ଆତ୍ମହତ୍ୟାପ୍ରବଣତାର ପ୍ରତିକାର

ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ

ସମୟ ଥିଲା ଭାରତ ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକତାର ଦିଗ୍‌ଦର୍ଶନ ଦେଉଥିଲା, ବଞ୍ଚିବାର କଳା ଶିଖାଉଥିଲା, ଯାହାର ଚିନ୍ତା ଓ ଚେତନାରେ ଥିଲା- ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁଃ…।’ ଦୁର୍ଭାଗ୍ୟର କଥା; ଆଜି ସେହି ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ପ୍ରତିବର୍ଷ ପରିସଂଖ୍ୟାନକୁ ସମୀକ୍ଷା କଲେ ଯୁବରାଷ୍ଟ୍ର ଭାରତ ଏବେ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପାଲଟିଛି। ପ୍ରତି ୪୦ ସେକେଣ୍ଡ ବ୍ୟବଧାନରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୨୦ ମସିହା ବେଳକୁ ଏହି ବ୍ୟବଧାନ ପ୍ରତି ୨୦ ସେକେଣ୍ଡରେ ଆତ୍ମହତ୍ୟା କାରଣରୁ ଗୋଟିଏ ଜୀବନ ଦୀପ ଲିଭୁଥିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଲାଣି। ତଥ୍ୟ ଅନୁଯାୟୀ, ପୃଥିବୀରେ ବର୍ଷକୁ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ଭାରତରେ ଏଇ ସଂଖ୍ୟା ୨ ଲକ୍ଷରୁ ଅଧିକ। ଉଦ୍‌ବେଗଜନିତ ତଥ୍ୟ ହେଉଛି ପ୍ରତିବର୍ଷ ଭାରତରେ ଏହି ପ୍ରତିଶତ ବଢୁଛି।
ଦୈନିକ ଓଡ଼ିଶାରେ ମଧ୍ୟ ଏକାଧିକ ଆତ୍ମହତ୍ୟା ଘଟୁଥିବା ଆମେ ଖବରକାଗଜ କିମ୍ବା ଟେଲିଭିଜନ୍ ଚାନେଲରୁ ଜାଣିବାକୁ ପାଉଛେ। ବଡ଼ କଥାଟି ହେଲା ୧୫-୨୯ ଓ ୧୫-୩୯ ବର୍ଷ ବୟସ୍କ ଯୁବକ-ଯୁବତୀ ଆତ୍ମହତ୍ୟା ଭଳି ଘୃଣିତ ତଥା ଚରମ ନିଷ୍ପତ୍ତି ନେଇ ଜୀବନ ହାରିବା। ପ୍ରତି ଆତ୍ମହତ୍ୟା ଖବର ପଛରେ ୧୦ଟି କାହାଣୀ ଓ ପ୍ରତି କାହାଣୀର ୧୦ଟି ଦିଗ ଭିତରେ ରହିଛି ଜୀବନ ହାରିବା ଭଳି ଗୋଟିଏ କ୍ରୂର ସତ୍ୟ। ତେବେ କାହିଁକି ଘଟୁଛି ଏଭଳି ସ୍ଥିତି? ଏହା ପଛର କାରଣ କ’ଣ? କିଭଳି ରୋକାଯାଇପାରିବ ଏହି ଆଧୁନିକ ମହାମାରୀକୁ?
