ମାଟିର ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ବଡ ଆହ୍ୱାନ

ଆଜି ବିଶ୍ୱ ମୃତ୍ତିକା ଦିବସ, ମାଟି ଜୀବିତ ରହିଲେ ଉଦ୍ଭିିଦ,ପ୍ରାଣୀ ଓ ମଣିଷ ହେବେ ସୁରକ୍ଷିତ

ହରଭଙ୍ଗା : (ପ୍ରିତୀରଞନ ଦାସ)- ମାଟି ଆମର ମାଆରେ ମାଟି ଆମର ମାଆ ,ଯୁଗ ଯୁଗ ଧରି ପୂଜା ପାଉଛି ଘରେ ଘରେ ଗାଁ ଗାଁ ରେ। ଚାଷୀଟିଏ ଅକ୍ଷୟ ତୃତୀୟାରେ ମାଟି ପୂଜା କରି ଚାଷବାସ ଆରମ୍ଭ କରିଥାଏ। ମାଟି ବିନା ଚାଷ ଯେପରି ଅସମ୍ଭବ। ଠିକ ସେହିପରି ମୃତ୍ତିକାର ସୁସ୍ଥ ସ୍ୱାସ୍ଥ୍ୟ ବିନା ଖାଦ୍ୟ ଶସ୍ୟ ଉତ୍ପାଦନ ଅସମ୍ଭବ। ମାଟି ଜୀବିତ ରହିଲେ ଅର୍ଥାତ୍ ମାଟିର ଉତ୍ପାଦନ କ୍ଷମତା ରହିଲେ ଏହା ଉଦ୍ଭିିଦ, ପ୍ରାଣୀ ଏବଂ ମନୁଷ୍ୟମାନଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ରକ୍ଷା ଦିଗରେ ସହାୟକ ହେବ। ଠିକ ସେହିପରି ଆଗକୁ ଚାଷ ବଂଚାଇବାକୁ ହେଲେ ଚାଷୀକୁ ମାଟିର ସ୍ୱାସ୍ଥ୍ୟ ପ୍ରତି ଅର୍ଥାତ୍ ଏହାର କ୍ଷମତା ପ୍ରତି ଯଥେଷ୍ଟ ସଚେତନ ଏବଂ ଯତ୍ନବାନ ହେବା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।
ପ୍ରକାଶ ଯେ ମୃତ୍ତିକା ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗତ ୫ ଡିସେମ୍ବର ୨୦୧୩ରେ ବିଶ୍ୱ ମୃତିକା ଦିବସ ପାଳନ ପାଇଁ ଘୋଷଣା କରାଗଲା। ପ୍ରଥମ ବିଶ୍ୱ ମୃତ୍ତିକା ଦିବସ ୫ ଡିସେମ୍ବର ୨୦୧୪ରେ ପାଳନ କରାଯାଇଥିଲା। ମୃତ୍ତିକା ର ଜୀବିତ କ୍ଷମତା ମଣିଷ, ପ୍ରାଣୀ, ଉଦ୍ଭିିଦ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୃଦୟଙ୍ଗମ ପରେ ଗତ ୨୦୧୫ରେ ତାଙ୍କ ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଭଳି ମହତ୍ୱାଙ୍କାକ୍ଷୀ ଯୋଜନା ସାରା ଦେଶରେ ଶୁଭାରମ୍ଭ କରାଗଲା। ଯାହାଦ୍ୱାର ଚାଷ ଓ ଚାଷୀଙ୍କ ସୁରକ୍ଷା ସହିତ ଖାଦ୍ୟଶସ୍ୟର ଅଧିକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ। କୃଷିକାର୍ଯ୍ୟ ନିମନ୍ତେ ମାଟି ହେଉଛି ପ୍ରଥମ ଆବଶ୍ୟକତା। ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ କହିଲେ ଚଳେ। ମାଟିରେ ଥିବା ବିଭିନ୍ନ ପୋଷକତତ୍ୱ, ଅଣୁସାର, ଖାଦ୍ୟସାର, ଖଣିଜ ଲବଣ, ପରୋପକାରୀ ଅଣୁଜୀବ ଗଛଟିକୁ ଖାଦ୍ୟପଦାର୍ଥ ଯୋଗାଇ ତାର ସମ୍ପୂର୍ଣ୍ଣ ବିକାଶରେ ସାହାଯ୍ୟ କରିଥାଏ। କିନ୍ତୁ ରାସାୟନିକ ସାର, କୀଟନାଶକ ଓ ତୃଣନାଶକର ମନଇଛା ପ୍ରୟୋଗ ଫଳରେ ସୁସ୍ଥ ମାଟି ଅସୁସ୍ଥ ହୋଇପଡେ। ଶେଷରେ ନିଜର ଉର୍ବରତା ହରାଇ ବସେ, ଫଳରେ ଫସଲ ଅମଳ କମିଯିବା ସଙ୍ଗେ ସଙ୍ଗେ ଚାଷୀର ରୋଜଗାର ହ୍ରାସ ପାଇଥାଏ ଏବଂ ଚାଷୀକୁ ଆର୍ଥକ କ୍ଷତି ସହିବାକୁ ପଡିଥାଏ।

