ପ୍ରଗତିରେ ପ୍ରତିବନ୍ଧକ ଜନସଂଖ୍ୟା ବିସ୍ଫୋରଣ : ଦଶନ୍ଧିରେ ବଢ଼ିଛି ୫୧ ଲକ୍ଷ

ଏବେ ରାଜ୍ୟରେ ୪.୭୦ କୋଟି, ବାର୍ଷିକ ବୃଦ୍ଧି ୫.୧%, ଦେଶରେ ୧୩୯ କୋଟି ଛୁଇଁବ

ଭୁବନେଶ୍ୱର : ଆସନ୍ତାକାଲି ବିଶ୍ବ ଜନସଂଖ୍ୟା ଦିବସ। ଭାରତର ସବୁଠୁ ବୃହତ୍ ତଥା ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ଆସନ୍ତାକାଲିଠାରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଆମେ ଦୁଇ ଓ ଆମର ଦୁଇ’ ନୀତି ଲାଗୁ ପାଇଁ ପ୍ରସ୍ତୁତି କରିବା ସହିତ ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଖସଡ଼ା ପ୍ରସ୍ତୁତ କରିସାରିଛନ୍ତି। କେନ୍ଦ୍ର ସରକାର ଦୃଷ୍ଟିରେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ଏକ ପ୍ରାଥମିକତା ବୋଲି ସ୍ପଷ୍ଟ କରାଯାଇଛି। ତେବେ ଓଡ଼ିଶାରେ ଜନସଂଖ୍ୟା ନିୟନ୍ତ୍ରଣ ହାର ଭଲ ସ୍ଥିତିରେ ଥିବା କୁହାଯାଇଛି।
ପ୍ରଜନନ କ୍ଷମତା ଉପରେ କରୋନାର ପ୍ରଭାବ ଚଳିତ ବର୍ଷର ଜନସଂଖ୍ୟା ଦିବସର ବିଷୟବସ୍ତୁ ରହିଛି। କରୋନା ମହାମାରୀ ବିଶ୍ବର ଜନସଂଖ୍ୟା ବୃଦ୍ଧି ଉପରେ କି ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ଗତ ୧୦ ବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଖୁବ୍ ଭଲ ସ୍ଥିତିରେ ଥିବା କୁହାଯାଉଛି।
ଗତ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଜନସଂଖ୍ୟା ପ୍ରାୟ ୫୧ ଲକ୍ଷ ୨୫ ହଜାର ବୃଦ୍ଧି ଘଟିଛି। ୨୦୧୧ ଜନଗଣନାରେ ରାଜ୍ୟର ମୋଟ ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ଥିଲା। ୨୦୨୧ ଜୁଲାଇ ୧ ବେଳକୁ ଏହା ୪ କୋଟି ୭୦ ଲକ୍ଷ ଛୁଇଁଥିବା ସ୍ବାସ୍ଥ୍ୟ ସତର୍କତା ଓ ପରିସଂଖ୍ୟାନ ନିର୍ଦେଶାଳୟର ଆନୁମାନିକ ଆକଳନରୁ ଜଣାପଡିଛି। ଅନ୍ୟ ରାଜ୍ୟ ତୁଳନାରେ ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଥିବା କୁହାଯାଉଛି।
ଜନସଂଖ୍ୟା କ୍ଷେତ୍ରରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୧ ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା ୧୨୫.୦୩ କୋଟି ଥିଲା। ସେତେବେଳେ ଚୀନର ଜନସଂଖ୍ୟା ୧୩୪.