କିଏ ପରୀକ୍ଷାରେ ବିଫଳ ତ’ ଆଉ କେହି ପ୍ରେମରେ ପ୍ରତାରିତ, ଚାଷ ଉଜୁଡିବାଠାରୁ ଦାମ୍ପତ୍ୟ କଳହ ଭଳି ଘଟଣା ଆତ୍ମହତ୍ୟାର କାରଣ ପାଲଟିଛି। ଏସବୁ ପଛରେ ରହିଛି ମାନସିକ ବିଷାଦ ତଥା ଡିପ୍ରେସନ୍‌। ମଣିଷ ଜୀବନରେ ସୁଖ, ଦୁଃଖ, ଚାପ ତଥା ଏକୁଟିଆପଣ ଅନୁଭବ କରିଥାଏ। ତେବେ ମସ୍ତିଷ୍କ ଏଇ ସବୁ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଈଶ୍ବର ମଣିଷକୁ ଦେଇଛନ୍ତି ଧୈର୍ଯ୍ୟ ଓ ଲଢିବାର ଶକ୍ତି; ମାତ୍ର କ୍ଷଣିକ ବିଷାଦ ଓ ଚାପକୁ ସହ୍ୟ ନ କରି ବ୍ୟକ୍ତିଟି ଆତ୍ମହତ୍ୟା କରିବା ଦୁର୍ଭାଗ୍ୟଜନକ। ଚାପ ତଥା ବିଷାଦ ହେଉଛି ଏକ ଯନ୍ତା। ଏଇ ଯନ୍ତା ଭିତରେ ଚାପଗ୍ରସ୍ତ ବ୍ୟକ୍ତିଟି ରହି ନିଜକୁ ବାହାର ଦୁନିଆଠାରୁ ଅଲଗା ଦେଖେ। ଅନ୍ୟମାନଙ୍କୁ ଖୁସି ଦେଖୁଥିବାବେଳେ ନିଜକୁ ବିଷାଦରେ ବୁଡାଇ ରଖିଥାଏ। ତାକୁ ଲାଗେ ତା’ ଜୀବନର ମୂଲ୍ୟ କିଛି ନାହିଁ। ଏଭଳି ମାନସିକତା ତାକୁ ଅନ୍ଧକାରର କୂଅ ଆତ୍ମହତ୍ୟା ଆଡ଼କୁ ଠେଲିଦିଏ।
ଆଜିକାଲି ମଣିଷ ଏକ ମେସିନ୍ ପାଲଟିଛି। ଦୈନନ୍ଦିନର ଧାଁ ଦଉଡ ଓ ପ୍ରତିଦ୍ବନ୍ଦ୍ବିତାମୂଳକ ଜୀବନ ତାକୁ ମାନବିକ ମୂଲ୍ୟବୋଧଠାରୁ ଦୂରେଇ ଦେଇଛି। ବ୍ୟକ୍ତିଟି ଭାବୁଛି ଭୌତିକ ସମ୍ପତ୍ତି, ପରୀକ୍ଷାରେ ଶତ ପ୍ରତିଶତ ସଫଳତା, ସାମାଜିକ ମାନ୍ୟତା ତା’ ପାଇଁ ଜୀବନର ଖୁସି ଅପେକ୍ଷା ଅଧିକ ଗୁରୁତ୍ବ ରଖେ। ସେଥିପାଇଁ ଗଧ ଖଟଣି ଖଟୁଛି ଆଜିର ପିଢି। ବାହ୍ୟ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେଉନି। ଫଳରେ ଜୀବନର ଆନନ୍ଦକୁ ସେ ଭୁଲିଯାଇଛି। ଭାରତ ଏକ ବିକାଶଶୀଳ ରାଷ୍ଟ୍ର। ବିଭିନ୍ନ କ୍ଷେତ୍ରରେ ଆମେ ପ୍ରଗତି କରୁଛେ। ଇଜ୍‌ ଅଫ୍ ଡୁଇଙ୍ଗ୍‌ ବିଜିନେସ୍‌ରେ ଆମର ଉତ୍ଥାନ ହୋଇଛି ସତ; ମାତ୍ର ବିଶ୍ବ ହାପିନେସ୍ ଇଣ୍ଡେକ୍ସ(ଆନନ୍ଦ/ଖୁସି ସୂଚକାଙ୍କ)ରେ ଆମର ସ୍ଥିତି ଆଜି ୧୪୦ ତମ ସ୍ଥାନରେ। ଆମ ଯୁବପିଢି ଭୌତିକ ସଫଳତା ନିଶାରେ ଏତେ ବ୍ୟସ୍ତ ଓ ବିବ୍ରତ ଯେ, ଜୀବନର ମୂଳଲକ୍ଷ୍ୟ ଖୁସି ରହିବାକୁ ଆମେ ପୂରାପୂରି ଅଣଦେଖା କରୁଛେ। ଭାରତରେ ପ୍ରତିଭାର ଅଭାବ ନାହିଁ; ବରଂ ଖୁସି ରହିବାର ଅଭାବପଣ ଦେଖାଯାଉଛି।
