ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ ଆଜିଠାରୁ : ସ୍ବର୍ଣ୍ଣ ଲକ୍ଷ୍ୟରେ ସିନ୍ଧୁ

ବାସେଲ (ସ୍ବିଜରଲାଣ୍ଡ) :  ବିଶ୍ବ ବ୍ୟାଡ୍‌ମିଣ୍ଟନ୍ ଚମ୍ପିଆନ୍‌ସିପ୍ ସୋମବାରଠାରୁ ଆରମ୍ଭ ହେଉଛି । ଏହି ଚମ୍ପିଆନ୍‌ସିପ୍‌ରେ ସମସ୍ତ ଭାରତୀୟଙ୍କ ନଜର ଦେଶର ୧ନଂ ମହିଳା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପି.ଭି. ସିନ୍ଧୁଙ୍କ ଉପରେ ରହିବ। କାରଣ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ବିଶ୍ବ ଚମ୍ପିଆନ୍‌ସିପ୍‌ରେ କୌଣସି ଭାରତୀୟ ସିନ୍ଧୁଙ୍କ ପରି ପ୍ରଦର୍ଶନ କରି ପାରିନାହାନ୍ତି। ସିନ୍ଧୁ କ୍ରମାଗତ ୨ଟି ବିଶ୍ବ ଚମ୍ପିଆନ୍‌ସିପ୍‌ରେ ରୌପ୍ୟପଦକ ଜିତିଥିବା ବେଳେ ସମାନ ସଂଖ୍ୟକ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ହେଲେ ସ୍ବର୍ଣ୍ଣପଦକ ଜିତିବା ସିନ୍ଧୁଙ୍କ ଭାଗ୍ୟରେ ଜୁଟିନାହିଁ। ତେଣୁ ଏଥର ସିନ୍ଧୁ ସ୍ବର୍ଣ୍ଣ ଜିତି ଦେଶବାସୀଙ୍କ ଆଶା ପୂରଣ କରିବେ ବୋଲି କ୍ରୀଡ଼ାପ୍ରେମୀ ଅପେକ୍ଷା କରିଛନ୍ତି। ୨୪ ବର୍ଷ ବୟସ୍କା ସିନ୍ଧୁ ସର୍ବଦା ବିଶ୍ବ ଚମ୍ପିଆନ୍‌ସିପ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥାଆନ୍ତି।

ତେବେ କ୍ରମାଗତ ୨ ବର୍ଷ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ମହିଳା ସିଙ୍ଗଲ୍‌ସ ଫାଇନାଲରେ ପରାସ୍ତହେବା କଥା ସିନ୍ଧୁ ଭୁଲିନାହାନ୍ତି। ୨୦୧୭ ବିଶ୍ବ ଚମ୍ପିଆନ୍‌ସିପ୍‌ ଫାଇନାଲ କଥା ଭାରତୀୟ କ୍ରୀଡ଼ାପ୍ରେମୀ ଭୁଲିନାହାନ୍ତି। ଜାପାନର ନୋଜୋମି ଓକୁହାରା ମାରାଥନ୍ ୧୧୦ ମିନିଟର ମୁକାବିଲାରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ୨୦୧୮ ବିଶ୍ବ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ମଧ୍ୟ ସିନ୍ଧୁ ପହଞ୍ଚିଥିଲେ। ତେବେ ଅଲିମ୍ପିକ୍‌ ଚମ୍ପିଆନ୍‌ ସ୍ପେନ୍‌ର କାରୋଲିନ୍ ମାରିନ୍ ସ୍ବର୍ଣ୍ଣପଦକ ଜିତିଥିଲେ। ଏଥର ମହିଳା ସିଙ୍ଗଲ୍‌ସରେ ସିନ୍ଧୁଙ୍କୁ ୫ମ ସିଡ୍ ମିଳିଛି। ଗତମାସରେ ଇଣ୍ଡୋନେସିଆ ଓପନ୍‌ରେ ରନର୍ସଅପ୍ ହୋଇ ସିନ୍ଧୁ ଫର୍ମରେ ଥିବାର ପ୍ରମାଣ ଦେଇଛନ୍ତି। ପ୍ରଥମ ରାଉଣ୍ଡରେ ସିନ୍ଧୁଙ୍କୁ ବାଇ ମିଳିଛି। ଚାଇନିଜ୍ ତାଇପେର ପାଇ ୟୁ ପୋ ଓ ବୁଲ୍‌ଗେରିଆର ଲିଣ୍ଡା ଜେଚିରିଙ୍କ ମଧ୍ୟରେ ମୁକାବିଲାର ବିଜେତାଙ୍କ ବିପକ୍ଷରେ ଖେଳି ସିନ୍ଧୁ ତାଙ୍କ ଅଭିଯାନ ଆରମ୍ଭ କରିବେ। ଅନୁମାନ କରାଯାଉଛି ଯେ ସିନ୍ଧୁ ୩ୟ ରାଉଣ୍ଡରେ ଆମେରିକାର ବିୱେନ୍ ଝାଙ୍ଗ୍ ଏବଂ ତାଙ୍କୁ ଜିତିଲେ କ୍ବାର୍ଟରଫାଇନାଲରେ ଚାଇନିଜ୍ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କ ମୁକାବିଲା କରିବେ। ଯଦି ଏହି ମ୍ୟାଚ୍‌ରେ ସିନ୍ଧୁ ବିଜୟୀ ହୁଅନ୍ତି; ତେବେ ସେମିଫାଇନାଲରେ ଅନ୍ୟ ଭାରତୀୟ ସାଇନା ନେହୱାଲଙ୍କ ମୁକାବିଲା କରିପାରନ୍ତି। ତେବେ ସେମିଫାଇନାଲରେ ସିନ୍ଧୁଙ୍କ ମୁକାବିଲା କରିବା ଲାଗି ସାଇନାଙ୍କୁ କଠିନ ପରିଶ୍ରମ କରି ୪ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ୮ମ ସିଡ୍ ସାଇନା ଅଦ୍ୟାବଧି ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ୨ଟି ପଦକ- ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ୍ ଜିତି ପାରିଛନ୍ତି। ସାଇନାଙ୍କୁ ମଧ୍ୟ ପ୍ରଥମ ରାଉଣ୍ଡରେ ବାଇ ମିଳିଛି। ୨ୟ ରାଉଣ୍ଡରେ ସ୍ବିଜରଲାଣ୍ଡର ସାବ୍ରିନା ଜାକେଟ୍‌ ଓ ନେଦରଲାଣ୍ଡ୍‌ସର ସୋରାୟା ଡି ଭିସ୍‌ଙ୍କ ବିଜେତାଙ୍କ ମଧ୍ୟରେ ଖେଳି​‌େ​‌ବ। ଏହାକୁ ଜିତିଲେ ସାଇନା ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍‌ଟଙ୍କୁ ଖେଳିବା ପରେ କ୍ବାର୍ଟରଫାଇନାଲରେ ଚୀନ୍‌ର ଚେନ୍ ୟୁ ଫେଇଙ୍କ ମୁକାବିଲା କରିବେ। ଚେନ୍ ୟୁ ଫେଇ ଚଳିତବର୍ଷ ଅଲ୍‌ଇଂଲଣ୍ଡ ଚମ୍ପିଆନ୍‌ସିପ୍ ଜିତିଛନ୍ତି।

