ବିଶ୍ବ କବିତା ଦିବସ

ସୂର୍ଯ୍ୟ ମିଶ୍ର : ମଣିଷ ଜାତିର ଆଦିପର୍ବରେ ହୁଏତ ଉଚ୍ଚାରିତ ହୋଇଥିଲା କବିତାର ପ୍ରଥମ ପଂକ୍ତି। ହର୍ଷ-ଉଲ୍ଲାସ-ବିଷାଦ-କାରୁଣ୍ୟ-ଆଲୋଡନ-ବିସ୍ମୟ-ଦ୍ବନ୍ଦ୍ବ-ସଂଶୟ-ବିପତ୍ତି-ବଲକ୍ଷଣ-ସମ୍ପଦ-ବିପଦ-ଉଚ୍ଚାଟନ ଇତ୍ୟାଦିରୁ କ୍ଷରିତ ହୋଇଥିଲା କବିତାର ମୂଳଭୂତ ଉଚ୍ଚାରଣ। କ୍ରମେକ୍ରମେ ଏହି ସୃଜନପ୍ରେରଣା ସଂକ୍ରମିତ ହୋଇ ବିବର୍ତ୍ତନର ଇତିହାସରେ ସମସ୍ତ ସଭ୍ୟତାର ମହିମାନ୍ବିତ କଳାତ୍ମକ ବିଶେଷତ୍ବ ଭାବରେ ପ୍ରକଟିତ ହୋଇଥିଲା। ପ୍ରତିଟି ସଭ୍ୟତାର ମହାକାବ୍ୟ ସେହି ଜାତି ଓ ସଂସ୍କୃତିକୁ ଐଶ୍ବର୍ଯ୍ୟମଣ୍ଡିତ କରିଆସିଛି। ସମୟକ୍ରମେ ଋଷିର ଉଚ୍ଚାରଣ କାବ୍ୟିକ ରୂପ ପରିଗ୍ରହ କରି ମନ୍ତ୍ର ହୋଇଛି ଓ ଆଧ୍ୟାତ୍ମିକତାର ଜୟଗାନ କରିଛି।

ଭାରତ ପୃଷ୍ଠଭୂମି​‌ରେ କବିତାର ବିଶେଷ ମର୍ଯ୍ୟାଦା ସବୁବେଳେ ସ୍ବୀକାର କରାଯାଇଛି। ମହାଭାରତ, ରାମାୟଣଠାରୁ ଆରମ୍ଭ କରି ବେଦ-ଉପନିଷଦ୍‌ ଆମ ମହାଭାରତୀୟ ସ୍ବପ୍ନ, ସମ୍ଭାବନା, ମହାଦାକାଂକ୍ଷା ଓ ବିଶ୍ବଦୃଷ୍ଟିର ପ୍ରମାଣ ବାହନ କରିଆସିଛନ୍ତି। ଭାରତ ଭଳି ବିବିଧତାପୂର୍ଣ୍ଣ, ଭାଷିକ ସ୍ବାତନ୍ତ୍ର୍ୟସମ୍ବଳିତ ଏକ ଦେଶରେ କବିତାର ଆଦର ସବୁବେଳେ ପ୍ରଶସ୍ତ ଓ ଅନୁଶୀଳନ ସାପେକ୍ଷ ହୋଇରହିଛି। କବିତାର ପ୍ରଶସ୍ତି ପ୍ରଶସ୍ତ ହୋଇଚାଲିଛି। ୭୦ ଦଶକରେ ଭାରତରେ କବିତା ପ୍ରକାଶନ କେବଳ ଡାକଲଫାପାରେ ପ୍ରେରିତ ହୋଇ ହାତଗଣତି ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲାବେଳେ ଏବେ ଭାରତୀୟ କବିତାର କ୍ଷେତ୍ର ପରିସର ବ୍ୟାପକ ହୋଇଛି। ସୋସିଆଲ ମିଡିଆରେ କବିତା, ହଜାରହଜାର ପାଠକ, ଲକ୍ଷାଧିକ ପସନ୍ଦର ଶୋଭାଯାତ୍ରାରେ କବିତା ଆଗେଇ ଚାଲିଛି।
କବି ହୋଇଯିବାଟା କେବଳ କବିତା ଲେଖିବା ନୁହେଁ, ବରଂ ମଣିଷ ଜାତିର ସ୍ବପ୍ନ ଓ ସଙ୍କଳ୍ପକୁ, ନୂଆ ପୃଥିବୀର ଭବିଷ୍ୟତ ନିର୍ମାଣ-କଳାକୁ ଆପଣା ପରମ୍ପରା, ଭାଷା, ଭାବ, ସାଂସ୍କୃତିକ ଓ ସମ୍ପଦଗୁଡ଼ିକର ପ୍ରବନ୍ଧନରେ ଅଧିକ ଉଚ୍ଚାରିତ କରିବାର ମାନସିକତା ଅର୍ଜନ କରିବା। ସେତେବେଳେ ହିଁ ସାରା ପୃଥିବୀ ହେବ କବିତାମନସ୍କ, ପୁଣି କବିତା ହୋଇଯିବ ପୃଥିବୀମନସ୍କ। କବିତାର ଜୟ ସବୁକାଳେ ଘୋଷିତ।

 

Comments are closed.