ଏସବୁ ଦିଗରେ ଆମେ ଆଶାବାଦୀ ହେବା। ଆଜି ବିଶ୍ବ ମାନସିକ ଦିବସ। ଚଳିତବର୍ଷର ଥିମ୍‌ ରହିଛି ଆତ୍ମହତ୍ୟାର ପ୍ରତିକାର। ଆତ୍ମହତ୍ୟାର ମୂଳ କାରଣ ବିଷାଦ ତଥା ମାନସିକ ଅବସାଦ। ଏହା ଏକ ମାନସିକ ରୋଗ। ମସ୍ତିଷ୍କର ରସାୟନିକ ଅସନ୍ତୁଳନ ଯୋଗୁଁ ଏହା ଦେଖାଯାଏ। ବିଷାଦଗ୍ରସ୍ତ ବ୍ୟକ୍ତିର ମନ ଦୁଃଖୀ ହୋଇପଡେ। ନିଜକୁ ସେ ସବୁଠୁ ଦୁର୍ବଳ ଓ ଅକମର୍ଣ୍ୟ ଅନୁଭବ କରେ। ଦୁଇ ସପ୍ତାହ ଧରି ଯଦି ଏଭଳି ଲକ୍ଷଣ ଦେଖାଯାଏ, ତେବେ ସାଇକୋଥେରାପି ଜରିଆରେ ବ୍ୟକ୍ତିର ଚିକିତ୍ସା କରିବା ଉଚିତ। ଧୀରେ ଧୀରେ ତାକୁ ସକାରାତ୍ମକ ବାତାବରଣକୁ ଫେରାଇ ଆଣିବାକୁ ପଡିବ। ବିଷାଦ ବଢିଲେ ଆତ୍ମହତ୍ୟା ବିପଦ ବଢିଥାଏ। ତେଣୁ ଯେତେ ଶୀଘ୍ର ସମ୍ଭବ ଚିକିତ୍ସା ଦ୍ବାରା ଏହାର ଉପଶମ କରିବାକୁ ପଡିଥାଏ।
ଗୋଟିଏ କମ୍ପ୍ୟୁଟରର ସଫ୍ଟୱେର/ଅପରେଟିଂ ସିଷ୍ଟମ୍‌ ଭଳି ମସ୍ତିଷ୍କ ବା ମନ ସବୁକିଛି ସମ୍ଭାଳିଥାଏ। ଯଦି ଏହା ଭାଇରସ୍‌ ଆକ୍ରାନ୍ତ ହୁଏ, ତେବେ କଂପ୍ୟୁଟରର କୌଣସି ପ୍ରୋଗ୍ରାମ୍‌ ବା ଫାଇଲ୍‌ ଖୋଲେନାହିଁ। ଅନୁରୂପ ଭାବେ ମଣିଷ ଯଦି ବିଷାଦ ତଥା ଅବସାଦଗ୍ରସ୍ତ ହୋଇପଡେ, ତେବେ ଏହା ସଂପୂର୍ଣ୍ଣ ମସ୍ତିଷ୍କକୁ ଅକମର୍ଣ୍ୟ କରିପକାଏ। ତୁରନ୍ତ ମାନସିକ ଚିକିତ୍ସା ଦ୍ବାରା ବ୍ୟକ୍ତି ସୁସ୍ଥ ଲାଭ କରେ। ଏଭଳି ଚିକିତ୍ସା ଅବଶ୍ୟ ସମୟ ସାପେକ୍ଷ; ମାତ୍ର ସଂପ୍ରତି ନୂତନ ଗବେଷଣା, ଚିକିତ୍ସା ପଦ୍ଧତି ଏ କ୍ଷେତ୍ରରେ ଅନେକ ସଫଳତା ଆଣିଛି। ଏଦିଗରେ ଓଡ଼ିଶାର ସମସ୍ତ ମନୋଚିକିତ୍ସକଙ୍କ ନିଷ୍ଠା, ସ୍ପର୍ଦ୍ଧା ଓ ସୃହା ପ୍ରଶଂସନୀୟ। ଜୀବନ ଆମର ନୁହେଁ; ଈଶ୍ବର ପ୍ରଦତ୍ତ। ଏହାକୁ ଅକାଳେ ନଷ୍ଟ କରିବାର ଅଧିକାର ଆମର ନାହିଁ। ଅତଏବ ଆଜିର ଦିବସରେ ଏତିକି କହିବା- ସର୍ବେ ଭବନ୍ତୁ ସୁଖୀନଃ..। ସମସ୍ତେ ଖୁସି ରୁହନ୍ତି; କାରଣ ଖୁସି ହିଁ ସଫଳତାର ଅସଲ ଚାବିକାଠି।
ଡାକ୍ତର ଲଗ୍ନଜିତ୍‌ ଦାଶ,
କନ୍‌ସଲଟାଣ୍ଟ ନ୍ୟୁରୋସାଇକ୍ୟାଟ୍ରିଷ୍ଟ
ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ

Comments are closed.