ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ : ଚଳିତ ବିଶ୍ବକପ୍‌ରେ ପ୍ରଥମ ବିପର୍ଯ୍ୟୟ ରବିବାର ଦେଖିବାକୁ ମିଳିଛି। ବିଶ୍ବ ମାନ୍ୟତାରେ ୩ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ୨୧ ରନ୍‌ରେ ପରାସ୍ତ କରିଛି ୭ମ ମାନ୍ୟତାପ୍ରାପ୍ତ ବାଂଲାଦେଶ। ଉଭୟ ବ୍ୟାଟିଂ ଓ ବୋଲିଂରେ ଉତ୍ସାହୀ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଦଳକୁ ବାଂଲାଦେଶ ଧରାଶାୟୀ କରିଛି। ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୬ ୱିକେଟରେ ୩୩୦ ରନ୍ କରିଥିଲା। ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ସାକିବ୍ ଅଲ୍ ହାସନ୍ ଓ ମୁସ୍‌ଫିକୁର ରହିମ୍ ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍‌ସମ୍ୟାନ ଉପଯୋଗୀ ଯୋଗଦାନ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକାକୁ ଆଶାଠାରୁ ଅଧିକ ୩୩୧ ରନ୍‌ର ପିଛା କରିବାକୁ ପଡ଼ିଥିଲା। ଅଧିନାୟକ ଫାଫ୍ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୩୦୯ ରନ୍ କରି ପାରିଥିଲା। ଦକ୍ଷିଣ ଆଫ୍ରିକା କ୍ରମାଗତ ୨ୟ ପରାଜୟ ବରଣ କରିଛି। ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି।
ଦକ୍ଷିଣ ଆଫ୍ରିକାର ଓପ୍‌ନର ଧିରେସୁସ୍ଥେ ତଥା ଦୃଢ଼ତାର ସହ ୩୩୧ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୧୦ମ ଓଭରରେ ସ୍କୋର୍ ୪୯ ରନ୍ ହୋଇଥିବା ବେଳେ କ୍ବିଣ୍ଟନ ଡି କକ୍ ରନ୍‌ଆଉଟ ହୋଇଯିବା ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତ ଧକ୍କା ଥିଲା। ବାମହାତି ଡି କକ୍ ୩୨ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍ କରିଥିଲେ। ୨ୟ ୱିକେଟ ବେଶ୍ ଫଳପ୍ରସୂ ହୋଇଥିଲା। ଐଡେନ ମାର୍କରାମ ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୧୦ ଓଭରରେ ୫୩ ରନ୍ ଯୋଡ଼ିଥିଲେ। ମାର୍କରାମ୍ ୫୬ ବଲ୍‌ରୁ ୪ଟି ଚୌକା ସହ ୪୫ ରନ୍ କରିଥିଲେ। ବାଂଲାଦେଶ ସ୍ପିନର ନିୟମିତ ଭାବେ ଭଲ ଲାଇନ୍‌ ଲେଙ୍ଗ୍‌ଥରେ ବୋଲିଂକରି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଉପରେ ଚାପ ପକାଇଥିଲେ। ଡୁ ପ୍ଲେସି ଓ ଡେଭିଡ୍ ମିଲର ୭ ଓଭରରେ ୪୫ ରନ୍ ଯୋଡ଼ିଥିଲେ। ଷ୍ଟ୍ରୋକ୍ ଖେଳିବା ଆରମ୍ଭ କରିଥିବା ବେଳେ ଡୁ ପ୍ଲେସି ଆଉଟହେବା ଦଳକୁ ଚାପରେ ପକାଇଥିଲା। ଡୁ ପ୍ଲେସି ୫୩ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୬୨ ରନ୍ କରିଥିଲେ। ଡେଭିଡ୍ ମିଲର ୪୩ ବଲ୍‌ରୁ ୨ଟି ଚୌକା ସହ ୩୮ ରନ୍ କରିଥିଲେ। ରାସି ଭାନ୍ ଡର୍ ଡ୍ୟୁସେନ୍ ଓ ଜେପି ଡ୍ୟୁମିନି ସ୍କୋର୍‌କୁ ୨୨୮ ରନ୍‌ରେ ପହଞ୍ଚାଇବା ପରେ ଭାନ୍ ଡର୍ ଡ୍ୟୁସେନ୍ ୩୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୧ ରନ୍‌କରି ଆଉଟ ହୋଇଥିଲେ। ଏବେ ଜେପି