ଆବାସିକ କାର୍ଯ୍ୟାଳୟ ; ପରୀକ୍ଷାନିରୀକ୍ଷା ପାଇଁ ସୁଯୋଗ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ – ଏହି ଆପ୍ତ ବାକ୍ୟ କରୋନା(କୋଭିଡ୍‍-୧୯) ସଙ୍କଟ ନିରାକରଣ ଓ ନିୟନ୍ତ୍ରଣ ଅବସରରେ ପୁଣି ଥରେ ପ୍ରମାଣିତ କରିବାର ଅବକାଶ ସୃଷ୍ଟି କରିଛି। କେବଳ ଟିକା ଉଦ୍‍ଭାବନ ନୁହେଁ, ବରଂ ଆହୁରି ଅନେକ କ୍ଷେତ୍ରରେ ଏଭଳି କିଛି ବିକଳ୍ପ ସାମ୍‍ନାକୁ ଆସିଛି ଯାହା ମଣିଷର ଜୀବନଚର୍ଯ୍ୟା, ଦୈନନ୍ଦିନ ଆବଶ୍ୟକତା, ଅଭ୍ୟାସ ଓ କାର୍ଯ୍ୟଶୈଳୀରେ ବୈପ୍ଲବିକ ପରିବର୍ତ୍ତନ ଜରିଆରେ ସୁସ୍ଥ ଜୀବନଯାପନ କରିବାର ସନ୍ଦେଶ ଦେଇଛି। ସେହିସବୁ ବିକଳ୍ପ ମଧ୍ୟରୁ ଆବାସିକ କାର୍ଯ୍ୟାଳୟ ବା ସବୁ କର୍ମଚାରୀ ଘରେ ବସି କାମ କରିବା ଯୋଜନା ଅଧିକ ପ୍ରାସଙ୍ଗିକ ମନେ ହୁଏ।
ଏ ପର୍ଯ୍ୟନ୍ତ କରୋନା ଟିକା କିମ୍ବା ଔଷଧ ଉଦ୍‍ଭାବନ ହୋଇନଥିବାରୁ ସତର୍କତା, ସଚେତନତା ଓ ସଂଯମକୁ ସର୍ବୋତ୍ତମ ପ୍ରତିଷେଧକ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭାରତ ସମେତ ଅଧିକାଂଶ ଦେଶ ଜନସମାଗମ ଉପରେ କଟକଣା ଜାରି କରିଛନ୍ତି। ଏହି ଆଧାରରେ କେବଳ ସ୍ୱାସ୍ଥ୍ୟ, ପୁଲିସ ଓ କେତେକ ଜରୁରୀକାଳୀନ ସେବା ପ୍ରଦାନକାରୀ ଅନୁଷ୍ଠାନକୁ ବାଦ୍‍ ଦେଇ ସମସ୍ତ ସଂସ୍ଥା/ଅନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ଇଟାଲୀ ସମେତ କେତେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଛାତ୍ରଛାତ୍ରୀମାନେ ଘରେ ରହି ଶିକ୍ଷାଗ୍ରହଣ କରୁଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କ ଘର ସହିତ ଯୋଡ଼ି ଦିଆଯାଇଛି। ସେଠାକାର ସରକାରୀ ଓ ଘରୋଇ ସଂସ୍ଥାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଘରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଭାରତରେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ୍‍ ଭଳି ଅତ୍ୟାଧୁନିକ ସହରର କେତେକ ଅନୁଷ୍ଠାନ/କାର୍ଯ୍ୟାଳୟ/ସଂସ୍ଥାରେ ଉପରୋକ୍ତ ବ୍ୟବସ୍ଥା ଅନୁସୃତ ହୋଇଛି। ଓଡ଼ିଶାରେ ଏହି ବ୍ୟବସ୍ଥା(ଆବାସିକ କାର୍ଯ୍ୟାଳୟ) ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିଲେ ମଧ୍ୟ ଏହା ସପକ୍ଷରେ ଯୁକ୍ତି ପ୍ରକାଶ ପାଉଛି। ପରିବେଶ ପ୍ରଦୂଷଣ, ସ୍ଥାନାଭାବ ସମସ୍ୟା, ଶକ୍ତି ଅପଚୟ, ମାନବ ସମ୍ବଳ କାର୍ଯ୍ୟ ସମୟ ହ୍ରାସ ଆଦି ପ୍ରସଙ୍ଗ ବିଚାରକୁ ନେଲେ ଆବାସିକ କାର୍ଯ୍ୟାଳୟ ଯୁକ୍ତିସଙ୍ଗତ ଓ ଯଥାର୍ଥ ବୋଲି କୁହାଯାଇପାରେ।
ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ମୁଖ୍ୟ କାର୍ଯ୍ୟାଳୟ ଓ ଏହାର ଶାଖାକୁ କର୍ମଚାରୀଙ୍କ ବାସସ୍ଥାନ ସହିତ ଯୋଡ଼ିବା କଷ୍ଟକର ନୁହେଁ। ଯଦି ସେଭଳି କିଛି ନିହାତି ଆବଶ୍ୟକ ନଥିବ ତେବେ ଜଣେ କର୍ମଚାରୀ ଘରେ ବସି କାମ କରିବାରେ ଅସୁବିଧା କିମ୍ବା ଅସଙ୍ଗତି ନାହିଁ। ଏହାଦ୍ୱାରା ଘରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାଆସିବାରେ ହେଉଥିବା ସମୟ, ଶକ୍ତି, ଅର୍ଥ ଓ ଇନ୍ଧନ ଅପଚୟ ଏବଂ କାର୍ଯ୍ୟାଳୟର ଅଟ୍ଟାଳିକା ପାଇଁ ଜମି ଆବଶ୍ୟକତା ଓ ରକ୍ଷଣାବେକ୍ଷଣ ଜନିତ ବିପୁଳ ଖର୍ଚ୍ଚକୁ ଏକ ନିର୍ଦିଷ୍ଟ ସୀମା ମଧ୍ୟରେ ରଖାଯାଇପାରିବ। ପ୍ରଦୂଷଣ, ବିଶ୍ୱ ତାପନ ସମସ୍ୟା ମଧ୍ୟ ଅନେକ ପରିମାଣରେ ନିୟନ୍ତ୍ରିତ ହୋଇପାରିବ। ଘରେ ରହି କାମ କରିବାର ସୁଯୋଗ ପାଇଲେ କର୍ମଚାରୀମାନେ ସଂସ୍ଥା ପାଇଁ ଅଧିକ ସମୟ ଦେଇପାରିବେ ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇପାରିବ। ଉପରୋକ୍ତ କାରଣଗୁଡ଼ିକୁ ଗ୍ରହଣ କରି ଅଧିକାଂଶ ପାଶ୍ଚାତ୍ୟ ଦେଶରେ ଆବାସିକ କାର୍ଯ୍ୟାଳୟ ବିକଳ୍ପ କ୍ରମଶଃ ଗ୍ରହଣୀୟ ହେଉଛି।
ଭାରତ ଓ ଓଡ଼ିଶା ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କରୋନା ବିପର୍ଯ୍ୟୟ ଏ ଦିଗରେ ଏକ ପରୀକ୍ଷାନିରୀକ୍ଷା କରିବାର ସୁଯୋଗ ଆଣିଛି। ଇତିମଧ୍ୟରେ ଘରେ ରହି କାମ କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶନାମା ଜାରି କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ନିର୍ଦେଶ କେବଳ ନିର୍ଦିଷ୍ଟ ବର୍ଗର କେନ୍ଦ୍ରୀୟ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। କରୋନା ବିପର୍ଯ୍ୟୟର ସମ୍ଭାବ୍ୟ ସ୍ଥିତି ଓ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ନିଷ୍ପତ୍ତିର ପୁନର୍ବିଚାର