀୟ ମହାଯୁଦ୍ଧ ପରଠାରୁ ସୋଭିଏତ୍‌ ୟୁନିୟନର ବିଲୟ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ, କ୍ୟାପିଟାଲିଜିମ- କମ୍ୟୁନିଜିମରେ ବିଭାଜିତ ମନେହେଉଥିଲେ ମଧ୍ୟ ବିଶ୍ବ ବ୍ୟବସ୍ଥାରେ ସନ୍ତୁଳନତା ଥିଲା ବୋଲି କେତେକ ବିଶେଷଜ୍ଞଙ୍କ ମତ। ସୁରକ୍ଷା କ୍ଷେତ୍ରରେ ପରମାଣୁ ଅସ୍ତ୍ର ସୁସଜ୍ଜିତ ନାଟୋ- ଓ ୱାର୍ସ ଗୋଷ୍ଠୀଥିଲେ ବିଭାଜିତ ବିଶ୍ବର ପ୍ରତୀକ। ମାନବ ସମାଜକୁ ଯୁଦ୍ଧର ବିଭୀଷିକାରୁ ରକ୍ଷା କରିବା ପାଇଁ ଜାତିସଂଘର ସୃଷ୍ଟି ଥିଲା, ବିଶ୍ବ ବ୍ୟବସ୍ଥାରେ ଅନ୍ତର୍ଜାତୀୟତାର ଆଉ ଗୋଟିଏ ସ୍ବର। ନବେ ଦଶକରୁ ସେ ଦୃଶ୍ୟକ୍ରମରେ ପରିବର୍ତ୍ତନର ଆଭାସ ମିଳିଲା। ଆମେରିକା ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ଉଭାହୋଇ ଏକଚାଟିଆ କ୍ଷମତା ବିସ୍ତାର କରିବାକୁ ଲାଗିଲା। ଅନ୍ୟ ଅର୍ଥରେ ଏକକ ମହାଶକ୍ତି ବା ୟୁନିପୋଲାର ବ୍ୟବସ୍ଥା ବିଶ୍ବବାସୀ ଦେଖିଲେ, କିନ୍ତୁ ପରିବର୍ତ୍ତିତ ପୃଥିବୀରେ ଏଭଳି ଏକ ଅବସ୍ଥା ଓ ବ୍ୟବସ୍ଥା ବହୁ ରାଷ୍ଟ୍ରଙ୍କ ପାଇଁ ଗ୍ରହଣୀୟ ନଥିଲା। ଫଳରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆଞ୍ଚଳିକ ଗୋଷ୍ଠୀମାନେ ଗଢ଼ି ଉଠିଲେ। ନାଫ୍‌ତା, ଏସିଆନ୍‌, ୟୁରୋପିଆନ ୟୁନିୟନ ଭଳି ଗୋଷ୍ଠୀଗୁଡ଼ିକ ଅର୍ଥନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ କ୍ଷେତ୍ରରେ ସହାୟକ ହେବା ଉଦ୍ଦେଶ୍ୟରେ ଗଠିତ ହୋଇଥିଲେ। ଏହି ପୃଷ୍ଠଭୂମିରେ ଆଉ ଗୋଟିଏ ସ୍ରୋତ ମଧ୍ୟ ବିଶ୍ବକୁ ଏକତ୍ରିତ କରି ଗୋଟିଏ ଗ୍ରାମରେ ପରିଣତ କରୁଥିଲା- ଜଗତୀକରଣ ଓ ଟେକ୍ନୋଲଜି ବିପ୍ଳବ ମାଧ୍ୟମରେ।
ତେବେ ଗତ କିଛି ବର୍ଷଧରି ଆନ୍ତର୍ଜାତିକ କ୍ଷେତ୍ରରେ କିଛି ଅନିଶ୍ଚିତତା ଦେଖିବାକୁ ମିଳୁଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତିରେ ସ୍ପଷ୍ଟତା ଅଭାବରୁ ମନେହେଉଛି ବିଶ୍ବ ଆଉ ଗୋଟିଏ ନୂତନ ବ୍ୟବହାର ଦ୍ବାରଦେଶରେ ଦଣ୍ଡାୟମାନ। ଆମେରିକା ବର୍ତ୍ତମାନ ବିଶ୍ବବ୍ୟବସ୍ଥାରେ ଆଗଭଳି ପ୍ରମୁଖ ଭୂମିକା ଗ୍ରହଣ କରିବ କି ନାହିଁ ଏହାର