ବିଶ୍ୱ ମସ୍ତିଷ୍କ ଦିବସରେ ସଚେତନତା

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗୁରୁବାର ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବେଣ୍ଟପଦା ଅଙ୍ଗନବାଡି କେନ୍ଦ୍ରଠାରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଶରୀରର ସର୍ବଶ୍ରେଷ୍ଠ ଅଙ୍ଗ ମସ୍ତିଷ୍କର କାର୍ଯ୍ୟ ଓ ଏହାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ।

୧୯୫୭ମସିହାରୁ ପ୍ରତିବର୍ଷ ଜୁଲାଇ ୨୨ତାରିଖରେ ବିଶ୍ୱ ସ୍ନାୟୁ ଫେଡେରେସନ ଦ୍ୱାରା ଏହି ଦିବସଟିକୁ ବିଶ୍ୱ ମସ୍ତିଷ୍କ ଦିବସ ଭାବେ ପାଳନ କରାଯାଉଛି। ଏହାକୁ ମଗଜ, ଭେଜା, ବୁଦ୍ଧି, ଇନ୍ଦ୍ରିୟବୋଧ, ବୋଧଶକ୍ତି ଓ ଭାବନାର କେନ୍ଦ୍ରସ୍ଥଳି କୁହାଯାଏ। ମସ୍ତିଷ୍କ ବିନା ନିର୍ଦ୍ଦେଶରେ ଶରୀରରେ କୌଣସି କାର୍ଯ୍ୟ ସଂପାଦିତ ହୋଇପାରେ ନାହିଁ। ତେଣୁ ମସ୍ତିଷ୍କ ହେଉଛି ଶରୀରର ସର୍ବଶ୍ରେଷ୍ଠ ଅଙ୍ଗ। ଚିନ୍ତା, ଚେତନା, ସ୍ମୃତି, ଆବେଗ ଓ ଭାବପ୍ରବଣତା ଇତ୍ୟାଦିର ପରିପ୍ରକାଶ ମସ୍ତିଷ୍କ ଦ୍ୱାରା ହିଁ ହୋଇଥାଏ। ମସ୍ତିଷ୍କର ୭୯ ଭାଗ ହେଉଛି ଜଳ ଓ ଅନ୍ୟ ଅଂଶ ସ୍ନାୟୁ କୋଷରେ ପରିପୂର୍ଣ୍ଣ। ୩୦ ଶହ କୋଟି ସ୍ନାୟୁ ରହିଛି ଯାହା ସାରା ଶରୀରରେ ବିଚ୍ଛେଇ ହୋଇ ରହିଛି। ମଣିଷର ସୁସ୍ଥତା ଅନେକ ସମୟରେ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁଜନିତ ରୋଗ ଦେଖାଗଲେ ତୁରନ୍ତ ସ୍ନାୟୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ଲାଗି ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। ବେଣ୍ଟପଦା ସରପଞ୍ଚ କନକଲତା ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ଧରିତ୍ରୀ ସ୍ୱାଇଁ ଆଶାକର୍ମୀ ଅବନ୍ତି ସାହୁ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.