ପୁରୁଷ ସିଙ୍ଗଲ୍‌ସରେ ଭାରତର କିଦାମ୍ବୀ ଶ୍ରୀକାନ୍ତଙ୍କୁ ୭ମ ସିଡ୍ ମିଳିଛି। ସମୀର ବର୍ମାଙ୍କୁ ୧୦ମ ସିଡ୍ ମିଳିଛି। ଏହି ଦୁହିଁଙ୍କୁ ଛାଡ଼ି ପୁରୁଷ ସିଙ୍ଗଲ୍‌ସ ଖେଳିବାକୁ ଯାଉଥିବା ଅନ୍ୟ ଭାରତୀୟ ହେଲେ ପି. ସାଇ ପ୍ରଣିତ। ନିକଟରେ ସାଇ ପ୍ରଣିତ ସ୍ବିସ୍ ଓପନ୍‌ର ଫାଇନାଲରେ ପହଞ୍ଚିଥିଲେ। ସିଙ୍ଗଲ୍‌ସ ଖେଳିବାକୁ ଯାଉଥିବା ୪ର୍ଥ ଭାରତୀୟ ହେଲେ ଏଚ୍.ଏସ୍. ପ୍ରଣୟ। ଗତ ସପ୍ତାହରେ ଥାଇଲାଣ୍ଡ ଓପନ୍‌ରେ ପୁରୁଷ ଡବଲ୍‌ସ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟିଙ୍କଠାରୁ ମଧ୍ୟ ଭାରତ ପଦକର ଆଶାରଖିଛି। ଡବଲ୍‌ସରେ ଅନ୍ୟ ୩ ଭାରତୀୟ ଯୋଡ଼ି ହେଲେ ମନୁ ଅତ୍ରି-ବି. ସୁମିତ ରେଡ୍‌ଡୀ, ଏମ୍.ଆର୍. ଅର୍ଜୁନ-ରାମଚନ୍ଦ୍ର ଶ୍ଳୋକ ଏବଂ ଅରୁଣ ଜର୍ଜ-ସାନ୍ୟାମ୍ ଶୁକ୍ଳା। ମହିଳା ଡବଲ୍‌ସରେ ୩ଟି ଭାରତୀୟ ଯୋଡ଼ି ଖେଳିବ। ସେମାନେ ହେଲେ ଅଶ୍ବିନୀ ପୋନପ୍ପା-ଏନ୍. ସିକ୍କି ରେଡ୍‌ଡୀ, ଜେ. ମେଘନା-ପୂର୍ବିଶା ରାମ ଏବଂ ପୂଜା ଦାଣ୍ଡୁ-ସଞ୍ଜନା ସନ୍ତୋଷ। ମିକ୍ସଡ ଡବଲ୍‌ସରେ ଗୋଟିଏ ଭାରତୀୟ ଯୋଡ଼ି ଖେଳିବ। ଏହି ଯୋଡ଼ି ହେଲା ପ୍ରଣବ ଜେରି ଚୋପ୍ରା ଓ ଏନ୍. ସିକ୍କି ରେଡ୍‌ଡୀ।

Comments are closed.