ସୁରକ୍ଷା, ଅର୍ଥନୈତିକ, ବାଣିଜ୍ୟ ନୀତି ୟୁରୋପ, ପ୍ରାଚ୍ୟ, ପଶ୍ଚିମ ଏସିଆ, ଦକ୍ଷିଣ ଏସିଆ, ପ୍ରଶାନ୍ତ ଓ ଭାରତ ମହାସାଗର ଅଞ୍ଚଳରେ କି ରୂପ ନେବ କହିବା କଠିନ। ପୂର୍ବ ବିଶ୍ବ ବ୍ୟବସ୍ଥା ଅତି ସନ୍ତୋଷଜନକ ବା ଦୋଷଶୂନ୍ୟ, ତ୍ରୁଟିହୀନ ନହେଲେ ମଧ୍ୟ ଆଉ ଗୋଟିଏ ବିଶ୍ବଯୁଦ୍ଧକୁ ଏଡ଼ାଇ ଦେବାରେ ସକ୍ଷମ ହୋଇଥିଲା। ଏବେ ଇରାନ ସହିତ ଆମେରିକାର ସମ୍ପର୍କ ଓ ନୀତି, ସିରିଆ ଏବଂ ଇରାକ୍‌ରେ ପରିସ୍ଥିତି ମଧ୍ୟପ୍ରାଚ୍ୟରେ ଆଶଙ୍କା ଓ ଅସ୍ଥିରତା ଆଣି ଦେଇଛି। ରୁଷ ମଧ୍ୟ ପୁତିନ୍‌ଙ୍କ ନେତୃତ୍ବରେ ନିଜକୁ ବିଶ୍ବର ଅନ୍ୟ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ପ୍ରତିପାଦନ କରି ପୂର୍ବ ଗୌରବ ଫେରାଇ ଆଣିବାରେ ପ୍ରଚେଷ୍ଟାରତ। ଇତିମଧ୍ୟରେ ଚୀନ ନିଜର ଅର୍ଥନୈତିକ ଓ ସାମରିକ ସାମର୍ଥ୍ୟ ବଳରେ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଦେଶଭାବେ ନିଜକୁ ପ୍ରମାଣିତ ଓ ପ୍ରତିଷ୍ଠିତ କରିପାରିଛି। ନିକଟ ଭବିଷ୍ୟତରେ ଆମେରିକାର ସମାସ୍କନ୍ଧ ହେବାର ଯୋଜନା ମଧ୍ୟ ରଖିଛି। ସାଉଥ୍‌ଚାଇନା ସମୁଦ୍ରରେ ଚୀନର ଉପସ୍ଥିତି ଓ କାର୍ଯ୍ୟକଳାପ ଆଞ୍ଚଳିକ ଅସ୍ଥିରତା ଆଣିବା ଫଳରେ ସେଠାର ଛୋଟଛୋଟ ଦେଶଗୁଡ଼ିକ ଯଥା- ଫିଲିପାଇନ୍ସ, ଭିଏତ୍‌ନାମ, ମାଲେସିଆ, ଇଣ୍ଡୋନେସିଆ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ସେମାନଙ୍କର ସାର୍ବଭୌମତା ଉପରେ ହସ୍ତକ୍ଷେପ ବୋଲି ଅଭିଯୋଗ କରିଛନ୍ତି। ଚୀନ ବର୍ତ୍ତମାନ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅଟୋମେସନ, ରୋବୋଟିକ୍‌ ଟେକ୍ନୋଲଜିରେ ଅଗ୍ରଣୀ। ଏକବିଂଶ ଶତାବ୍ଦୀ ଜ୍ଞାନର ଯୁଗ। ଯେଉଁ ଦେଶ ଜ୍ଞାନ​‌େ​‌ର ଆଗୁଆ ଓ ଅର୍ଥନୈତିକ, ସାମରିକ କ୍ଷେତ୍ରରେ ଶକ୍ତିଶାଳୀ ହେବ ବିଶ୍ବର ନେତୃତ୍ବ ଓ ବିଶ୍ବ ସମ୍ମାନର ଅଧିକାରୀ ହେବ। ଚୀନ ତା’ର ବହୁ ଅପେକ୍ଷିତ ବିଆରଆଇ ନୀତି ମାଧ୍ୟମରେ ଯୋଗାଯୋଗ ଓ ଭିତ୍ତିଭୂମିରେ ପ୍ରଗତି ଆଣି ୟୁରୋପ, ଏସିଆ, ଆଫ୍ରିକାରେ ନିଜର କର୍ତ୍ତୃତ୍ବ ବଜାୟ ରଖିବାର ଅଭିଳାଷକୁ ଚରିତାର୍ଥ କରିବାପାଇଁ ଉଦ୍ୟମରତ। ବ୍ରେକ୍ସିଟ୍‌ ଯୋଗୁଁ ବ୍ରିଟେନ୍‌ର ୟୁରୋପିଆନ ୟୁନିଅନରୁ ପ୍ରସ୍ଥାନ ପରେ ୟୁରୋପର ଭବିଷ୍ୟତ ଅନିଶ୍ଚିତ। ଇତିମଧ୍ୟରେ ଚୀନ- ଆମେରିକା ବାଣିଜ୍ୟ ବିବାଦ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି ଯାହା କିଛିମାତ୍ରାରେ ଭାରତୀୟ ଅର୍ଥନୀତିକୁ ମାନ୍ଦାବସ୍ଥାର ସମ୍ମୁଖୀନ କରାଇଛି। କାରଣ ବର୍ତ୍ତମାନ ବିଶ୍ବ ଅର୍ଥନୀତି ପରସ୍ପର ଉପରେ ନିର୍ଭରଶୀଳ।
ଏହି ପରିପ୍ରେକ୍ଷୀରେ ଆମେରିକା ଜଳବାୟୁ ପରିବର୍ତ୍ତନ ବୁଝାମଣାରୁ ଓହରିଯିବା, ବିଶ୍ବ ବାଣିଜ୍ୟ ଅନୁଷ୍ଠାନ ଡବ୍ଲ୍ୟୁଟିଓକୁ ଅକର୍ମଣ୍ୟ କରିବା, ଜାତିସଂଘର ଆବଶ୍ୟକତା ଉପରେ ସନ୍ଦେହପ୍ରକଟ କରିବା ଏବଂ ଏହାପାଇଁ ଅନୁଦାନକୁ ସଂକୁଚିତ କରିବାର ଧମକ ଦେବା ଓ କେବଳ ଆମେରିକାର ସ୍ବାର୍ଥକୁ ଅଗ୍ରାଧିକାର ଦେବାସହ ସଂରକ୍ଷଣାତ୍ମକ ବାଣିଜ୍ୟନୀତି ପ୍ରୟୋଗ କରିବା ବିଭିନ୍ନ ରାଷ୍ଟ୍ର ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ବିଶ୍ବବ୍ୟବସ୍ଥାରେ ଜଟିଳତା ଓ ଅନିଶ୍ଚିତତା ଆଣିଦେଇଛି।
ପୃଥିବୀର ପରିସ୍ଥିତି ତରଳ ଅବସ୍ଥାରେ ଥିବାବେଳେ ଆଉ ଏକ ଭିନ୍ନ ମୋଡ଼ ଦେଇଛି- କରୋନା ଭାଇରସ। ଚୀନରେ ଏପର୍ଯ୍ୟନ୍ତ ୭୦ହଜାରରୁ ଊର୍ଦ୍ଧ୍ବ ଏ ଭାଇରସ ଦ୍ବାରା ସଂକ୍ରମିତ, ପ୍ରାୟ ୧୮୦୦ ମୃତ, ୬୦ ନିୟୁତ ଲୋକେ ବାଧ୍ୟବାଧକତାରେ ଓ ସରକାରୀ ନିର୍ଦେଶରେ ଗୃହରେ ସୀମାବଦ୍ଧ। ୨୯ଟି ଦେଶରେ ଏହା ବ୍ୟାପ୍ତ। ଭବିଷ୍ୟତରେ ଏହି ଭାଇରସ ଭୟଙ୍କର ରୂପ ଗ୍ରହଣ କରିବ ତାହା ଆକଳନ କରିବା ଏତେ ସହଜ ନୁହେଁ। ଏହାର ନିରାକରଣ ପାଇଁ କୌଣସି ଟିକା ଉଦ୍‌ଭାବନ ହୋଇନାହିଁ। ଚିକିତ୍ସା ପାଇଁ ସଫଳତାର ସହିତ ପରୀକ୍ଷିତ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ଭାଇରସ୍‌ର ସୃଷ୍ଟି ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କାରଣ ବିଷୟରେ ଏବେ ଆମେ ଅଜ୍ଞ। କରୋନା ଭାଇରସର କୁପ୍ରଭାବ କେବଳ ଚୀନର ଅର୍ଥନୀତିରେ ସୀମିତ ରହିବ ନାହିଁ। ଅନ୍ୟଦେଶ, ଯେଉଁମାନେ ବାଣିଜ୍ୟ ଓ ପର୍ଯ୍ୟଟନ ଦ୍ବାରା ଚୀନ ସହିତ ଜଡ଼ିତ, ସେମାନେ ମଧ୍ୟ ପ୍ରଭାବିତ ହେବେ। ଅାନୁମାନିକ ଭାବେ ୧୫କୋଟି ଚୀନ ନାଗରିକ ପର୍ଯ୍ୟଟକ ଭାବେ ପ୍ରତିବର୍ଷ ବିଦେଶ ଭ୍ରମଣ କରନ୍ତି। ଚୀନରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଥାଇଲାଣ୍ଡକୁ ପ୍ରତିବର୍ଷ ଭ୍ରମଣ କରିବାକୁ ଯାଆନ୍ତି। ଜାପାନରେ ସେମାନଙ୍କ ସଂଖ୍ୟା ପ୍ରତିବର୍ଷ ପ୍ରାୟ ୭୦ଲକ୍ଷ। ସେଇଭଳି ପୃଥିବୀର ଅନ୍ୟପ୍ରାନ୍ତକୁ ମଧ୍ୟ ବହୁସଂଖ୍ୟାରେ ଚୀନ ନାଗରିକ ଭ୍ରମଣ କରିବାକୁ ଯାଇଥାଆନ୍ତି। କରୋନା ଭାଇରସ୍‌ ଫଳରେ ଚୀନ ଭ୍ରମଣକାରୀଙ୍କ ସଂଖ୍ୟା ହ୍ରାସରେ ଗନ୍ତବ୍ୟସ୍ଥାନଗୁଡ଼ିକୁ କ୍ଷତି ସହିବାକୁ ପଡ଼ିବ ଏବଂ ସ୍ଥାନୀୟ ଲୋକଙ୍କର ଜୀବନଜୀବିକା ପ୍ରତିକୂଳ ଭାବେ ପ୍ରଭାବିତ ହେବ। ଚୀନରେ ମଧ୍ୟ ପର୍ଯ୍ୟଟନ ସହିତ ସଂପୃକ୍ତ ସଂସ୍ଥା ଓ ଲୋକେ ଅପୂରଣୀୟ କ୍ଷତି ସହିବେ। ବିମାନ କଂପାନୀଗୁଡ଼ିକ କ୍ଷତିଗ୍ରସ୍ତ ହେବେ। ଚୀନର ବର୍ତ୍ତମାନ ୪୮ଟି ସହର ବନ୍ଦ, ବାହାର ଜଗତଠାରୁ ଛିନ୍ନ। ଚୀନରୁ ରପ୍ତାନୀ ହେଉଥିବା ଔଷଧ, ଇ‌େଲକଟ୍ରୋନିକ ବସ୍ତୁ ଓ ମେସିନର ଛୋଟଛୋଟ ଅଂଶ ଏବଂ ପ୍ରସ୍ତୁୁତ ହେଉଥିବା ବହୁ ଉପକରଣ ଓ ସୌଖୀନ, ନିତିଦିନିଆ ବ୍ୟବହୃତ ହେଉଥିବା ଜିନିଷ ଭାରତ ସମେତ ବିଦେଶ ବଜାରଗୁଡ଼ିକରୁ ଉଭାନ ହୋଇଯିବେ। ଏହାର ପ୍ରଭାବ ବର୍ତ୍ତମାନ ସେୟାର ବଜାରରେ ମଧ୍ୟ ପଡ଼ିଲାଣି। ନକାରାତ୍ମକ ମନୋଭାବ ଯୋଗୁ ବିଦେଶୀ ମୁଦ୍ରା, ସୁନାବଜାର ମଧ୍ୟ ଏଥିରୁ ମୁକ୍ତ ନହୋଇପାରେ। ବିଶ୍ବ ଜିଡିପି ପ୍ରଭାବିତ ହୋଇପାରେ। ଭାରତ​‌େ​‌ର ଏହାର ପ୍ରଭାବରେ ମାନ୍ଦାବସ୍ଥା ଅନୁଭୂତ ହେଲାଣି। ୨୦୦୩ରେ ଚୀନରୁ ଉତ୍ପତ୍ତି ସାର୍‌ସ ଭାଇରସରେ ଚୀନର କ୍ଷତି ପ୍ରାୟ ୨୫ ବିଲିୟନ ଡଲାର ଥିଲା। ସେତେବେଳେ ଚୀନର ଡିଜିପି ଥିଲା ୧.୪ ଟ୍ରିଲିୟନ ଡଲାର। ବର୍ତ୍ତମାନ ତାହା ବୃଦ୍ଧିପାଇ ୧୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ତେଣୁ ଆନୁମାନିକ କ୍ଷତି ଅନୁପାତ ବା ପରିମାଣ ୨୫୦ ବିଲିୟନ ଡଲାରକୁ ଟପି ଯାଇପାରେ। ତେବେ ଏହା କେବଳ କାଳ୍ପନିକ ଆକଳନ। ଭାଇରସର ଭବିଷ୍ୟତ ଯାତ୍ରା ବିଷୟରେ ଆମେ ସମସ୍ତେ ଅନ୍ଧାରରେ। କେତେକ ବୁଦ୍ଧିଜୀବୀ ଭାବୁଥିଲେ ଯଦି କେବେ ଚୀନର ପତନ ହୁଏ ତେବେ ତାହା କମ୍ୟୁନିଜମ୍‌ର ପତନ କିମ୍ବା ପରିବେଶର ଅଧୋଗତି, ଅବକ୍ଷୟ ଯୋଗୁ ହେବ; ଦେଶବ୍ୟାପୀ, ସାର୍ବଦେଶିକ, ବ୍ୟାପକ ଗୋଟିଏ ରୋଗ ପାଇଁ ନୁହେଁ। ଏଥିପାଇଁ ଚୀନ ସରକାର ସମସ୍ତ ଦୃଢ଼ ପଦକ୍ଷେପ ନେଉଛନ୍ତି ଏହି ବିପଦକୁ ସୀମିତ ରଖିବାକୁ। ବୋଧହୁଏ ଅନ୍ୟ କୌଣସି ଦେଶରେ ଏଭଳି କିଛି ଘଟିଥିଲେ (ଆମ ଦେଶ ସମେତ) ଏହାର ଭୟାନକ ପରିଣତି କ’ଣ ହୋଇଥାନ୍ତା କଳ୍ପନା କରିହୁଏନା। ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (ଡବ୍ଲ୍ୟୁଏଚଓ) ଚୀନର ଉଦ୍ୟମରେ ସନ୍ତୋଷ ପ୍ରକାଶ କରିଛନ୍ତି, ଯଦିଓ ପ୍ରାରମ୍ଭରେ ଚୀନ କର୍ତ୍ତୃପକ୍ଷ କଥାଟିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ।
ଏଥିପାଇଁ ଭାରତୀୟ ଅର୍ଥନୀତି ଓ ବଜାର କିଛିମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନାରେ ସନ୍ଦେହ ନାହିଁ। ଏୟାର ଇଣ୍ଡିଆ, ଇଣ୍ତିଗୋ ଭଳି ଏୟାରଲାଇନ୍ସ ନିଜର ଚୀନକୁ ଉଡ଼ାଣ ବାତିଲ କରିଛନ୍ତି। ଉହାନ୍‌ରେ ୨୦୦୦୦ ଭାରତୀୟ ବିଦ୍ୟାର୍ଥୀ ରହିଛନ୍ତି। ସେମାନଙ୍କର ନିରାପତ୍ତା ଓ ଅପସାରଣ ମଧ୍ୟ ଏକ ସମସ୍ୟା। ଉହାନ୍‌ ମଧ୍ୟ ସେଇ ସହର ଯେଉଁଠି ଚୀନର ରାଷ୍ଟ୍ରପତି ଜିଙ୍ଗପିନ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଅନୌପଚାରିକ କଥାବାର୍ତ୍ତା ହୋଇଥିଲା।
ଚୀନରେ ବ୍ୟାପାର କରୁଥିବା ଆମେରିକା ଓ ଅନ୍ୟ ଦେଶଗୁଡ଼ିକର କମ୍ପାନୀମାନେ ସେଠାରେ ବ୍ୟବସାୟ ବନ୍ଦ କରିବାକୁ ଲାଗିଲେଣି। ତାହା ସାମୟିକ ବା ଦୀର୍ଘମିଆଦୀ ଜଣା ପଡ଼ୁନାହିଁ। ସଂକ୍ଷେପରେ କରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ ଯେଉଁ ବିପଦ ଘନେଇ ଆସିବାର ଆଶଙ୍କା ରହିଛି ତାହା ଚୀନର ମହାଶକ୍ତି ହେବାର ଅଭିଳାଷକୁ ଆଘାତ ପହଞ୍ଚାଇବ। ନୂତନ ବିଶ୍ବ ବ୍ୟବସ୍ଥାର ଯେଉଁ ଆଭାସ ମିଳୁଥିଲା ତାହା ଅନିଶ୍ଚିତତାର ଗହ୍ବରକୁ ଅନିର୍ଦିଷ୍ଟ ସମୟ ପାଇଁ ଠେଲି ହୋଇଗଲା।

ଅବସର ବେଉରିଆ

ଏ-୧୬୫, ସହିଦନଗର, ଭୁବନେଶ୍ବର-୭

Comments are closed.