ଗୋପବନ୍ଧୁ ଥିଲେ ଦୁଃଖି ମଣିଷର ବନ୍ଧୁ

ଆଠଗଡ/ଗୁରୁଡିଝାଟିଆ:  ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀରେ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ପରିସରରେ ପୂଣ୍ୟାତ୍ମାଙ୍କ ଆଦର୍ଶ ଓ ବିଚାରଧାରା ସଂପର୍କିତ ଏକ ଆଲୋଚନା ଚକ୍ର ଶନିବାର ଅନୁଷ୍ଠିତ ହୋଇଛି । ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅସହାୟ ଦୁଃଖି ସମାଜର ତଳସ୍ତରର ଜନସାଧାରଣଙ୍କ ହୃଦୟର ଭାଷା ଓ ଆଖିର ଲୁହ ବୁଝିପାରି ନିଜକୁ ଜଳାଞ୍ଜଳି ଦେଇ ଗୋପବନ୍ଧୁ  ସେବା ଓ ତିତୀକ୍ଷାର ମଶାଲ ଜାଳିଥିଲେ। ବାସ୍ତବରେ ଗୋପବନ୍ଧୁ ଥିଲେ ଦିନଜନ ବନ୍ଧୁ। ଏ ଜାତିର ମଉଡମଣି ବୋଲି ଶ୍ରୀ ରଥ ମତପ୍ରକାଶ କରିଥିଲେ। ଜିଲ୍ଲା ବିଜେଡି ଉପସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବଢି, ମରୁଡି ଓ ଦୁର୍ବିପାକ ଆସିଲେ ଏବେବି ସାଧାରଣ ଜନତା ଙ୍କ ହୃଦୟରେ ଗୋପବନ୍ଧୁ ଭାସିଉଠନ୍ତି। ପରୋପକାର ତାଙ୍କ ଜୀବନର ବ୍ରତ ଥିଲା। ସେ ଥିଲେ ପ୍ରକୃତରେ ଅବତାରୀ ପୁରୁଷ ଓ ମହାମାନବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରଧାରା ଓ ଜୀବନାଦର୍ଶ ଆଜିର ଯୁବପିଢି ପାଇଁ ଏକାନ୍ତ ଅନୁକରଣୀୟ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡଃ ପ୍ରଦୀପ୍ତ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳର ମଣି ଥିଲେ ଓ ସେବା ମାଧ୍ୟମରେ କୋଟି ଓଡିଆଙ୍କ ହୃଦୟ ଜିଣିପାରିଥିଲେ ବୋଲି କହିଥିଲେ। ମହାବିଦ୍ୟାଳୟରେ ଗୋପବନ୍ଧୁ ଦାସଙ୍କ ନୀତିଆଦର୍ଶ ଉପରେ ଆୟୋଜିତ ତର୍କ ପ୍ରତିଯୋଗୀତାର କୃତୀ ବିଦ୍ୟାର୍ଥୀମାନଙ୍କୁ ମଞ୍ଚାସୀନ ଅତିଥି ପୁରସ୍କୃତ କରି ଉତ୍ସାହୀତ କରିଥିଲେ।

Comments are closed.