କରାଯାଇପାରେ। ହୁଏତ କେନ୍ଦ୍ର ସରକାରଙ୍କ ନୀତିକୁ ଅନ୍ୟ ରାଜ୍ୟ ମଧ୍ୟ ଅନୁସରଣ କରିପାରନ୍ତି। ଯଦି ଉପରୋକ୍ତ ପରୀକ୍ଷା ସଫଳ ହୁଏ ଏବଂ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଆନ୍ତରିକତାର ସହିତ ଆବାସିକ କାର୍ଯ୍ୟାଳୟ ବିକଳ୍ପ ସମ୍ବନ୍ଧରେ ବିଚାର କରାଯାଏ ତେବେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରନ୍ତା।
ଅବଶ୍ୟ ଏହି ବିକଳ୍ପ ବା ପରୀକ୍ଷାନିରୀକ୍ଷାର ସଫଳତା ନିର୍ଭର କରୁଛି ସୂଚନା ପ୍ରଯୁକ୍ତି ସେବାର ଗୁଣାତ୍ମକ ମାନ ଓ ତାହାର ସଫଳ ଉପଯୋଗିତା ଉପରେ। ଓଡ଼ିଶା ସମେତ ଭାରତର ଅଧିକାଂଶ ରାଜ୍ୟର ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ଆଶାନୁରୂପ ନୁହେଁ। ଯଦି ବା ସୂଚନା ପ୍ରଯୁକ୍ତି ଭିତ୍ତିଭୂମିର ପର୍ଯ୍ୟାପ୍ତ ବିକାଶ କରି ଆବାସିକ କାର୍ଯ୍ୟାଳୟ ଯୋଜନା କାର୍ଯ୍ୟକାରୀ ହୁଏ ତେବେ ବି ଏହାର ନିରବଚ୍ଛିନ୍ନ ସେବା, କର୍ମଚାରୀଙ୍କ ମାନସିକତା ଓ ଅଧିକାରୀଙ୍କ ପରିଚାଳନାଗତ ଦକ୍ଷତା ଆହ୍ୱାନ ସୃଷ୍ଟି କରୁଛି। ଘରେ ବସି କାମ କରିବାର ସୁଯୋଗ ଯଦି ଠକାମି ବା ଅଳସୁଆ ପ୍ରବୃତ୍ତିକୁ ଜନ୍ମ ଦିଏ ତେବେ ମୂଳ ଉଦ୍ଦେଶ୍ୟ ସାକାର ହୋଇପାରିବ ନାହିଁ। ଏତଦ୍‍ବ୍ୟତୀତ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠାନ/ସଂସ୍ଥାର ଉପର ସ୍ତରରେ ଥିବା ଅଧିକାରୀଙ୍କ ପରିଚାଳନାଗତ ଦକ୍ଷତା ନିର୍ଣ୍ଣାୟକ ସାବ୍ୟସ୍ତ ହୁଏ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରଥମେ ପରିଚାଳନାଗତ ଢାଞ୍ଚାରେ ଆବଶ୍ୟକ ସଂସ୍କାର ଜରିଆରେ ଦକ୍ଷତା ବୃଦ୍ଧି ଆବଶ୍ୟକ।
ଭାରତରେ ଯଦି ଆବାସିକ କାର୍ଯ୍ୟାଳୟର ପରୀକ୍ଷା-ନିରୀକ୍ଷା ସଫଳ ହୁଏ ତେବେ ତାହାର ପ୍ରଭାବ ସୁଦୂରପ୍ରସାରୀ ହେବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର, କୋର୍ଟକଚେରି ମାମଲାର ତ୍ୱରିତ ଶୁଣାଣି, ପୁଲିସ-ପ୍ରଶାସନର କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ସମ୍ପୂର୍ଣ୍ଣ ବ୍ୟବସ୍ଥା ଗତିଶୀଳ ହୋଇ ଶାସନ-ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିବ – ଏଥିରେ ସନ୍ଦେହ ନାହିଁ।

Comments are closed.