ବିଶ୍ବ ମାନ୍ୟତାର ୪ର୍ଥ ସ୍ଥାନରେ ଭାରତୀୟ ପୁରୁଷ ହକି ଦଳ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ ତରଫରୁ ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ପୁରୁଷ ହକି ଦଳ ୪ନଂରେ ରହିଛି। ୨୦୦୩ରୁ ହକି ମାନ୍ୟତା ଆରମ୍ଭ ହେବା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳର ଏହା ସର୍ବଶ୍ରେଷ୍ଠ ମାନ୍ୟତା।
ଏଫ୍ଆଇଏସ୍ ହକି ପ୍ରୋ ଲିଗ୍ର ଦ୍ବିତୀୟ ସଂସ୍କରଣରେ ଭାରତୀୟ ଦଳ ଉଚ୍ଚକୋଟିର ପ୍ରଦର୍ଶନ କରିଥିବାରୁ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ୪ନଂରେ ରହିଥିବା ଜଣାପଡ଼ିଛି। ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୪ନଂରେ ପହଞ୍ଚିଥିବା ବେଳେ ଅଲିମ୍ପିକ୍ ଚମ୍ପିଆନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ ତଳକୁ ଖସି ୫ନଂରେ ରହିଛି।
ଗତ ଜାନୁଆରୀରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିବା ବେଲ୍ଜିୟମ ସଦ୍ୟ ପ୍ରକାଶିତ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରକିଛି। ଅଷ୍ଟ୍ରେଲିଆ ମାନ୍ୟତାର ୨ୟ ସ୍ଥାନରେ ରହିଥିବା ବେଳେ ନେଦରଲାଣ୍ଡ୍ସ ୩ନଂରେ ରହିଛି। ଜର୍ମାନୀ ୬ଷ୍ଠ ଓ ଇଂଲଣ୍ଡ ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟୀ ହୋଇଥିବା ନ୍ୟୁଜିଲାଣ୍ଡ ପୂର୍ବପରି ୮ନଂରେ ରହିଥିବା ବେଳେ ସ୍ପେନ ୯ନଂରେ ରହିଛି।
ମହିଳା ବିଭାଗ ମାନ୍ୟତାରେ ଭାରତୀୟ ଦଳ ୯ନଂରେ ରହିଥିବା ବେଳେ ନେଦରଲାଣ୍ଡ୍ସ ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଦ୍ବିତୀୟ, ଆର୍ଜେଣ୍ଟିନା ତୃତୀୟ, ର୍ଜମାନୀ ଚତୁର୍ଥ ଓ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି। ସୂଚନାଥାଉକି ଚଳିତବର୍ଷ ପ୍ରାରମ୍ଭରୁ ଏଫଆଇଏଚ୍ ବିଶ୍ବ ମାନ୍ୟତା ନିର୍ଦ୍ଧାରଣରେ ନୂଆ ପଦ୍ଧତି ଗ୍ରହଣ କରାଯାଉଛି। ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ଅନୁଯାୟୀ ଦଳକୁ ମାନ୍ୟତା ପ୍ରଦାନ କରାଯାଉଥିବା ବେଳେ ୨୦୨୦ରୁ ପ୍ରତି ମ୍ୟାଚ୍ ଅନୁଯାୟୀ ଦଳକୁ ପଏଣ୍ଟ ପ୍ରଦାନ କରାଯାଇ ମାନ୍ୟତା ନିର୍ଦ୍ଧାରଣ କରାଯାଉଛି।