ଖୋଲୁନି ଶ୍ରମିକ ମୃତ୍ୟୁ ଘଟଣା ଗୁମର, ହେଉନି କାର୍ଯ୍ୟାନୁଷ୍ଠାନ

ଠିକାସଂସ୍ଥାକୁ ନାମକୁ ମାତ୍ର ନୋଟିସ୍,ମୃତ ଶ୍ରମିକ ପରିବାର ନ୍ୟାୟ ପାଇବାରୁ ବଂଚିତ/  ବିନା ମାଇଗ୍ରାଟଂ ଲେବର,ଏମ.ଟି.ଡବ୍ଲ୍ୟୂ ଲାଇସେନ୍ସରେ ଚାଲିଥିଲା କାର୍ଯ୍ୟ ,ଶ୍ରମ ଅଧିକାରୀ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରେ ତିନି ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ବି ସଂପୃକ୍ତ ଠିକାସଂସ୍ଥା ରଣଜିତ ବିଲ୍ଡକନ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସାବତ ପୁଅ ନ୍ୟାୟରେ ଠିକାସଂସ୍ଥାକୁ ପ୍ରଶାସନ ପକ୍ଷରୁ ଖଣ୍ଡିଏ ନୋଟିସ ପଠାଇ ଏତିକିରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯିବା ପ୍ରଶାସନର ଠିକଦାର ପ୍ରୀତିକୁ ପଦାରେ ପକାଇଛି। ପ୍ରକାଶ ଯେ ବୌଦ୍ଧ ଜିଲ୍ଲାର ଖରଶଙ୍କୁଲେଇ ଠାରେ ଦ୍ୱିତୀୟ ବୃହତମ ମହାନଦୀ ସେତୁ ନିର୍ମାଣଧିନ ରହିଛି। ଏକ ଉଚ୍ଚତାସମ୍ପନ୍ନ ବ୍ରିଜ ନିର୍ମାଣ କାର୍ଯ୍ୟଚାଲିଥିବାବେଳେ ଶ୍ରମିକ ସୁରକ୍ଷା ଦିଗରେ ଠିକାସଂସ୍ଥା ଆଖି ବୁଜି ଦେଇ ଅତି ବେପାରୁଆ ଢଙ୍ଗରେ ବିନା ଇଂଟର ଷ୍ଟେଟ ମାଇଗ୍ରାଂଟ ଲେବର ଏବଂ ଏମ.ଟି.ଡବ୍ଲୁ ଭଳି ଶ୍ରମିକ ସୁରକ୍ଷା ଲାଇସେନ୍ସରେ ନିର୍ମାଣ କାର୍ଯ୍ୟ ଚଳାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏହା ସହିତ ଉଚ୍ଚତା ସମ୍ପନ୍ନ ବ୍ରିଜ କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷା ପାଇଁ ନିର୍ମାଣସ୍ଥାନରେ ବିନା ସେଫ୍ଟି ନେଟରେ ଠିକାସଂସ୍ଥା କାର୍ଯ୍ୟଚଳେଇଥିବା ଶ୍ରମିକ ମୃତ୍ୟୁର ପ୍ରମୁଖ କାରଣ ବୋଲି କୁହାଯାଉଛି। ଜାନୁୟାରୀ ମାସରେ ପ୍ରଥମେ ଜଣେ ଶ୍ରମିକଙ୍କ ମୃତ୍ୟୂ ପରେ ବି ଠିକାସଂସ୍ଥା ଏ ଦିଗରେ ସର୍ତକତା ପଦକ୍ଷେପ ଗ୍ରହଣ କରିନଥିଲା। ଯାହାଫଳରେ ଜଣେ ଜଣେ କରି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲା ବୋଲି କୁହାଯାଉଛି। ଏଭଳି ଘଟଣା ପରେ ଜିଲ୍ଲାପ୍ରଶାସନ,ପୁଲିସ ପ୍ରଶାସନ,ଶ୍ରମ ଅଧିକାରୀ,ପୂର୍ତବିଭାଗର ଉଚ୍ଚପଦସ୍ଥ ଅଧିକାରୀ ,ସେଫ୍ଟି କନସଲଟାଂଟ ,ସେଫ୍ଟି ମ୍ୟାନେଜର ଭଳି ଦାୟିତ୍ୱରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଗଣ ଘଟଣାସ୍ଥଳ ପରିଦର୍ଶନ ପରେ ବି ଠିକାସଂସ୍ଥାର ଭୁଲକୁ ଘଂଟ ଘୋଡାଇବା ଶ୍ରମିକ ମୃତ୍ୟୁର ଆଉ ଏକ କାରଣ ବୋଲି କୁହାଯାଉଛି। ଶ୍ରମ ଆଇନକୁ ଅଣଦେଖା କରି ବିନା ଶ୍ରମିକ ସୁରକ୍ଷା ଏବଂ ନିରାପତାରେ କାର୍ଯ୍ୟଚଳାଇଥିବା ଠିକାସଂସ୍ଥା ଉପରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସହିତ ଶ୍ରମିକ ସୁରକ୍ଷା ଓ ନିରାପତା ଦିଗରେ ଆଖି ବୁଜି ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମୃତ ଶ୍ରମିକ ପରିବାରକୁ ନ୍ୟାୟଦେବା ପାଇଁ  ସାଧାରଣରେ ଦାବି ଉଠୁଛି। ଏଥିପ୍ରତି ରାଜ୍ୟ ଶ୍ରମ କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Comments are closed.