Image source : Competitive India

ଏହାକୁ ଦୃଷ୍ଟିରେ ରଖି ବର୍ତମାନ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷାକୁ ଆଗ୍ରାଧିକାର ଦିଆଯାଉଛି। ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଏହାର ମାନ ଅନୁସାରେ ସମ୍ମନ୍ୱିତ ଖାଦ୍ୟସାରର ପରିଚାଳନା ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ଅନୁଯାୟୀ ଚାଷୀର ଜମିରୁ ନମୂନା ମାଟି ସଂଗ୍ରହ କରି ମୃତ୍ତିକା ରାସାୟନବିତ କାର୍ଯ୍ୟାଳୟରେ ମୃତ୍ତିକାର ଅମ୍ଲତା, ଲବଣାଂଶ, ଉପଲବ୍ଧ ଯବକ୍ଷାରଯାନ, ପଟାସ୍, ଫସଫରସ ଏବଂ ବିଭିନ୍ନ ଅଣୁପୋଷକର ପରୀକ୍ଷା କରାଯାଇ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ ଭଳି ଏକ ମହତ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଡ ଅନୁସାରେ ଚାଷୀ ନିଜ ଜମିରେ ଜୈବିକ ସାର, ଖତସାରର ପ୍ରୟୋଗ କରି ଅଧିକ ଅମଳ ପାଇବାକୁ ସକ୍ଷମ ହୋଇଥାଏ। ମାଟିର ସୁରକ୍ଷିତ ଜୀବନ ସାଙ୍ଗକୁ ମାଟିର ସୁସ୍ଥ ସ୍ୱାସ୍ଥ୍ୟୂ ଯତ୍ନନେବା ବିଶ୍ୱ ମୃତ୍ତିକା ଦିବସରେ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ। ବର୍ତମାନ ଚାଷ ପାଇଁ ଆଗକୁ ଚାଷୀଙ୍କ ଆଧାରକାର୍ଡ ସହିତ ମୃତିକା ସ୍ୱାସ୍ଥ୍ୟକାର୍ଡକୁ ଲିଙ୍କ କରାଯାଇ ତଦନୁଯାୟୀ ଚାଷୀଙ୍କୁ ସାର, କୀଟନାଶକ ପ୍ରଦାନ ଭଳି ମହତ୍ ପଦକ୍ଷେପ ମଧ୍ୟ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଏହି ମହତ୍ଙ୍କାକ୍ଷୀ ଯୋଜନା ଯୋଗୁଁ ରାଜ୍ୟର ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ମୃତିକା ରାସାୟନବିତ କାର୍ଯ୍ୟାଳୟ ଖୋଲି ସାରିଛି। କେବଳ ବୌଦ୍ଧ, ଦେବଗଡ ଏବଂ ନୂଆପଡା ଭଳି ୩ଟି ଜିଲ୍ଲାରେ ନୂତନ ମୃତିକା ରାସାୟନବିତ କାର୍ଯ୍ୟାଳୟ ନଥିବା ସୂଚନା ମିଳିଛି। ବୌଦ୍ଧ ଭଳି ଏକ କୃଷି ପ୍ରଧାନ ଜିଲ୍ଲାରେ ମୃତ୍ତିକା ରାସାୟନିବିତ କାର୍ଯ୍ୟାଳୟ ୧୦ ଫେବୃୟାରୀ ୨୦୧୧ରେ ଏହାର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେଲା। ୨୦୧୫ରେ ଏହି କାର୍ଯ୍ୟାଳୟଟି ଶୁଭାରମ୍ଭ ହେଲା। ମାତ୍ର ବର୍ତମାନ କାର୍ଯ୍ୟାଳୟରେ ଆବଶ୍ୟକୀୟ ୧୧ ଜଣ କର୍ମଚାରୀ ମଧ୍ୟରେ ଜଣେ ମଧ୍ୟ ହେଲେ କର୍ମଚାରୀ ନଥିବା ସୂଚନା ମିଳିଛି। ବର୍ତମାନ ଦୁଇଜଣ ଅତରିକ୍ତ କୃଷି କର୍ମଚାରୀଙ୍କ ଦ୍ୱାରା ଲ୍ୟାବଟି ନାହିଁ ନାହିଁରେ ଚାଲିଛି। ତୁରନ୍ତ ଏ ଦିଗରେ ରାଜ୍ୟ କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ଆଗକୁ ପ୍ରତି ବ୍ଲକରେ ମୃତିକା ରାସାୟନବିତ ପରୀକ୍ଷାଗାର ଖୋଲାଯିବା ସହ ଭ୍ରାମ୍ୟମାଣ ମୃତିକା ପରୀକ୍ଷା ଭ୍ୟାନ ଦ୍ୱାରା ମଧ୍ୟ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ସରକାର ଗୁରୁତ୍ୱଆରୋପ କରିଛନ୍ତି। ଏହାଦ୍ୱାର ମାଟି ଜୀବିତ ରହିବା ସହିତ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି ସାଙ୍ଗକୁ ମାଟି ଅମ୍ଲରେ ହ୍ରାସ ଘଟିବ।

Comments are closed.