MEllora 950×100

ଋତୁରାଜଙ୍କ ବିଶ୍ବ କୀର୍ତ୍ତିମାନ ; ଏକ ଓଭରରେ ୭ ଛକା

ଅହମ୍ମଦାବାଦ : ଆଇପିଏଲ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ ପାଇଁ ଖେଳି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ବାରା ଦେଶରେ ବେଶ୍‌ ପରିଚିତି ପାଇଛନ୍ତି ମହାରାଷ୍ଟ୍ରର ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଋତୁରାଜ ଗାଏକ୍‌ୱାଡ୍‌। ହେଲେ ସୋମବାର ଋତୁରାଜ ଏକ ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି। ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ୍ ଭାବେ ଋତୁରାଜ ଲିଷ୍ଟ-ଏ ମ୍ୟାଚ୍‌ରେ ଏକ ଓଭରରେ ୭ଟି ଛକା ମାରିଛନ୍ତି। ଏକ ଓଭରର କ୍ରମାଗତ ୭ଟି ବଲ୍‌ରେ ୭ଟି ଛକା ସହ ଋତୁରାଜ ଏକ ଓଭରରେ ୪୩ ରନ୍‌ ସଂଗ୍ରହ କରିଛନ୍ତି। ଏପରି କରି ସେ ବିଶ୍ବ କୀର୍ତ୍ତିମାନ ସହ ସମକକ୍ଷ ହୋଇଛନ୍ତି। ସୋମବାର ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜା‌ରେ ଟ୍ରଫିର କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଋତୁରାଜ ଏହି କୃତିତ୍ବ ହାସଲ କରିଛନ୍ତି। ଉତ୍ତର ପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ଋତୁରାଜ ୟୁପିର ବାମହାତି ସ୍ପିନର ଶିବ ସିଂହଙ୍କ ଓଭରରେ କ୍ରମାଗତ ୭ଟି ଛକା ମାରିଥିଲେ। ମହାରାଷ୍ଟ୍ର ଇନିଂସର ୪୯ତମ ଓଭରରେ ଶିବ ସିଂହଙ୍କୁ ପ୍ରଥମ ୨ଟି ବଲ୍‌ରେ ଛକାମାରିବା ପରେ ୩ୟ ବଲ୍‌ ନୋ’ବଲ୍‌ ଥିଲା। ଫ୍ରିହିଟ୍‌ ବଲ୍‌ସହ ବାକି ୫ଟିଯାକ ବଲ୍‌ରେ ମଧ୍ୟ ଋତୁରାଜ ଛକା ମାରିଥିଲେ। ଫଳରେ ୪୮ ଓଭର ସୁଦ୍ଧା ୧୪୭ ବଲ୍‌ରୁ ୧୬୫ ରନ୍‌ ମାରିଥିବା ଋତୁରାଜ ଇନିଂସ ଶେଷରେ ୫୯ ବଲ୍‌ରୁ ୧୬ଟି ଛକା ଓ ୧୦ଟି ଚୌକା ସହ ୨୨୦ ରନ୍‌କରି ଅପରାଜିତ ଥିଲେ। ଏହି ଇନିଂସ ବଳରେ ମହାରାଷ୍ଟ୍ର ୫୦ ଓଭରରେ ୫ ୱିକେଟରେ ୩୩୦ ରନ୍‌ କରିଥିଲା। ପରେ ୧୪ଟି ବଲ୍‌ ବାକିଥାଇ ଉତ୍ତର ପ୍ରଦେଶ ୨୭୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ୫୮ ରନ୍‌ରେ ପରାସ୍ତ ହୋଇଥିଲା। ସୂଚନାଯୋଗ୍ୟ; ୨୦୧୮-୧୯ରେ ନ୍ୟୁଜିଲାଣ୍ଡରେ ଫୋର୍ଡ ଟ୍ରଫିରେ ନଦର୍ଣ୍ଣ ଡିଷ୍ଟ୍ରିକ୍ଟସର ଜୋ କାର୍ଟର ଓ ବ୍ରେଟ୍‌ ହାମ୍ପଟନ ସେଣ୍ଟ୍ରାଲ୍‌ ଡିଷ୍ଟ୍ରିକ୍ଟସର ବୋଲର ୱିଲେମ୍ ଲୁଡିକ୍‌ଙ୍କୁ ମଧ୍ୟ ୪୩ ରନ୍‌ ମାରିଥିଲେ। ହେଲେ ଜଣେ ବ୍ୟାଟ୍‌ସମ୍ୟାନ୍ ଏକ ଓଭରରେ ୭ଟି ଛକା ମାରିବା ବିଶ୍ବରେକର୍ଡ ସ୍ଥାପନ କରିଛନ୍ତି ଋତୁରାଜ। ଏହି କୃତିତ୍ବ ସହ ଆନ୍ତର୍ଜାତିକ ଓ ପେସାଦାର କ୍ରିକେଟ୍‌ରେ ଏକ ଓଭରରେ ୬ଟି ଛକା ମାରିଥିବା ବ୍ୟାଟ୍‌ସମ୍ୟାନଙ୍କ କ୍ଲବ୍‌ରେ ଋତୁରାଜ ସାମିଲ ହୋଇଛନ୍ତି। ପୂର୍ବରୁ ଗ୍ୟାରୀ ସୋବର୍ସ (୧୯୬୮), ରବି ଶାସ୍ତ୍ରୀ (୧୯୮୫), ହର୍ସେଲ ଗିବ୍‌ସ (୨୦୦୭), ଯୁବରାଜ ସିଂହ (୨୦୦୭), ରସ୍ ହ୍ବିଟେଲି (୨୦୧୭), ହଜ୍ରତୁଲ୍ଲା ଜାଜାଇ (୨୦୧୮), ଲିଓ କାର୍ଟର (୨୦୨୦), କୈରନ୍ ପୋଲାର୍ଡ (୨୦୨୧), ତିସାରା ପରେରା (୨୦୨୧) ଓ ଯଶକରଣ ମାଲହୋତ୍ରା (୨୦୨୧) ଏକ ଓଭରରେ ୬ଟି ଛକା ମାରିଥିଲେ। ହେଲେ ଋତୁରାଜ ଆଉ ପାଦେ ଆଗେଇ ୭ଟି ଛକା ମାରିଛନ୍ତି। ତେବେ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଏକ ଓଭର​‌େ​‌ର ସର୍ବାଧିକ ୮ଟି ଛକା ମାରିବାର କୀର୍ତ୍ତିମାନ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଲି ଜର୍ମନ୍‌ଙ୍କ ନାମରେ ରହିଛି। ୧୯୯୦ରେ ଏକ ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ଜର୍ମନ୍‌ ଏହି କୃତିତ୍ବ ହାସଲ କରିଥିଲେ।

Comments are closed.