ବିଶ୍ବକପ୍: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍ ଆଜି

ଲଣ୍ଡନ୍: ଦମ୍ଭ, ଦକ୍ଷତା ଓ ଫର୍ମରେ ବଳଶାଳୀ ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ଖେଳିବା ଲାଗି ଇଂଲଣ୍ଡରେ ପହଞ୍ଚି ସାରିଛି। ୨ ଦିନ ଅଭ୍ୟାସ କରିବା ପରେ ଶନିବାର ଭାରତୀୟ ଦଳ ମୁକାବିଲାକୁ ଓହ୍ଲାଇବ। ତେବେ ଏହା ପ୍ରକୃତ ମୁକାବିଲା ନୁହେଁ। ଗତ ବିଶ୍ବକପ୍‌ର ସେମିଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଶନିବାର ଅଭ୍ୟାସ ମ୍ୟାଚ୍ ଖେଳିବ। ଭାରତୀୟ ବ୍ୟାଟିଂ ଲାଇନ୍‌ର ୪ନଂ ସ୍ଥାନ ନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି। ଏହି ସ୍ଥାନ ପାଇଁ ଉପଯୁକ୍ତ ବ୍ୟାଟ୍‌ସମ୍ୟାନ୍ କିଏ; ତା’ର ୨ଟି ଅଭ୍ୟାସ ମ୍ୟାଚ୍‌ରେ ତାହା ଜାଣିବାର ପ୍ରୟାସ ବିରାଟ କୋହଲିଙ୍କ ଦଳ କରିବ। ଏହାସହ ଏହି ଅଭ୍ୟାସ ମ୍ୟାଚ୍‌ ଜରିଆରେ ଇଂଲଣ୍ଡର ପିଚ୍ ଓ ବାତାବରଣ ସହ ନିଜକୁ ଖାପ୍ ଖୁଆଇବାକୁ ଚାହିଁବେ ଭାରତୀୟ ଖେଳାଳି। ସୂଚନାଯୋଗ୍ୟ; ୨୮ରେ ବାଂଲାଦେଶ ବିପକ୍ଷରେ ଭାରତ ୨ୟ ଅଭ୍ୟାସ ମ୍ୟାଚ୍ ଖେଳିବ। ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ।
କେନିଙ୍ଗ୍‌ଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଖେଳାଯିବାକୁ ଥିବା ଏହି ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ଧ୍ୟାନ ନିଶ୍ଚିତ ଭାବେ ଏହାର ଅତି କୁଶଳୀ ବୋଲିଂ ଲାଇନ୍ ଉପରେ ରହିବ। ତେବେ ମୁଖ୍ୟ ଧ୍ୟାନ ରହିବ ଦୁଇ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ କେ.ଏଲ୍‌. ରାହୁଲ ଓ ବିଜୟ ଶଙ୍କରଙ୍କ ଉପରେ। ଉଭୟ ବ୍ୟାଟ୍‌ସମ୍ୟାନ୍ ଦଳର ବ୍ୟାଟିଂ ଲାଇନ୍‌ର ୪ନଂ ସ୍ଥାନ ପାଇଁ ଦାବିଦାର। ସମସ୍ତ ପ୍ରତିଯୋଗୀ ଦଳ ପରସ୍ପର ବିପକ୍ଷରେ ଲିଗ୍ ପର୍ଯ୍ୟାୟରେ ଖେଳିବାର ଥିବାରୁ ଏହି ବିଶ୍ବକପ୍‌କୁ ସବୁଠାରୁ ଆହ୍ବାନପ୍ରଦ ବିଶ୍ବକପ୍ ବୋଲି କୁହାଯାଉଛି। ତେବେ ୨ ଥର ବିଶ୍ବ ଚମ୍ପିଆନ ଭାରତ ଆତ୍ମବିଶ୍ବାସର ସହ ଏହି ବିଶ୍ବକପ୍ ଖେଳିବାକୁ ଇଂଲଣ୍ଡରେ ପହଞ୍ଚିଛି। ୧୯୮୩ ଓ ୨୦୧୧ରେ ଭାରତ ବିଶ୍ବକପ୍ ଜିତିଥିଲା। ଆଇସିସି ଦିନିକିଆ ମାନ୍ୟତାରେ ଏବେ ଆୟୋଜକ ଇଂଲଣ୍ଡ ପଛକୁ ଭାରତ ୨ୟ ସ୍ଥାନରେ ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ଭାରତକୁ ଏହି ବିଶ୍ବକପ୍‌ର ଅନ୍ୟତମ ଫେଭରିଟ୍‌ ଭାବେ ବିବେଚନା କରାଯାଉଛି। ପ୍ରତିପକ୍ଷ ଦଳର ସମସ୍ତ ନଜର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ ସତ; ଭାରତୀୟ ପେସ୍ ଆକ୍ରମଣ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେବେ ସେମାନେ ଇଂଲଣ୍ଡ ବାତାବରଣର କିପରି ଫାଇଦା ଉଠାଉଛନ୍ତି; ତାହା ଉପରେ ସମସ୍ତ ନଜର ରହିଛି। ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ବର କୁମାର ବିଶ୍ବର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ପରିଗଣିତ। ଏମାନଙ୍କ ସହ ମିଡିୟମ୍ ପେସର ହାର୍ଦିକ ପାଣ୍ଡ୍ୟା ଏବଂ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ରହିଛନ୍ତି। ଦୁଇ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାୱନ ବିଶ୍ବର ଦୁଇ ଶ୍ରେଷ୍ଠ ଦିନିକିଆ ଓପ୍‌ନର। ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବଙ୍କ ସହ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍ ହାର୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତି ଯୋଗୁଁ ଭାରତୀୟ ବ୍ୟାଟିଂ ଶକ୍ତି ପ୍ରତିପକ୍ଷଙ୍କୁ ସଜାଗ କରିବ।
ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର କହିଛନ୍ତି ଯେ କୌଣସି ଦୁର୍ବଳ ଦଳ ଅପେକ୍ଷା ଭାରତ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବା ନ୍ୟୁଜିଲାଣ୍ଡ ପାଇଁ ଶୁଭଖବର। ଭାରତୀୟ ଦଳ ମଧ୍ୟ ଅନୁରୂପ ଭାବୁଛି। କାରଣ ଦିନିକିଅା କ୍ରିକେଟରେ ନ୍ୟୁଜିଲାଣ୍ଡ ଅନ୍ୟତମ ଶକ୍ତିଶାଳୀ ଦଳ ଏବଂ ଆସନ୍ତା ବିଶ୍ବକପ୍‌ର ଏହା ଡାର୍କ ହର୍ସ। ନ୍ୟୁଜିଲାଣ୍ଡ ଫେବୃୟାରୀ ୧୯ରେ ବାଂଲାଦେଶ ବିପକ୍ଷରେ ତା’ର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିବାରୁ ଭାରତ ବିପକ୍ଷ ଏହି ମ୍ୟାଚ୍ ଖେଳିବାକୁ ଅନାଇ ବସିଛି। ଭାରତୀୟ ଦଳରେ କିଛି ପରୀକ୍ଷାନିରୀକ୍ଷା କରାଯିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହି ସାରିଲେଣି।

Comments are closed.