କର୍ପୋରେଟ କାରବାରକୁ ଅଧିକ ସରଳ କରିବ ‘ୱାର୍କ ଫ୍ରମ୍ ହୋମ୍’

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ବିଶ୍ବ ଲଢେଇ କରୁଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଫଳରେ ଦେଶରେ ବିମାନ, ବସ୍‌, ଗାଡ଼ିମଟର ଆଦି ଚଳାଚଳ ବନ୍ଦ ରଖାଯାଇଛି। ତେବେ ଭାରତରେ ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ତଥା କର୍ପୋରେଟ୍‌ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖି ଖୁବ୍‌ କମ୍‌ ସଂଖ୍ୟକ କିମ୍ବା ୩୩ ପ୍ରତିଶତ କାମ କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌(ଡବ୍ଲ୍ୟୁଏଫ୍‌ଏଚ୍‌) ନିୟମ ଲାଗୁ କରିବା ପାଇଁ କୁହାଯାଇଛି।

ଡବ୍ଲ୍ୟୁଏଚ୍‌ଏଫ୍‌ ନିୟମ ଲାଗୁ ହେବା ପରେ କାର୍ଯ୍ୟାଳୟଗୁଡ଼ିକର ଗୁରୁତ୍ବ ହ୍ରାସ ପାଇନାହିଁ। ଡବ୍ଲ୍ୟୁଏଚ୍‌ଏଫ୍‌ ନିୟମ କାର୍ଯ୍ୟକାରୀ ସମୟରେ ଅନେକ ଆହ୍ବାନ ସୃଷ୍ଟି ହୋଇଥିଲା। ତେଣୁ ମାତ୍ର ୫ରୁ ୧୫ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା। ତେବେ କାର୍ଯ୍ୟାଳୟରେ ଗୁପ୍ତ ତଥ୍ୟ ଚୋରି ହେବାର ଯେଉଁ ଆଶଙ୍କା ମଧ୍ୟ ରହିଥିଲା ତାହା ଦେଖିବାକୁ ମିଳିନଥିଲା। ଅପରପକ୍ଷରେ କାର୍ଯ୍ୟାଳୟଗୁଡ଼ିକର ବହୁ କାମ ସହଜରେ ହୋଇପାରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା ଆପଣେଇବାକୁ କର୍ମଚାରୀଙ୍କୁ ଅଡୁଆ ଲାଗୁଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି। ଦେଶରେ ଏବେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଆଶାତୀତ ଭୋବ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ପ୍ରତିଦିନ ଶତାଧିକ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। ଆଗାମୀ ଦିନରେ ମଧ୍ୟ ଅଧିକ ଲୋକଙ୍କୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଦେଶରେ ଲକ୍‌ଡାଉନ୍‌ ପରବର୍ତ୍ତି ସମୟରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ବଜାୟ ରଖଇବା ଦରକାର ଏବଂ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌ ନିୟମ ବଳବତ୍ତର ରଖିବାକୁ ବହୁ କର୍ପୋରେଟ୍‌ ସଂସ୍ଥା ଯୋଜନା କରୁଛନ୍ତି।
ଲକ୍‌ଡାଉନ୍‌ ଉଠିଯିବା ପରେ ସବୁ କର୍ମଚାରୀ ଅଫିସ୍‌ ଆସିବେ। ଫଳରେ ସାମାଜିକ ଦୂରାତା ବଜାୟ ରଖି ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ଜାଗା ଦେବା ମଧ୍ୟ ସହଜ ନୁହେଁ। ସେହିପରି ଟିମ୍‌ୱାର୍କ, ଦକ୍ଷତା ପରିଚାଳନା, ସୃଜନଶୀଳତା, ଉତ୍ପାଦନ କ୍ଷମତା, ଡାଟା ପ୍ରାଇଭେସି, ଆପର୍ଟମେଣ୍ଟର ଭିତ୍ତିଭୂମି ଆଦି ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ଆହ୍ବାନ ସୃଷ୍ଟି କରିବ ଜେଏଲ୍‌ଏଲ୍‌ ସିଇଓ ରମେଶ୍‌ ନାୟର୍‌ କହିଛନ୍ତି। ଚାହିଦା କ୍ଷତିକୁ ଭରଣା କରିବା ପାଇଁ ସମୟ ସହ ତାଳ ଦେଇ ଚାଲିବାକୁ ପଡ଼ିବ। ଏହା ଚିନ୍ତା, ଏକୁଟିଆପଣ, ଅବସାଦ ଓ ଚାପଗ୍ରସ୍ତ ଆଦି ପ୍ରଭାବ ପକାଇବ। ତେବେ ଏହାଦ୍ବାରା ଅଫିସ୍‌ଗୁଡ଼ିକ ତା’ର