ବିଧାୟକଙ୍କ ଗାଡ଼ି ଛାଡ଼ିଲେନି ମହିଳା ଟ୍ରାଫିକ କନଷ୍ଟେବଳ

ପତିତପାବନଙ୍କୁ ଦର୍ଶନ ପାଇଁ ଚାଲି ଚାଲି ଗଲେ ବିଧାୟକଙ୍କ ପରିବାର

ପୁରୀ : ବିଧାୟକଙ୍କ ଗାଡ଼ି ଛାଡ଼ିଲେନି ମହିଳା ଟ୍ରାଫିକ କନଷ୍ଟେବଳ। ପତିତପାବନଙ୍କୁ ଦର୍ଶନ ପାଇଁ ଚାଲି ଚାଲି ଗଲେ ବିଧାୟକଙ୍କ ପରିବାର। କାଟୁ କଲାନି ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ଉଦ୍ୟମ । ସୋମବାର ରାତିରେ ଏଭଳି ଘଟଣା ଘଟିଛି ପୂରୀ ବଡ଼ଦାଣ୍ଡରେ। ନୟାଗଡ ଜିଲ୍ଲାର ଦଶପଲ୍ଲା ବିଧାୟକ ପରିବାର ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୂରୀ ଆସିଥିଲେ । ବଡ଼ଦାଣ୍ଡ ଦେଇ ଶ୍ରୀ ମନ୍ଦିର ଅଭିମୁଖେ ଯିବାବେଳେ ମରିଚିକୋଟ ଛକରେ ଜଣେ ମହିଳା ଟ୍ରାଫିକ କନଷ୍ଟେବଳ ବିଧାୟକଙ୍କ ଗାଡ଼ି ଅଟକାଇଥିଲେ। କହିଲେ ଆଜ୍ଞା ! ସିଂହଦ୍ଵାର ସମ୍ମୁଖରେ ଲୋକଙ୍କ ଭିଡ ରହିଛି । ଗାଡ଼ି ଛାଡ଼ିବା ସମ୍ଭାବପର ନୁହେଁ । ଦୟାକରି ଗାଡ଼ି ଏଇଠି ରଖି ଚାଲି ଚାଲି ଯିବାକୁ ପଡିବ। ମୁଁ ଆପଣଙ୍କ ଗାଡ଼ି ଆଗକୁ ଯିବାକୁ ଅନୁମତି ଦେଇ ପାରିବି ନାହିଁ । ଏହା ଦେଖି ଗାଡ଼ି ଭିତରୁ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ତଳକୁ ଓହ୍ଳାଇଲେ। ନିଜର ପରିଚୟ ପତ୍ର ଦେଖାଇବା ସହ ବିଧାୟକଙ୍କ ଗାଡ଼ି ଆଗକୁ ଯିବ ବୋଲି ଜିଦ ଧରିଲେ। ଦାୟିତ୍ୱରେ ଥିବା ମହିଳା ଟ୍ରାଫିକ କନଷ୍ଟେବଳ ରୋକ ଠୋକ୍ ମନାକଲେ। କହିଲେ ଗାଡ଼ି ଏଇଠି ରଖନ୍ତୁ, ନଚେତ୍ ପଛକୁ ହଟାନ୍ତୁ। ରାସ୍ତା କାମ ହେଉଛି । ମୋତେ ଉପରୁ ନିର୍ଦ୍ଦେଶ ଅଛି ସିଂହଦ୍ଵାର ସମ୍ମୁଖରେ ଗହଳି ଥିବା ଯାଏଁ ମୁଁ କୌଣସି ଗାଡ଼ି ଏଠାରୁ ଛାଡ଼ି ପାରିବି ନାହିଁ । ଏହାପରେ ବିଧାୟକ ଏବଂ ତାଙ୍କ ପରିବାର ଗାଡିରୁ ଓହ୍ଲାଇ ସେଠାରୁ ଚାଲି ଚାଲି ସିଂହଦ୍ଵାର ଅଭିମୁଖେ ଯାଇ ଶ୍ରୀ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି । ଗାଡ଼ିରେ ବସିବା ବେଳେ ଜଣେ ମହିଳା କହୁଥିଲେ କିଁ ଶାସନ ହେଲା କେଜାଣି ଏଠି ବିଧାୟକଙ୍କ ଅପେକ୍ଷା ତଳିଆ କର୍ମଚାରୀଙ୍କ ଭାଉ ବେଶୀ। ସେଠାରେ ଛିଡ଼ାହୋଇ ସବୁ ଦେଖୁଥିବା ଜଣେ ଯୁବକ କହିଲେ କାଳିଆ ଠାକୁରଙ୍କୁ ଦେଖିବ ଯଦି ଭକ୍ତ ହୋଇ ଆସ, ଭିଆଇପି ହୋଇ ନୁହେଁ।

Comments are closed.