ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୫% ରହିବ: ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧ ହାର ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ଅନୁମାନ କରିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଘରୋଇ ନିବେଶ ବୃଦ୍ଧି, ଉତ୍ପାଦନରେ ସୁଧାର, ଚାହିଦା ବୃଦ୍ଧି ସହ ଦରଦାମରେ ହ୍ରାସ ଯୋଗୁଁ ଭାରତର ଅଭିବୃଦ୍ଧି ହାର ୭.୫% ରହିବ। ତେବେ ୨୦୧୮-୧୯ ଆର୍ଥିକ ବର୍ଷରେ ଏସିଆର ଜିଡିପି ଅଭିବୃଦ୍ଧି ହାର ୭.୨% ରହିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ପ୍ରଥମ ତ୍ରୈମାସରେ ଉଦ୍ୟୋଗିକ ଅଭିବୃଦ୍ଧି ୭.୯% ରହିବ। ସେବା କ୍ଷେତ୍ରରେ ଜିଡିପିର ଅଭିବୃଦ୍ଧି ହ୍ରାସକୁ ଉଦ୍ୟୋଗିକ ଅଭିବୃଦ୍ଧି ଭରଣା କରିବ। ସେହିପରି କୃଷି କ୍ଷେତ୍ରରେ ଜିଡିପି ଅଭିବୃଦ୍ଧି ହାର ୪% ରହିବ।
ଏହି ରିପୋର୍ଟରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ପନିପାରିବା ଓ ଖାଦ୍ୟ-ପଦାର୍ଥ ଦରରେ ସୁଧାର ଆସିବ। ପ୍ରାୟ ଖାଦ୍ୟପଦାର୍ଥ ଦରରେ ହ୍ରାସ ଘଟିବ। ଫଳରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୪% ପାଖାପାଖି ରହିବ।

ଭାରତର ରପ୍ତାନୀରେ ସୁଧାର ଆସିବା ସହ ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ହ୍ରାସ ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଚଳନ୍ତା ଖାତା ନିଅଣ୍ଟ ମୋଟ ଜିଡିପିର ୧.୯% ରହିବ ବୋଲି ଅନୁମାନ କରାଯାଇଛି। ଏହାସହ ଆଭ୍ୟନ୍ତରୀଣ କ୍ଷେତ୍ରରେ ଏକୀକୃତ (ରାଜ୍ୟଗୁଡ଼ିକ ସହ) ରାଜକୋଷର ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୬.୨%ରୁ ୬.୦% ଭିତରେ ରହିବ। ୨୦୧୯-୨୦୨୦ ଆର୍ଥିକ ବର୍ଷରେ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ଜିଡିପିର ୩.୪% ରହିବ। ଏହାସହ ସମଯୋଜନା ଭାର ରାଜ୍ୟଗୁଡ଼ିକ ଉପରେ ରହିବ। ୨୦୧୮ ଜୁଲାଇରୁ ଖାଦ୍ୟ-ପଦାର୍ଥ ଦରରେ ହ୍ରାସ, ତେଲ ଦରରେ ହ୍ରାସ ଏବଂ ଡଲାର ତୁଳନାରେ ଟଙ୍କା ବିନିମୟ ଦରରେ ସୁଧାର ଯୋଗୁ ଦରଦାମରେ ହ୍ରାସ ଘଟିଛି। ୨୦୧୮-୧୯ରେ ଭାରତର ମୁଦ୍ରାସ୍ଫୀତି ୩.୫% ଥିଲାବେଳେ ୨୦୧୯ ଫେବୃଆରୀରେ ଭାରତର ମୋଟ ମୁଦ୍ରାସ୍ଫୀତି ୨.୬% ରହିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାସ୍ଫୀତି ଆକଳନ ୪%ରୁ କମ୍‍ ରହିଛି।

Comments are closed.