ବିଶ୍ୱକପ୍‌ ହକି ପୂର୍ବରୁ ଝଲସିବ ମୁଖଶାଳା

ରାଉରକେଲା: ବିଶ୍ୱକପ୍‌ ୨୦୨୩କୁ ଦୃଷ୍ଟିରେ ରଖାଯାଇ ରାଉରକେଲା ସ୍ମାର୍ଟ ସିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କୋଟିକୋଟି ଟଙ୍କା ବ୍ୟୟରେ ସହରକୁ ସର୍ବାଙ୍ଗ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି। ରାଉରକେଲାର ମୁଖଶାଳା ସଦୃଶ ପାନପୋଷ, ହକିଛକ ଅଞ୍ଚଳ ଆଗାମୀ ଦିନରେ ଝଲସିବାକୁ ଯାଉଛି।

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ହେବାପରେ ରାଉରକେଲାର ହକିଛକ ପାଲଟିବ ମୁଖ୍ୟ ପ୍ରବେଶପଥ। ଏବେକାର ବ୍ରାହ୍ମଣୀ ସେତୁ ଯଦିଓ ପରିଚୟ ହରାଇବ ନାହିଁ, ତଥାପି ଏହି ରାସ୍ତା ରାଜ୍ୟ ପୂର୍ତ୍ତବିଭାଗ ଅଧୀନକୁ ଆସି ଏଠାରେ ହାଲୁକା ଯାନ ଗୁଡ଼ିକର ଚଳାଚଳ ବ୍ୟବସ୍ଥା ରହିବ। ପାନପୋଷ ଗାନ୍ଧୀଛକ, ହକିଛକ ଏବଂ ଆଖପାଖ ଅଞ୍ଚଳ ସହିତ କେତେକ ସଡ଼କକୁ ବିକଶିତ କରାଯାଇ ସହରକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ରାଉରକେଲା ମହାନଗର ନିଗମ ଯୋଜନା ପ୍ରଣୟନ କରିଛି।

ତଦନୁଯାୟୀ, ହକି ଛକରୁ ପ୍ରାୟ ୧୧ ହଜାର ବର୍ଗମିଟର ପରିମିତ ଅଞ୍ଚଳକୁ ବିକଶିତ କରାଯିବ। ଏହି ପ୍ରକଳ୍ପ ଅଞ୍ଚଳରେ ତିନିଟି ପ୍ରମୁଖ ରାସ୍ତା ସହିତ ହକିଛକ ଆଖପାଖ ଅଞ୍ଚଳର ଉନ୍ନତିକରଣ କରାଯିବ। ଏଥି ସକାଶେ ୨ଟି ଟେଣ୍ଡର କରାଯାଇ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହାର କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେବ। ସ୍ମାର୍ଟସିଟି କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ମତରେ ଆଗାମୀ ବର୍ଷ ପରେ ପରେ ରାଉରକେଲା ସହରର ଚେହେରା ବଦଳି ଯାଇଥିବ। ଏହି ବିକାଶ ପ୍ରକ୍ରିୟାରେ ବିର୍ସାଛକ ଯାଏ ଯାଇଥିବା ଘେରି ବନ୍ଧ ଅଂଶକୁ ରାଉରକେଲା ଇସ୍ପାତ କାରଖାନା ଠାରୁ ମହାନଗର ନିଗମ କର୍ତ୍ତୃପକ୍ଷ ନେବା ସହିତ ଏହି ରାସ୍ତାର ଉଭୟ ପାର୍ଶ୍ବକୁ ମଧ୍ୟ ବିକଶିତ କରାଯାଉଛି। ଭୁବନେଶ୍ୱର ଭଳି ଏଠାରେ ମଧ୍ୟ ରାସ୍ତାକଡ଼ରେ ବସିବା ବ୍ୟବସ୍ଥା, ଆକର୍ଷଣୀୟ କୀର୍ତ୍ତିରାଜି ଏବଂ ସବୁଜିମାର ବିକାଶ କରାଯାଉଛି।

ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ବିମାନ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରଖା ଯାଇଛି। ଏବେ ହକି ଛକରୁ ହନୁମାନ ବାଟିକା ଦେଇ ବିଶ୍ରା ଛକ ଯାଏ ରହିଥିବା ଅଞ୍ଚଳର ବିକାଶ ସହିତ ଆରଏମ୍‌ସି ଅଧୀନରେ ଥିବା ଆଭ୍ୟନ୍ରୀଣ ଅଂଶର ବିକାଶ ପ୍ରକ୍ରିୟା ଜାରି ରହିଛି। ବିମାନବନ୍ଦର ନିକଟରେ ହେବାକୁ ଥିବା ବସଷ୍ଟାଣ୍ଡ ସକାଶେ ଜମି ଦେବା ଛଡ଼ା ଏଯାଏଁ କିଛି କାମ ହାତକୁ ନିଆଯାଇନଥିବା ଜଣାପଡ଼ିଛି। ଆଗାମୀ ଦିନରେ ବିମାନବନ୍ଦର ଠାରୁ ସେକ୍ଟର-୧୪ ଓ ୮, ଆମବାଗାନ ଦେଇ ବିଶ୍ରାଛକ ଯାଏ ଅଂଶର ବିକାଶ ଆରଏସ୍‌ପି କରିବାକୁ ମତପ୍ରକାଶ ପାଉଛି।

Comments are closed.