ମହିଳାଙ୍କ ସାହସିକତା

ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ଆପଣଙ୍କର ଶତ୍ରୁ ସଂଖ୍ୟା ବଢ଼ିବା ସ୍ବାଭାବିକ। ହେଲେ ଜଣେ ବ୍ୟକ୍ତିର ସାହସିକତାର ପ୍ରମାଣ ସେତେବେଳେ ମିିଳିଥାଏ, ଯେଉଁ ସମୟରେ ସେ ଅନ୍ୟମାନଙ୍କର କାର୍ଯ୍ୟକଳାପକୁ ଭ୍ରୂକ୍ଷେପ ନ କରି ଆଗେଇ ଚାଲେ। ମହିଳାମାନଙ୍କ ଉପରେ ଅତ୍ୟାଚାର ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଚାଲିଛି। ଏବେ ମଧ୍ୟ ପୁରୁଷପ୍ରଧାନ ସମାଜକୁ ଗୁରୁତ୍ବ ଦିଆଯାଉଛି ବୋଲି ଅଧିକାଂଶଙ୍କ ମତ। କେଉଁଠି କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ନେଇ ଟାହିଟାପରା, ତ’ ଅନ୍ୟ କେଉଁଠାରେ ରାସ୍ତାଘାଟରେ ମଧ୍ୟ ସେମାନଙ୍କ ଉପରେ ଅତ୍ୟାଚାର ଚାଲିଛି। କେବଳ ଆମ ଦେଶରେ ନୁହେଁ, ବିଶ୍ବର ଅନ୍ୟ ପ୍ରମୁଖ ରାଷ୍ଟ୍ରରେ ମଧ୍ୟ ପରିସ୍ଥିତି କିଛି ସେହିପରି। ଗଲା କିଛି ସପ୍ତାହ ହେଲା, ବିଭିନ୍ନ ସୋସିଆଲ୍ ସାଇଟ୍‌ରେ ଇରାନ୍୍‌ର ଜଣେ ମହିଳା ମ୍ୟାରିଜେଙ୍କୁ ନେଇ ଚର୍ଚ୍ଚା ଚାଲିଛି। ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଜଣାଶୁଣା ମହିଳା ଆକ୍ଟିଭିଷ୍ଟ। ନିର୍ଯାତିତା ମହିଳାଙ୍କୁ ସହାୟତା କରିବା ସହ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାରେ ମ୍ୟାରିଜେ ହେଲେ ଆଗୁଆ। ଇରାନ୍‌‌ର ପୁରୁଷ ପ୍ରଧାନ ସମାଜ ମ୍ୟାରିଜେଙ୍କ ଏଇ ପଦକ୍ଷେପକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରୁଥିଲେ। ହେଲେ ସେ ଅନ୍ୟ ଦିଗକୁ ଗୁରୁତ୍ବ ନ ଦେଇ ବରଂ ମହିଳାଙ୍କ ସୁରକ୍ଷା ପାଇଁ ଲଢ଼ିଚାଲିଥାନ୍ତି। ତାଙ୍କ ଘରଲୋକଙ୍କୁ ଧମକ ଦିଆଗଲା, କେତେଜଣ ମଧ୍ୟ ରୀତିମତ ମ୍ୟାରିଜେ ଓ ତାଙ୍କ ପରିବାରଲୋକଙ୍କୁ ହଇରାଣ କଲେ। ଯେତେଯାହା କରିବା ସତ୍ତ୍ବେ ତାଙ୍କୁ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିବା ଆଦୌ ସହଜ ନଥିଲା। ଦିନକର ଘଟଣା, ମ୍ୟାରିଜେ ତାଙ୍କ ଗାଡ଼ିରେ ବସି କେଉଁ କାମରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ମଟର ସାଇକଲରେ ଆସି ତାଙ୍କ ମୁହଁରେ ଏସିଡ୍ ଫିଙ୍ଗି ଦେଲେ। ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇ ଦିଆଯିବାରୁ ମ୍ୟାରିଜେ ମୃତ୍ୟୁମୁଖରୁ ବଞ୍ଚିଗଲେ କିନ୍ତୁ ତାଙ୍କ ସୁନ୍ଦର ମୁହଁ ବିକୃତ ହୋଇଗଲା। ସାମାନ୍ୟ ସୁସ୍ଥ ହେବା ପରେ ମ୍ୟାରିଜେ ପୁଣି ତାଙ୍କ କାମରେ ଯୋଗଦେଇଥିବାର ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ସେ ଥାନାରେ ଏତଲା ଦେଇଥିଲେ। ହେଲେ ଏ ଦିଗରେ ସେଠା ପୁଲିସ୍ କୌଣସି ପଦକ୍ଷେପ ନେବାରେ ଆଗ୍ରହ ଦେଖାଇନଥିଲା। ମ୍ୟାରିଜେ ସେସବୁ ପ୍ରତି ମଧ୍ୟ ଆଦୌ ବିବ୍ରତ ନୁହନ୍ତି। ତାଙ୍କ ସାହସିକତାକୁ ଅନେକ ପ୍ରଶଂସା କରୁଥିବାବେଳେ ସେ କହିଛନ୍ତି ଇରାନ୍‌ର ପ୍ରତ୍ୟେକ ମହିଳା ଏଇଭଳି ସାହସିକତା ଦେଖାନ୍ତୁ, ଏହା ହିଁ ତାଙ୍କର ଲକ୍ଷ୍ୟ। n

Comments are closed.