ଆଜି ବିଶ୍ୱ ମାତୃଭାଷା ଦିବସ

୧୯୪୭ ମସିହାରେ ଭାରତର ବିଭାଜନ ପରେ ପାକିସ୍ତାନ ସରକାର ତତ୍କାଳୀନ ପୂର୍ବ-ପାକିସ୍ତାନ ଲୋକଙ୍କ ଉପରେ ଉର୍ଦ୍ଦୁ ଭାଷାକୁ ସରକାରୀ ଭାଷା ରୂପେ ଲଦି ଦେଲେ, କିନ୍ତୁ ସେମାନଙ୍କ ମାତୃଭାଷା ଥିଲା ବଙ୍ଗଳା। ତେଣୁ ଭାଷାକୁ ନେଇ ୧୯୪୮ ମସିହାରୁ ସେଠାରେ ଛାତ୍ରମାନଙ୍କ ନେତୃତ୍ବରେ ଆନ୍ଦୋଳନ ମୁଣ୍ଡ ଟେକିଲା। ପରିଣାମ ସ୍ୱରୂପ ୧୯୫୨ ମସିହା ଫେବୃଆରୀ ୨୧ ତାରିଖ ଦିନ ଚାରିଜଣ ଛାତ୍ର ସହିଦ ହୋଇଗଲେ। ପୂର୍ବ-ପାକିସ୍ତାନ ସ୍ୱାଧୀନ ବାଂଲାଦେଶ ହେବା ପରେ ବଙ୍ଗଳାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ମିଳିଲା। ପ୍ରାଣ ବଳି ଦେଇଥିବା ଚାରି ଜଣ ଯୁବକଙ୍କ ସ୍ମୃତିରେ ବାଂଲାଦେଶରେ ସହିଦ ମୀନାର ନିର୍ମିତ ହେଲା। ଏହି ଘଟଣାକୁ ଆଧାର କରି ୧୯୯୯ ମସିହାରେ ୟୁନେସ୍କୋ ଦ୍ୱାରା ଏହି ଦିବସକୁ ‘ବିଶ୍ୱ ମାତୃଭାଷା ଦିବସ’ ରୂପେ ପାଳନ କରିବା ପାଇଁ ଘୋଷଣା କରାଗଲା। ତହିଁ ପର ବର୍ଷ, ଅର୍ଥାତ ୨୦୦୦ ମସିହାଠାରୁ ସାରା ବିଶ୍ୱରେ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖକୁ ‘ବିଶ୍ୱ ମାତୃଭାଷା ଦିବସ’ ରୂପେ ପାଳନ କରାଯାଉଛି। ଏହି ଅବସରରେ ଆମ ମାତୃଭାଷା ସମ୍ପର୍କରେ ଆଲୋଚନା କରିବାର ଅବସର ଆସିଛି।

ଖ୍ରୀ:ପୂ ୨ୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖରୁ ଏବଂ ସମ୍ରାଟ ଖାରବେଳଙ୍କ ଖଣ୍ଡଗିରି ଶିଳାଲେଖରୁ ଓଡ଼ିଆ ଭାଷାର ସୂଚନା ଓ ପ୍ରାଚୀନତାର ପ୍ରମାଣ ମିଳେ। ପ୍ରାଚୀନତା ଓ ମୌଳିକତା ଆଧାରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ଏକ ପ୍ରାଚୀନ ଭାଷା ହୋଇଥିଲେ ମଧ୍ୟ ଅଣ-ଓଡ଼ିଆ ଏବଂ ବିଦେଶୀ ଭାଷାର ପ୍ରଭାବ ଆମ ଭାଷା ଓ ସଂସ୍କୃତିକୁ ବିପନ୍ନ କରୁଛି। ତେବେ ଏପରି ସଂକଟର ହେତୁ କ’ଣ ତାହା ଆଜି ଚିନ୍ତା କରିବାର ସମୟ ଆସିଛି। ଏଥିପାଇଁ ଇଂରେଜୀ ଭାଷାର ଆକର୍ଷଣ ଯେତିକି ଦାୟୀ, ଓଡ଼ିଆ ଭାଷାରେ ଶିକ୍ଷାଦାନ ପଦ୍ଧତିର କ୍ରମକ୍ଷୟିଷ୍ଣୁ ମାନ ମଧ୍ୟ ସେତିକି ଦାୟୀ। ମାତୃଭାଷାର ବହୁଳ ବ୍ୟବହାର ଓ ପ୍ରଚାର ପ୍ରସାର ନିମନ୍ତେ ଉଦାସୀନତା ଅନ୍ୟତମ କାରଣ। ଭାଷାର ସଙ୍କଟ ହେଲେ, ଜାତିର ସଙ୍କଟ ଆସେ- ଏ କଥା ଆମେ ବୁଝିବା ଉଚିତ୍। ଓଡ଼ିଶା ହେଉଛି ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ। ପ୍ରଥମେ ଭାଷା ସୁରକ୍ଷିତ ହେଲେ, ପରମ୍ପରା ଓ ସଂସ୍କୃତି ଧୀରେଧୀରେ, ପୁନର୍ଜୀବିତ ହେବ। ଏପରି ଏକ ପରିସ୍ଥିତିରେ ଆମେ ଅଭିଭାବକମାନେ ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ରହିଛି। ଆମ ପିଲାଏ ଇଂରାଜୀ କିମ୍ବା ଓଡ଼ିଆ ଯେଉଁ ବିଦ୍ୟାଳୟରେ ପଢ଼ନ୍ତୁ ନା କାହିଁକି, ଘରେ ସେମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିମନସ୍କ କରିବାର ଦାୟିତ୍ୱ ଆମର।

Comments are closed.