ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସର ଅନୁଚିନ୍ତା

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସାଂପ୍ରତିକ ସର୍ବେକ୍ଷଣ ଅନୁସାରେ ସାରା ବିଶ୍ବରେ ପ୍ରତିବର୍ଷ ଆଠ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥା’ନ୍ତି; ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥାଏ। ଭାରତବର୍ଷରେ ଆତ୍ମହତ୍ୟାର ସ୍ଥିତି ଆହୁରି ଭୟାନକ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ ଗତବର୍ଷ (୨୦୧୯ ମସିହାରେ) ଏକ ଲକ୍ଷ ଚାଳିଶି ହଜାର ଲୋକ ଭାରତରେ ଆତ୍ମହତ୍ୟା କରିଛନ୍ତି। ୧୫-୩୫ ବର୍ଷ ବୟସ୍କ ଭାରତୀୟ ଯୁବକଯୁବତୀଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା। ସାରା ବିଶ୍ବର ଯୁବକଯୁବତୀଙ୍କ ମଧ୍ୟରୁ ଭାରତୀୟ ଯୁବକଯୁବତୀ ସର୍ବାଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାନ୍ତି।

ଗତ ଏକ ଦଶନ୍ଧିରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଫଳସ୍ୱରୂପ ଭାରତକୁ ଏବେ ବିଶ୍ବର ଆତ୍ମହତ୍ୟାର ରାଜଧାନୀ ବୋଲି କୁହାଯାଉଛି। ଯେତିକି ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି ତାହାର ପଚିଶ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଆତ୍ମହତ୍ୟା ଉଦ୍ୟମକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ବର୍ଷେ ମଧ୍ୟରେ ପୁନଃ ଆତ୍ମହତ୍ୟାର ଉଦ୍ୟମ କରିଥାନ୍ତି। ଓଡିଶାରେ ଆତ୍ମହତ୍ୟାର ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ ଅଧିକ। ଏହା ଏକ ଚିନ୍ତାଜନକ ବିଷୟ। ଗତ କିଛି ମାସ ହେବ କରୋନା ମହାମାରୀ, ଲକଡାଉନ, ସଟଡାଉନ ଯୋଗୁଁ ଆମ ସମସ୍ତଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ଦ୍ରୁତ ଗତିରେ ବଢିଛି।

ଆମ ଦେଶରେ ଲୋକେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥାନ୍ତି। ଜୀବନରେ ଘଟୁଥିବା କେତେକ କଠିନ ଓ ଅସୁବିଧାଜନକ ଘଟଣାବଳୀ ଯଥା ବେରୋଜଗାରୀ, ଆର୍ଥିକ ସଙ୍କଟ, ପାରିବାରିକ କଳହ, ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଆଦି ମାନସିକ ଚାପ ସୃଷ୍ଟି କରିଥାଏ। ଯେଉଁମାନେ ଏହି ମାନସିକ ଚାପର ଠିକ ମୁକାବିଲା କରି ପାରନ୍ତି ନାହିଁ, ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଯୁବକଯୁବତୀଙ୍କ ଆତ୍ମହତ୍ୟାର କାରଣଗୁଡିକ ହେଲା ପାଠପଢାର ଚାପ, ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ବନ୍ଧରେ ଅସଫଳ ହେବା ଓ ଭଲ ଚାକିରି ନ ପାଇବା ଆଦି। ଆତ୍ମହତ୍ୟାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ବିଭିନ୍ନ ମାନସିକ ସମସ୍ୟା। ଏଗୁଡିକ ହେଲା ଅବସାଦ ରୋଗ(ଡିପ୍ରେସନ), ସ୍କିଜୋଫ୍ରେନିଆ, ଆଙ୍ଗଜାଇଟି ରୋଗ, ବାଇପୋଲାର ରୋଗ ଆଦି। ମସ୍ତିଷ୍କରେ ସେରୋଟୋନୀନ ଓ ନରଏପିନେଫ୍ରିନ ନାମକ ଦୁଇଟି ଜୈବିକ ପଦାର୍ଥର ମାତ୍ରା ହ୍ରାସ ପାଇବା ଯୋଗୁଁ ବ୍ୟକ୍ତି ଆତ୍ମହତ୍ୟା କରିଥାଏ।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିରୋଧକ ସଂଘର ମିଳିତ ଆନୁକୁଲ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୦ରେ ବିଶ୍ବ ଆତ୍ମହତ୍ୟା ନିରୋଧକ ଦିବସ ପାଳନ କରାଯାଇଥାଏ। ଏହି ଦିବସର ପ୍ରମୁଖ ଲକ୍ଷ୍ୟ ହେଲା ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଓ ଆତ୍ମହତ୍ୟା ସହିତ ଗଭୀରଭାବେ ଜଡିତ ମାନସିକ ସମସ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା। ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏବଂ ଯାହାଙ୍କଠାରେ ଆତ୍ମହତ୍ୟାପ୍ରବଣତା ଦେଖା ଯାଉଛି ସେମାନଙ୍କୁ ଉଚ୍ଚମାନର ମାନସିକ ଚିକିତ୍ସା ପ୍ରଦାନ କରିବା ଜରୁରୀ। ଏହା ସହିତ ଠିକ ମନସ୍ତାତ୍ତ୍ବିକ ଚିକିତ୍ସା ଓ କାଉନ୍‌ସେଲିଂ ତଥା ପରିବାର ଓ ପ୍ରିୟଜନଙ୍କର ସାହାଯ୍ୟ-ସହଯୋଗ ଲାଭଦାୟକ ହୋଇଥାଏ ।

Comments are closed.