ମାନବିକ ଅଧିକାରକୁ ମଜବୁତ କରିବା ସମାଜର ସାମୂହିକ ଦାୟିତ୍ୱ

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗରେ ବିଶ୍ୱ ମାନବାଧିକାର ଦିବସ ପାଳିତ

ଭୁବନେଶ୍ୱର: ମାନବାଧିକାର ଆଇନରେ ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଓ ଶିକ୍ଷା ଭଳି ଅଧିକାର ସାମିଲ ହୋଇଛି। ଏହା ମଣିଷର ଜନ୍ମଗତ ଅଧିକାର। ଯଦ୍ୱାରା ମଣିଷ ଜାତି, ରାଷ୍ଟ୍ରୀୟତା, ଧର୍ମ ଓ ଲିଙ୍ଗ ଆଧାରରେ ସେମାନଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ। ତୃଣମୂଳ ସ୍ତରରେ ଫଳପ୍ରଦ ଭାବେ ମାନବିକ ଅଧିକାରକୁ ମଜବୁତ କରିବା ସମାଜର ସାମୂହିକ ଦାୟିତ୍ୱ। ଲୋକମାନେ ନିଜର ଅଧିକାର ପ୍ରତି କିଭଳି ସଚେତନ ରହିବେ ସେହି ଉଦ୍ଦେଶ୍ୟ ନେଇ ମାନବାଧିକାର ଦିବସ ପାଳନ କରାଯାଏ । ଯେତେବେଳେ ଆମେ ସମସ୍ତଙ୍କୁ ସାର୍ବଜନୀନ ଅଧିକାର ଦେବାପାଇଁ ଆଗଭର ହେବା ଓ ଏ କ୍ଷେତ୍ରରେ ଥିବା ତ୍ରୁଟିଗୁଡ଼ିକର ସୁଧାର ପାଇଁ ଆମର ଆତ୍ମସମୀକ୍ଷା କରିବା ମାନବିକ ଅଧିକାର ଦିବସ ପାଳନ ସେତେବେଳେ ସଫଳ ହେବ। ମହିଳା ଓ ମାନବ ଚାଲାଣକାରୀଙ୍କ ନିର୍ଯ୍ୟାତନା ବଢ଼ି ବଢ଼ି ଚାଲିଛି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ଆଜିର ଦିବସର ମୂଳ ଉଦ୍ଦେଶ୍ୟ ବୋଲି ବକ୍ତାମାନେ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପକ୍ଷରୁ ଆୟୋଜିତ ବିଶ୍ବ ମାନବାଧିକାର ଦିବସ ପାଳନ ଅବସରରେ ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ମାନବାଧିାର ଦିବସ ବିଷୟରେ ଅନେକ ତଥ୍ୟଭିତ୍ତିକ ଉପାଦେୟ ଓ ଶିକ୍ଷା ସମ୍ବଳିତ ବିଷୟବସ୍ତୁ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନବାଧିକାର କେଉଁ ଭଳି ଭାବରେ ସୁରକ୍ଷିତ ରହିବ ଏବଂ ସେଥିପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଥିବା ଆଇନ୍‌ଗତ ସୁବିଧା ସୁଯୋଗଗୁଡ଼ିକ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଆଇନ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଢ଼ୁଆଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗବେଷକ ଗିରୀଶ ରଞ୍ଜନ ସାହୁ, ସ୍ୱପ୍ନା ବିଜୟିନୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅଧ୍ୟାପିକା ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଛାତ୍ରୀ ଶ୍ରଦ୍ଧା ସେଠ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମିଳିତ ଜାତିସଂଘ ପକ୍ଷରୁ ୧୯୫୦ ମସିହାରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ କରାଯାଉଛି। ୧୯୪୮ ମସିହା ଡିସେମ୍ବର ମାସର ଆଜିର ଦିନରେ ଜାତିସଂଘ ସାଧାରଣ ପରିଷଦ ମାନବାଧିକାର ସାର୍ବଭୌମ ଘୋଷଣା ପତ୍ରକୁ ଅନୁମୋଦନ କରିଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ମାନବାଧିକାର ଦିବସ ପାଳନ କରାଯାଉଛି।

Comments are closed.