ଶାସ୍ତ୍ରୀୟ ସ୍ୱୀକୃତି ଅପେକ୍ଷାରେ ଓଡ଼ିଶୀ ସଙ୍ଗୀତ, ଚିଠି ଲେଖି ସରକାର ଚୁପ୍‌

ଭୁବନେଶ୍ୱର: ନିଷ୍ପତ୍ତି ନେବାକୁ ସରକାର ଅଛନ୍ତି l ମଙ୍ଗ ଧରିବାକୁ ସଂସ୍କୃତି ବିଭାଗ ରହିଛି। ପଦକ୍ଷେପ ଗ୍ରହଣ କରିବାକୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ରହିଛି। ପରିଚାଳନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ରହିଛି। ଶିକ୍ଷାଦାନ ନିମନ୍ତେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସହ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି। ଅନେକ ଗୁରୁ ଅଛନ୍ତି, ମଞ୍ଚ ଓ ମଣ୍ଡପରେ କାର୍ଯ୍ୟକ୍ରମର ଦସ୍ତାବିଜ ରହିଛି। ଏହା ସତ୍ତ୍ବେ ଓଡ଼ିଶୀ ସଙ୍ଗୀତକୁ କାହିଁକି ମିଳୁନି ଶାସ୍ତ୍ରୀୟ ସ୍ୱୀକୃତି ? କୋଉଠି ରହିଛି ସମସ୍ୟା ? ବିଶ୍ୱ ସଙ୍ଗୀତ ଦିବସରେ ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି l

ଆଜି ବିଶ୍ୱ ସଙ୍ଗୀତ ଦିବସ

ଆମ ଅସ୍ମିତାର ପ୍ରତୀକ ତଥା କୋଟି ଓଡ଼ିଆର ସ୍ୱତନ୍ତ୍ର ପରିଚୟ ଓଡ଼ିଶୀ ସଙ୍ଗୀତ। କିନ୍ତୁ ଏହାକୁ ଦୀର୍ଘ ବର୍ଷ ଧରି ଉପେକ୍ଷା କରାଯାଇ ଆସୁଛି। ଏହି ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ଦିଗରେ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ କି କୌଣସି ଅଧିକାରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ l କ୍ୟାବିନେଟ୍‌ ନିଷ୍ପତ୍ତି ଆଧାରରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ; ମାତ୍ର ଚିଠି ଲେଖାକୁ ୧୨ ମାସ ବିତିଲା, ହେଲେ କାର୍ଯ୍ୟପନ୍ଥା ଆଗେଇଲା ନାହିଁ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଉପରେ ଯେଉଁଭଳି ଚାପ ପ୍ରୟୋଗ କରାଯିବା କଥା ସେପରି କରାଯାଇନାହିଁ। ସଂସ୍କୃତି ବିଭାଗ ଯେମିତି ନିରବଦ୍ରଷ୍ଟା ସାଜିଛି। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି ମର୍ମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ଅପେକ୍ଷା ରହିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ନିଷ୍ପତ୍ତିକୁ। ତେବେ ସଂସ୍କୃତି ବିଭାଗର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶୀ ଗବେଷକ, କଣ୍ଠଶିଳ୍ପୀ, ସମୀକ୍ଷକ ଏବଂ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଯେଉଁଠି ଓଡ଼ିଶୀ ସଙ୍ଗୀତ ଶିକ୍ଷା ଦିଆଯାଉଛି ସେଠାରେ ଏବେ ଶିକ୍ଷା ପାଇଁ ଅଧ୍ୟାପକଙ୍କ ଅଭାବ ରହିଛି l ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସାଙ୍ଗକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗରେ ଅନେକ ପଦ ଫାଙ୍କା ରହିଛି। ସେହିପରି ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଉଟସୋର୍ସିଂରେ କାର୍ଯ୍ୟ ତଥା ଶିକ୍ଷାଦାନ କରାଯାଉଛି। ଏହା ଦୁର୍ବଳ ଭିତ୍ତିଭୂମିକୁ ସୂଚାଉଛି। ‘ସମାଜ’ ପକ୍ଷରୁ ‘ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି’ ଶୀର୍ଷକ ମତାମତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଗବେଷକ, ଶିଳ୍ପୀ ଏବଂ ବରିଷ୍ଠ ଅଧିକାରୀ ରାଜ୍ୟ ସରକାର ଏହାକୁ ପ୍ରସଙ୍ଗ ଭାବେ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି, କରୋନା ଯୋଗୁଁ କାର୍ଯ୍ୟରେ ଶିଥିଳତା ଦେଖାଦେଇଛି l ଏ ସମ୍ପର୍କରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି l ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ କହିଛନ୍ତି, ଏନେଇ କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ କହିଛନ୍ତି, ଗୁରୁଙ୍କ ମତକୁ ନେଇ ଦସ୍ତାବିଜ୍‌ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କୁ ବିଭାଗ ଜରିଆରେ ପ୍ରଦାନ କରାଯିବ।

Comments are closed.