ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସୁବିଧା

ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି ଘୋଷିତ

ଦୁଇଟି ସନ୍ତାନରୁ ଅଧିକ ଥିଲେ
-ନିର୍ବାଚନରେ ଲଢ଼ିବା ମନା, ମିଳିବନି ସରକାରୀ ଚାକିରି
-ରିଆତି ପଡି ସାମଗ୍ରୀ ଓ ସରକାରୀ ଯୋଜନାରୁ ବାଦ୍‌ ପଡ଼ିବେ

୨ଟି ସନ୍ତାନ ପରିବାରକୁ ବହୁବିଧ ପ୍ରୋତ୍ସାହନ
-ଗୃହଋଣ, ବିଜୁଳି, ଘର, ପାଣି ଦେୟରେ ରିଆତି
-ଚାକିରିଆଙ୍କୁ ପଦୋନ୍ନତି ସହ ୨ଟି ପରିବର୍ଦ୍ଧିତ ରାଶି
-୧୨ ମାସ ପିତୃତ୍ବ/ମାତୃତ୍ବ ଛୁଟି ସହ ପୂରା ଦରମା

ଲକ୍ଷ୍ନୌ  : ବିଶ୍ବ ଜନସଂଖ୍ୟା ଦିବସରେ ଭାରତର ସର୍ବବୃହତ୍ ଓ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇଛି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବଳିଷ୍ଠ ପଦକ୍ଷେପ। ଉତ୍ତରପ୍ରଦେଶ ସରକାର ରବିବାର ରାଜ୍ୟ ପାଇଁ ନୂଆ ଜନସଂଖ୍ୟା ନୀତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଜନସଂଖ୍ୟା ନିୟମ ୨୦୨୧-୨୦୩୦କୁ ଉନ୍ମୋଚନ କରି କହିଛନ୍ତି ଯେ, ଜନସଂଖ୍ୟା ବୃଦ୍ଧି ଦେଶ ବିକାଶରେ ପ୍ରତିବନ୍ଧକ ସାଜିଛି। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରତ୍ୟେକ ସମ୍ପ୍ରଦାୟ ଗୁରୁତ୍ବ ଦେବା ଦରକାର। ନୂତନ ଜନସଂଖ୍ୟା ନୀତିରେ ୨୦୨୬ ମସିହା ସୁଦ୍ଧା ପ୍ରତି ଏକ ହଜାରେ ଜନସଂଖ୍ୟାରେ ଜନ୍ମହାର ୨.୧% ଏବଂ ୨୦୩୦ ସୁଦ୍ଧା ଜନ୍ମହାର ୧.୯%ରେ ପହଞ୍ଚାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ବର୍ତ୍ତମାନ ପ୍ରଜନନ ହାର ୨.୭ ପ୍ରତିଶତ ରହିଛି। ନୂଆ ନୀତି ଅନୁଯାୟୀ ୨ଟିରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ଓ ପୌର ନିର୍ବାଚନ ଲଢିପାରିବେ ନାହିଁ। ସେମାନେ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ କି କୌଣସି ସରକାରୀ ରିଆତି(ସବ୍‌ସିଡି) ପାଇବେ ନାହିଁ। ଏହାସହ ଗୋଟିଏ ପରିବାରର ରେସନ କାର୍ଡରେ ସର୍ବାଧିକ ୪ ଜଣଙ୍କ ନାମ ରହିବ। ୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଯୋଜାନାରେ ମିଳୁଥିବା ରିଆତି ପାଇଁ ସେମାନେ ଆବେଦନ କରିପାରିବେ ନାହିଁ। ହେଲେ ରାଜ୍ୟର ନୂଆ ଜନସଂଖ୍ୟା ନୀତିରେ ଜଣେ ବ୍ୟକ୍ତି ୩ୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିପାରିବ। ଅନ୍ୟପଟେ ୨ କିମ୍ବା ତା ଠାରୁ କମ୍ ପିଲାଥିବା ଅବିଭାବକ ସହ ପିଲାମାନଙ୍କ ପାଇଁ ଏହି ବିଧେୟକରେ ଅନେକ ସୁବିଧା ସୁଯୋଗ ଯୋଗାଇବା ବ୍ୟବସ୍ଥା ଦିଆଯାଇଛି। ଏହି ପର୍ଯ୍ୟାୟରେ ସାମିଲ ଥିବା ଅବିଭାବକ ମାନେ ସରକାରୀ ଚାକିରି କରିଥିଲେ ସେମାନଙ୍କୁ ଦରମାରେ ଅଧିକ ୨ଟି ପରିବର୍ଦ୍ଧନ/ପ୍ରୋତ୍ସାହନ ରାଶି (ଇନ୍‌କ୍ରିମେଣ୍ଟ) ଦିଆଯିବ। ଏହାସହ ପଦୋନ୍ନତି ମିଳିବ। ଏପରିକି ପୂରା ଦରମା ସହିତ ୧୨ ମାସର ମାତୃତ୍ୱ କିମ୍ବା ପିତ୍ୃତ୍ୱ ଛୁଟି ମିଳିବ। ଅନ୍ୟ ପଟେ ଯାହା ପାଖରେ ସରକାରୀ ଚାକିରି ନାହିଁ, ସେମାନଙ୍କୁ ପାଣି, ବିଜୁଳି, ଗୃହ ଋଣ, ଗୃହ ଟିକସ ଭଳି କ୍ଷେତ୍ରରେ ବହୁବିଧ ସୁବିଧା ପ୍ରଦାନ କରାଯିବା ବିଧେୟକରେ ବ୍ୟବସ୍ଥା କରାଯାଇଛି।
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସ୍ବେଚ୍ଛାସେବୀ ସଂସ୍ଥା(ଏନଜିଡିଓ) ଓ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମାଧ୍ୟମରେ ଗର୍ଭ ନିରୋଧକ ବଟିକା ଓ ପରିବାର ନିୟୋଜନ ସାମଗ୍ରୀ ବାଣ୍ଟିବେ। ଏଥିସହିତ ଜନ ସଚେତନତା ସୃଷ୍ଟି କରିବେ। ପ୍ରତି ଗର୍ଭଧାରଣକୁ ପଞ୍ଜୀକରଣ କରାଯିବା ବାଧ୍ୟତାମୂଳକ। ଏହା ସହିତ ମାଧ୍ୟମିକ ଶ୍ରେଣୀରେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ବିଷୟବସ୍ତୁ ପାଠ୍ୟକ୍ରମରେ ସାମିଲ କରାଯିବ।
ମୁଖ୍ୟମନ୍ତ୍ରୀ ନୂଆ ଜନସଂଖ୍ୟା ନୀତି ଜାରି କରି କହିଛନ୍ତି କି ଏବେ ସାରା ବିଶ୍ୱ ବଢୁଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରଥମେ ସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି। ଏହାସହ ରାଜ୍ୟ ସରକାର ଆଣିବାକୁ ଯାଉଥିବା ବିଲରେ ସବୁ ଧର୍ମ ଓ ସବୁ ବର୍ଗର ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଇଛି। ଏହା ସମସ୍ତଙ୍କ ଜୀବନରେ ସୁଖ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜନସଂଖ୍ୟା ବୃଦ୍ଧି ବିକାଶର ପ୍ରତିବନ୍ଧକ। କେବଳ ରାଷ୍ଟ ବିଶ୍ବ, ରାଷ୍ଟ୍ର କିମ୍ବା ରାଜ୍ୟ ନୁହେଁ; ଖୋଦ୍ ପରିବାର ପାଇଁ ମଧ୍ୟ ଏହା ଅନେକ ସମସ୍ୟା ସୃଷ୍ଟି କରିଆସୁଛି। ବିଶେଷକରି ମହିଳା ଓ ଶିଶୁଙ୍କ ବିକାଶ ଓ ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷା କ୍ଷେତ୍ରରେ ପରିବାର ସଂଖ୍ୟା ବୃଦ୍ଧି ସମସ୍ୟା ସୃଷ୍ଟି କରୁଛି। ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

Comments are closed.