ଗୁରୁତ୍ବ ହରାଇବ ନାହିଁ। ଯଦି ଅଫିସ୍‌ଗୁଡ଼ିକରେ ୱାର୍କ ଫ୍ରମ୍‌ ହୋମ୍‌ ନିୟମ ଜାରି ରଖନ୍ତି ତାହେଲେ ଏହା କର୍ପୋରେଟ୍‌ ସଂସ୍କୃତି ବିକାଶ ପ୍ରତିଯୋଗିତାରେ ଫାଇଦା ଉଠାଇ ହେବ। ତେଣୁ ଲକ୍‌ଡାଉନ୍‌ ଉଠିଯିବା ପରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ୱାର୍କ ଫ୍ରମ୍‌ ହୋମ୍‌ ନିୟମକୁ ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ ବୋଲି ନାଇଟ୍‌ ଫ୍ରାଙ୍କ ଇଣ୍ଡିଆ ସିଏମ୍‌ଡି ଶିଶିର ବୈଜଲ୍‌ ପ୍ରକାଶ କରିଛନ୍ତି। କରୋନା ମହାମାରୀ ସହିତ ଦୀର୍ଘଦିନ ଲଢ଼େଇ ହେବାକୁ ଥିବାରୁ ବଳ ଦେଶର ଛୋଟବଡ଼ ସହରରେ ଥିବା ଅଫିସ୍‌ଗୁଡ଼ିକରେ ଏହି ବ୍ୟବସ୍ଥା ଆପଣେଇବାକୁ ପଡ଼ିବ ଶ୍ରୀ ବୈଜଲ୍‌ କହିଛନ୍ତି।
ଦକ୍ଷିଣ ପୂର୍ବ ଏସିଆ ସିବିଆର୍‌ଇ ଚେୟାର୍‌ମ୍ୟାନ୍‌ ଅଂଶୁମାନ ମାଗାଜିନ୍‌ କହିଛନ୍ତି ଯେ କର୍ମଚାରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସେମାନେ କିଭଳି ସୁସ୍ଥ ରହିବେ ସେଥିପ୍ରତି କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ବିଶେଷ ଧ୍ୟାନ ଦେଇଥାନ୍ତି। ୱାର୍କ ଫ୍ରମ୍‌ ହୋମ୍‌ ନିୟମ ଜାରି ରଖିବା ଦ୍ବାରା କର୍ମଚାରୀଙ୍କ ମଧ୍ୟରେ ଅଫିସ୍‌ରେ କାର୍ଯ୍ୟ କରିବା ଅବଶୋଷ ପ୍ରଭାବ ପଡ଼ିବ। ତେବେ ଅନେକ ଅଫିସ୍‌ ଆବଶ୍ୟକ କର୍ମଚାରୀ ବିନା ଚଳାଇବା କଷ୍ଟକର ହୋଇଥାଏ। ବୃତ୍ତିଗତ ଦକ୍ଷତା ହାସଲ କରିବା ପାଇଁ ସବୁ କର୍ମଚାରୀ ଅଫିସ ଆସି କାର୍ଯ୍ୟ କରିବା ଜରୁରୀ। ଏଭଳି ପରିସ୍ଥିତିରେ ସାମାଜିକ ଦୂରତା ଅନୁଯାୟୀ କର୍ମଚାରୀମାନେ କିଭଳି ସଫଳତାର ସହିତ କାମ କରିବେ ଏବଂ ଏଥିପାଇଁ ସେମାନଙ୍କୁ କିଭଳି ପରିଚାଳନା କରାଯିବ ତାହା ଏବେ ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କସ୍‌ମ୍ୟାନ୍‌ ଆଣ୍ଡ୍‌ ୱେକ୍‌ ଫିଲ୍ଡ ଏମ୍‌ଡି ଆଂଶୁଲ୍‌ ଜୈନ‌ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ୱାର୍କ ଫ୍ରମ୍‌ ହୋମ୍‌ ନିୟମ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ହୋଇପଡ଼ିଛି। ଅନ୍ୟଥା କରୋନା ସଂକ୍ରମଣର ଆଶଙ୍କା ରହିଛି। ଯଦି କେହି କରୋନା ସଂକ୍ରମଣ ଶିକାର ହୁଅନ୍ତି ତାହେଲେ ପୁରା ଅଫିସ ବନ୍ଦ ହୋଇଯିବ ଏବଂ ଏହାର ପରବର୍ତ୍ତି ଅବସ୍ଥା ସୁଧାରିବା କଷ୍ଟକର ବ୍ୟାପାର ହେବ। ଅଧିକାଂଶ କର୍ମଚାରୀ ରୁଟିନ୍‌ ଅନୁଯାୟୀ ଅଫିସ୍‌ ଆସିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସେମାନେ ଅନ୍ୟ ସମୟରେ କାମ କରିବାକୁ ରାଜି ନୁହେନ୍ତି। ଅପରପକ୍ଷରେ ଘରେ ରହି କାମ କରିବା ପରିବେଶ ଅନେକଙ୍କ ନାହିଁ ବୋଲି ସେ କହିଛନ୍ତି।
କୋଭିଡ୍‌-୧୯ ମୁକାବିଲା ପାଇଁ ଘରେ ରହି କାମ କରିବା ଅନେକଙ୍କୁ ସୁହାଉଛି। ଏହାଦ୍ବାରା କାର୍ଯ୍ୟାଳୟଗୁଡ଼ିକରେ ସାମାଜିକ ଦୂରତା ବଜାୟ ରଖାଯାଇ ପାରୁଛି। ଆଗାମୀ ଦିନରେ ଏହି ବ୍ୟବସ୍ଥା ଜାରି ରହିବା ଦ୍ବାରା ଆଗାମୀ ଦିନରେ କାର୍ଯ୍ୟାଳୟଗୁଡ଼ିକରେ କାମ କରିବା ପାଇଁ ଯଥେଷ୍ଟା ଜାଗା ମିଳିପାରିବ ବୋଲି ସାଭିଲ୍‌ ଇଣ୍ଡିଆ ସିଇଓ ଅନୁରାଗ୍ ମାଥୁର କହିଛନ୍ତି।

Comments are closed.