ଡ୍ୟୁମିନି ଓ ଆନ୍ଦିଲେ ଫେଲୁକ୍ବାୟୋ ସ୍କୋର୍‌କୁ ଆଗେଇବାର ପ୍ରୟାସ କରିଥିବା ବେଳେ ଆବଶ୍ୟକ ରନ୍ ହାର ବଢ଼ିବାରେ ଲାଗିଥିଲା। ଫେଲୁକ୍ବାୟୋ ୧୩ ବଲ୍‌ରୁ ୮ ରନ୍ କରି ପାରିଥିଲେ। କ୍ରିସ୍ ମରିସ୍ କ୍ରିଜ୍‌କୁ ଆସିଥିବା ବେଳେ ଶେଷ ୫ ଓଭରରୁ ୬୩ ରନ୍ ଆବଶ୍ୟକ ଥିଲା। ମରିସ୍ ୧୦ ବଲ୍‌ରୁ ୧୦ ରନ୍‌କରି ଆଉଟ ହୋଇଥିଲେ। ୩ ଓଭରରୁ ୪୪ ରନ୍ ଆବଶ୍ୟକ ଥିବା ବେଳେ ଡ୍ୟୁମିନି ଆଉଟ ହୋଇଯିବା ନିର୍ଣ୍ଣାୟକ ହୋଇଥିଲା। ୩୭ ବଲ୍‌ରୁ ୪ଟି ଚୌକା ସହ ଡ୍ୟୁମିନି ୪୫ ରନ୍ କରିଥିଲେ। ମୁସ୍ତାଫିଜୁର ରେହ୍‌ମାନ ୩ଟି ଓ ମହମ୍ମଦ ସୈଫୁଦ୍ଦିନ୍ ୨ଟି ୱିକେଟ ନେଇଥିଲେ।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ବାମହାତି ଓପ୍‌ନର ସୌମ୍ୟ ସରକାର ଆକ୍ରମଣାତ୍ମକ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକାକୁ ଚକିତ କରି ଦେଇଥିଲେ। ୪ ଓଭରରେ ୧୪ ରନ୍ ହୋଇଥିବା ବେଳେ ୫ମ ଓଭରରୁ ସୌମ୍ୟ ଆକ୍ରମଣ କରିଥିଲେ। ଫଳରେ ଆରମ୍ଭରୁ ବାଂଲାଦେଶ ଓଭର ପିଛା ୭ ରନ୍ ହାରରେ ସ୍କୋର୍ କରିଥିଲା। ଓପ୍‌ନିଂ ଯୋଡ଼ି ୪୯ ବଲ୍‌ରୁ ୬୦ ରନ୍‌ ଭାଗିଦାରୀ କରି ଦୃଢ଼ ମୂଳଦୁଆ ପକାଇଥିଲେ। ତମିମ୍ ଇକ୍‌ବାଲ ୨୯ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌କରି ବିଦାୟ ନେଇଥିଲେ। ୨ୟ ୱିକେଟ ପାଇଁ ସୌମ୍ୟ ସରକାର ଓ ସାକିବ୍ ଅଲ୍‌ ହାସନ୍ ଦ୍ରୁତ ୧୫ ରନ୍ ଯୋଡ଼ିଥିଲେ। ସୌମ୍ୟ ସରକାର ଆକର୍ଷଣୀୟ ବ୍ୟାଟିଂକରି ୩୦ ବଲ୍‌ରୁ ୯ଟି ଚୌକା ସହ ୪୨ ରନ୍ କରିଥିଲେ। ଏହାପରେ ଦୁଇ ପୂର୍ବତନ ଅଧିନାୟକ ସାକିବ୍ ଅଲ୍ ହାସନ୍ ଓ ମୁସ୍‌ଫିକୁର ରହିମ୍‌ଙ୍କ ମଧ୍ୟରେ ମାରାଥନ୍ ଭାଗିଦାରୀ ହୋଇଥିଲା; ଯାହା ଫଳରେ ବାଂଲାଦେଶ ବଡ଼ ସ୍କୋର୍ କରି ପାରିଥିଲା। ଦୁହେଁ ଦୁର୍ବଳ ବଲ୍‌କୁ ଅପେକ୍ଷା କରି ପ୍ରହାର କରିଥିଲେ। ଦୁହେଁ ୨୩.୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଏବଂ ୧୪୨ ରନ୍‌ର ଭାଗିଦାରୀ କରିଥିଲେ। ବାମହାତି ସାକିବ୍ ଅଲ୍‌ ହାସନ୍ ୮୪ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୭୫ ରନ୍‌କରି ବିଦାୟ ନେଇଥିଲେ। ପରେ ମହମ୍ମଦ ମିଠୁନ୍ ଆସି ୨୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ମୁସ୍‌ଫିକୁର ରହିମ୍ ୪୩ତମ ଓଭରରେ ଆଉଟ ହୋଇଥିଲେ। ରହିମ୍ ୮୦ ବଲ୍‌ରୁ ୮ଟି ଚୌକା ସହ ୭୮ ରନ୍ କରିଥିଲେ। ଅଭିଜ୍ଞ ମହମ୍ମଦୁଲ୍ଲା ଓ ମୋସାଦେକ୍ ହୋସେନ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ବାଂଲାଦେଶ ଶେଷ ୮ ଓଭରରୁ ୮୦ ରନ୍ ନେଇ ପାରିଥିଲା। ମୋସାଦେକ୍ ୨୦ ବଲ୍‌ରୁ ୪ଟି ଚୌକା ସହ ୨୬ ରନ୍ କରିଥିଲେ। ମହମ୍ମଦୁଲ୍ଲା ୩୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୬ ରନ୍‌କରି ଅପରାଜିତ ରହିଥିଲେ। ଆନ୍ଦିଲେ ଫେଲୁକ୍ବାୟୋ, କ୍ରିସ୍ ମରିସ୍ ଓ ଇମ୍ରାନ୍ ତାହିର ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.