ଗୋପବନ୍ଧୁ ସେବା ଓ ତ୍ୟାଗର ମୁକ୍ତିମନ୍ତ ସ୍ୱରୂପ

ସେବା ଓ ସେବକ ସପ୍ତାହ ଉପଲକ୍ଷେ ଆଲୋଚନା ଚକ୍ର ‘ ସ୍ମୃତିରେ ପୁଣ୍ୟାତ୍ମା’

ମାଲକାନଗିରି : ଓଡିଆ ଜାତିର ସର୍ବାଙ୍ଗିନ ଉନ୍ନତି ପାଇଁ ଯେଉଁ କେତେଜଣ ମହାପୁରୁଷ ନିଜ ଜୀବନକୁ ସମର୍ପିତ କରିଥିଲେ ତନ୍ମଧ୍ୟରୁ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ। ଓଡିଆ ପ୍ରାଣରେ ସେ ଭରି ଦେଇଥିଲେ ଦେଶ ପ୍ରେମ, ଜାତି ପ୍ରେମ, ଓ ଭାଷା ପ୍ରେମ। ଗୋପବନ୍ଧୁ ଦାସ ଉତ୍କଳର ମଣି ନାମରେ ଖ୍ୟାତ। ସେ ଥିଲେ ସେବା ଓ ତ୍ୟାଗର ମୁକ୍ତିମନ୍ତ ସ୍ୱରୂପ । ଶନିବାର ମାଲକାନଗିରି ଏମ୍‌.ଭି. ୭ ସ୍ଥିତ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ “ସ୍ମୃତିରେ ପୁଣ୍ୟାତ୍ମା” ଆଲୋଚନା ଚକ୍ରରେ ବକ୍ତାମାନେ ମତ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ପ୍ରକାଶ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ଓ ସମ୍ମାନୀତ ଅତିଥି ବାବେ ମାଲକାନଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ନମିତା ଦଣ୍ଡସେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ. ଇଶ୍ୱର ରାଓ ଓ ବରିଷ୍ଠ ଚିତ୍ରକର ଦେଶୀରାଜୁ ଆଚାରୀ ଏବଂ ଦିବାକର ମଲ୍ଲିକ ଯୋଗ ଦେଇଥିଲେ।

ଅନୁଷ୍ଠିତ ଆଲୋଚନା ଚକ୍ରରେ ଗୋପବନ୍ଧୁଙ୍କ ଜୀବନର ଅନାଲୋଚିତ ଦିଗ ଉପରେ ବକ୍ତମାନେ ଆଲୋଚନା କରିଥିଲେ। ବିଶେଷ କରି ଗୋପବନ୍ଧୁଙ୍କ ରାଜନୀତି ଜୀବନ, ସାହିତ୍ୟ ସର୍ଜନା, ବାଲ୍ୟାବସ୍ଥା, ଶିକ୍ଷା, କର୍ମମୟ ଜୀବନ ଉପରେ ଆଲୋଚନା କରାଯାଇଥିଲ। ମୁଖ୍ୟତଃ ସେବା ମନୋଭାବରେ ନିଜ ଛାତ୍ର ଜୀବନରେ ଗୋପବନ୍ଧୁ କିପରି ନିଜର ସେବା ଆରମ୍ଭ କରିଥିଲେ ଓ ସେବା ସମିତି ଗଠନ କରି ହଇଜା ରୋଗରେ ପୀଡିତ ଲୋକମାନଙ୍କୁ ସେବା କରିବା ସହ ବନ୍ୟା-ବାତ୍ୟା ସମୟରେ ଲୋକଙ୍କ ଦୁଃଖରେ ବ୍ୟଥିତ ହୋଇଥିଲେ, ଅନ୍ୟର ସେବା ପାଇଁ ନିଜର ଏକମାତ୍ର ପୁତ୍ରକୁ ରୋଗ ଶଯ୍ୟାରେ ଛାଡିଦେଇ ଚାଲି ଯାଇଥିଲେ ଏବଂ ଫେରିବାବେଳେ ତାଙ୍କର ପୁଅର ମୃତ୍ୟୁ ଘଟିଥିଲା। ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ରାଜନୀତିରେ ଅଂଶଗ୍ରହଣ କରିବା, ବିହାର ଓଡିଶା ନିର୍ବାଚନରେ ସଦସ୍ୟ ରୁପେ ନିର୍ବାଚିତ ହେବା ସହ ଶିକ୍ଷା କ୍ଷେତ୍ରରେ କିଭଳି ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ, ପରବର୍ତୀ ଅବସ୍ଥାରେ ପ୍ରଥମେ ‘ସତ୍ୟବାଦୀ’ ପତ୍ରିକା ଓ ପରେ ‘ସମାଜ’ ସ୍ଥାପନ କରିଥିଲେ। ତାଙ୍କ ପ୍ରତିଷ୍ଠିତ ‘ସମାଜ’ ଆଜି ଓଡିଶାର ପୁରପଲ୍ଲୀରେ ପ୍ରିୟ ଦୈନିକ ଖବର କାଗଜ ହୋଇ ରହିଛି। ଅସୀମ ତ୍ୟାଗ, ନିସ୍ୱାର୍ଥପର ସେବା ଓ ଜନହିତ କାର୍ଯ୍ୟ ପାଇଁ ସ୍ୱର୍ଣ୍ଣାକ୍ଷରରେ ତାଙ୍କର ନାମ ଲିପିବଦ୍ଧ କରା ଯାଇଥିବା ବକ୍ତାମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ସମାଜ ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ।

Comments are closed.