୪୧ କୋଟି ରହିଥିଲା। ୨୦୨୧ ଜନଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିଲା; କିନ୍ତୁ କରୋନା ମହାମାରୀ ଯୋଗୁଁ ଜନଗଣନା ହୋଇପାରିଲାନାହିଁ। ଆଧାର କାର୍ଡ ତଥ୍ୟକୁ ନେଇ ଆନୁମାନିକ ଆକଳନ କରାଯାଇଛି ଯେ, ୨୦୨୧ ଜୁଲାଇ ୧ ସୁଦ୍ଧା ଦେଶର ଜନସଂଖ୍ୟା ୧୩୯ କୋଟି ୩୫ ଲକ୍ଷ ୩୧ ହଜାର ୨୫୭ ଅର୍ଥାତ ପାଖାପାଖି ୧୪୦ କୋଟି ବୋଲି ଭାରତ ସରକାରଙ୍କ ୟୁନିକ୍‍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‍ ଇଣ୍ଡିଆ (ୟୁଆଇଡିଏଆଇ) ତଥ୍ୟାନୁଯାୟୀ ଆକଳନ ହୋଇଛି।
ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ମୋଟ ଜନସଂଖ୍ୟା ୪ କୋଟି ୧୯ଲକ୍ଷ ୭୪ ହଜାର ୨୧୮ ଥିଲା। ୨୦୨୧ ଜୁଲାଇ ପହିଲା ବେଳକୁ ଜନସଂଖ୍ୟା ପ୍ରାୟ ୪ କୋଟି ୭୦ ଲକ୍ଷ ୯୯ ହଜାର ୨୭୦କୁ ଛୁଇଁଥିବା ଆକଳନ କରାଯାଇଛି। ଅର୍ଥାତ ୧୦ ବର୍ଷରେ ଜନସଂଖ୍ୟା ୫୧ ଲକ୍ଷ ୨୫ ହଜାର ୫୨ ବଢିଥିବା ଅନୁମାନ କରାଯାଉଛି। ଅର୍ଥାତ ବାର୍ଷିକ ୫.୧ ଲକ୍ଷ ଜନସଂଖ୍ୟା ବୃଦ୍ଧି ହୋଇଥିବା କୁହାଯାଉଛି। ପ୍ରତି ପରିବାର ଗୋଟିଏ କିମ୍ବା ୨ଟି ସନ୍ତାନକୁ ଅଧିକ ପସନ୍ଦ କରୁଛନ୍ତି। ରାଜ୍ୟରେ ସାକ୍ଷରତା ହାର ମଧ୍ୟ ବୃଦ୍ଧି ପାଇଛି। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ସାକ୍ଷରତା ହାର ୭୨.୯ ପ୍ରତିଶତ ଥିବାବେଳେ ୨୦୨୧ ବେଳକୁ ଏହା ୭୭.୩ ପ୍ରତିଶତକୁ ବୃଦ୍ଧି ପାଇଥିବା ଆକଳନ ହୋଇଛି।
ଏନେଇ ସ୍ବାସ୍ଥ୍ୟ ସତର୍କତା ଓ ସ୍ବାସ୍ଥ୍ୟ ପରିସଂଖ୍ୟାନ ନିର୍ଦେଶାଳୟ ନିର୍ଦେଶକ ଡ. ରାମଚନ୍ଦ୍ର ରାଉତ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସବୁସ୍ତରରେ ସଚେତନା ରହିଛି। ଯଦିଓ ସାଧାରଣ ଭାବେ ଦେଶର ଜନସାଧାରଣ ବୃଦ୍ଧି ପାଉଛି, ତଥାପି ଜନସଂଖ୍ୟା ନିୟନ୍ତ୍ରଣ ଗୋଟିଏ ଦେଶ ତଥା ରାଜ୍ୟ ପ୍ରଗତି ପାଇଁ ପ୍ରଥମ ଆବଶ୍ୟକତା। ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଲେ ଏହା ସମ୍ବଳ ଉପରେ ଚାପ ବଢାଇଥାଏ। ବିକାଶକୁ ମନ୍ଥର କରିଦିଏ। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. କିରଣବାଳା ପାତ୍ର କହିଛନ୍ତି, ରାଜ୍ୟରେ ଜନସଂଖ୍ୟା ହ୍ରାସ ଏକ ସୁସ୍ଥ ବାତାବରଣ ପ୍ରକାଶ କରୁଛି। ଜନସଂଖ୍ୟା କମିବା ଦ୍ବାରା ଜଣେ ବ୍ୟକ୍ତି ସହଜରେ ସମସ୍ତ ପ୍ରକାର ସୁବିଧା ପାଇପାରିବ। ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଗର୍ଭଧାରଣ ପାଇଁ ମହିଳାଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ। କମ ବୟସରୁ ଗର୍ଭଧାରଣ କରିବା ଦ୍ବାରା ମହିଳା ରୋଗରେ ପଡୁଛନ୍ତି।

 

Comments are closed.