ମହିଳା ଟି୨୦ ବିଶ୍ବକପ୍‌ : ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ସେମିରେ

ମେଲ୍‌ବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି୨୦ ମହିଳା ବିଶ୍ବକପ୍‌ର ୪ଟିଯାକ ସେମିଫାଇନାଲିଷ୍ଟ ସୋମବାର ସୁଦ୍ଧା ଚୂଡ଼ାନ୍ତ ହୋଇଯାଇଛି। ଅବଶ୍ୟ କେଉଁ ଦଳ କାହା ବିପକ୍ଷରେ ଖେଳିବ; ତାହା ମଙ୍ଗଳବାର ସ୍ପଷ୍ଟ ହୋଇଯିବ। ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି ଏବଂ ଦକ୍ଷିଣ ଆଫ୍ରିକା ସେମିରେ ପ୍ରବେଶ କରିସାରିଛି। ମଙ୍ଗଳବାର ଯଦି ୱେଷ୍ଟଇଣ୍ଡିଜ୍‌କୁ ଦକ୍ଷିଣ ଆଫ୍ରିକା ପରାସ୍ତ କରିଦିଏ; ତେବେ ଏହା ଗ୍ରୁପ୍‌ ‘ବି’ର ପ୍ରଥମ ସ୍ଥାନରେ ରହି ସେମିରେ ଅଷ୍ଟ୍ରେଲିଆର ମୁକାବିଲା କରିବ। ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଗଲେ ଏହା ଗ୍ରୁପ୍‌ ‘ଏ’ର ଶୀର୍ଷରେ ଥିବା ଭାରତର ମୁକାବିଲା କରିବ। ସୋମବାର ଗ୍ରୁପ୍‌ ‘ଏ’ର ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇଛି। ଅନ୍ତିମ ତଥା ଉଭୟ ଦଳଙ୍କ ପାଇଁ ‘କର ବା ମର’ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନ୍‌ରେ ପରାସ୍ତକରି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିଛି। ଏହି ପରାଜୟ ସହ ପୂର୍ବ ଚମ୍ପିଆନ୍ ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରୁ ବିଦାୟ ନେଇଛି। ଫଳରେ ଗ୍ରୁପ୍ ‘ଏ’ରେ ଭାରତ ପଛକୁ ଅଷ୍ଟ୍ରେଲିଆ ୨ୟ ସ୍ଥାନରେ ରହିଛି।

ସୋମବାରର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ଅଷ୍ଟ୍ରେଲିଆର ଆଲିସା ହିଲି ୯ ରନ୍‌କରି ବିଦାୟନେବା ପରେ ବେଥ୍‌ ମୁନି ଓ ଅଧିନାୟିକା ମେଗ୍ ଲାନିଙ୍ଗ୍ ୩୨ ରନ୍ ଯୋଡ଼ିଥିଲେ। ଲାନିଙ୍ଗ୍ ୪ଟି ଚୌକା ସହ ୨୧ ରନ୍ କରିଥିଲେ। ପରେ ଆସ୍‌ଲେ ଗାର୍ଡନର ଓ ମୁନି ୩ୟ ୱିକେଟ ପାଇଁ ୫୨ ରନ୍ ଯୋଡ଼ିଥିଲେ। ଗାର୍ଡନର ୨୦ ବଲ୍‌ରୁ ୨୦ ରନ୍ କରିଥିଲେ। ବେଥ୍ ମୁନି ୫୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୦ ରନ୍ କରିଥିଲେ। ଏଲିଜ୍ ପେରି ୧୫ ବଲ୍‌ରୁ ୨୧ ରନ୍ କରିିଥିଲେ। ରାଚେଲ ହେୟନ୍‌ସ ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡର ଆନ୍ନା ପିଟରସନ୍ ୨ଟି ୱିକେଟ ପାଇଥିଲେ। ପରେ ନ୍ୟୁଜିଲାଣ୍ଡ ୧୫୬ ରନ୍‌ର ପିଛା କରିଥିବା ବେଳେ ଉପର ଅର୍ଡର ଲଢ଼ୁଆ ବ୍ୟାଟିଂ କରିଥିଲା। ରାଚେଲ ପ୍ରିଷ୍ଟ ୧୭, ଅଧିନାୟିକା ସୋଫି ଡିଭାଇନ୍ ୩୧, ସୁଜି ବେଟ୍‌ସ ୧୪ ଓ ମ୍ୟାଡି ଗ୍ରୀନ୍ ୨୮ ରନ୍ କରିଥିଲେ। କ୍ୟାଟି ମାର୍ଟିନ୍ ୧୮ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆର ମେଗାନ୍ ସ୍କଟ୍‌ ଓ ଜର୍ଜିଆ ୱାରେହାମ୍ ୩ଟି ଲେଖାଏଁ ୱିକେଟ​‌ ନେଇଥିଲେ। ଜର୍ଜିଆ ୱାରେହାମ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.