ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ : ହରମନପ୍ରୀତ ଅଧିନାୟିକା, ରିଚା ନୂଆମୁହଁ

ମୁମ୍ବଇ : ଫେବୃୟାରୀ ୨୧ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆୟୋଜନ ହେବ ୭ମ ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍। ଏହି ବିଶ୍ବକପ ଲାଗି ବିସିସିଆଇ ପକ୍ଷରୁ ଭାରତୀୟ ମହିଳା କ୍ରିକେଟ ଦଳ ରବିବାର ଘୋଷଣା କରାଯାଇଛି। ଆଶା ଅନୁସାରେ, ହରମନପ୍ରୀତ କୌରଙ୍କୁ ଭାରତୀୟ ଦଳର ନେତୃତ୍ବ ପ୍ରଦାନ କରାଯାଇଛି। ତେବେ ନୂଆ ମୁହଁ ଭାବେ ବଙ୍ଗଳାର ନବାଗତ ବ୍ୟାଟିଂ ପ୍ରତିଭା ରିଚା ଘୋଷଙ୍କୁ ଦଳରେ ସ୍ଥାନ ମିଳିଛି। ଏହାଛଡ଼ା ଦଳରେ ବିଶେଷ କିଛି ଚକିତକର ଘୋଷଣା ଦେଖିବାକୁ ମିଳିନାହିଁ। ୧୫ ବର୍ଷ ବୟସ୍କା ହରିୟାଣାର ସ୍କୁଲ୍ ଛାତ୍ରୀ ସେଫାଳି ବର୍ମା ପ୍ରଥମଥର ପାଇଁ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ବାମହାତି ସ୍ମୃତି ମାନ୍ଧାନାଙ୍କ ସହ ସେଫାଳି ଇନିଂସ ଓପନ୍ କରିବେ। ନିକଟରେ କଟକରେ ସମାପ୍ତ ହୋଇଥିବା ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସେଫାଳି ଅପରାଜିତ ବିସ୍ଫୋରକ ୮୯ ରନ୍‌ର ଇନିଂସ ଖେଳି ଭାରତ ‘ସି’କୁ ଚମ୍ପିଆନ୍ କରିଥିଲେ। ମୁମ୍ବଇର ୨୩ ବର୍ଷ ବୟସ୍କା ସ୍ମୃତି ମାନ୍ଧାନା ଦଳର ଉପଅଧିନାୟିକା ହେବେ। ସେଫାଳିଙ୍କ ସହ ଏହି ବିଶ୍ବକପ୍‌ରେ ୧୯ ବର୍ଷ ବୟସ୍କା ଜେମିମା ରଡ୍ରିଗ୍ବେଜ୍‌ଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।
ଅଷ୍ଟ୍ରେଲିଆରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳା ଯାଉଥିଲେ ହେଁ ଭାରତୀୟ ମହିଳା ମନୋନୟନକାରୀ ସ୍ପିନରଙ୍କ ଉପରେ ଗୁରୁତ୍ବ ଦେଇଛନ୍ତି। ଦଳରେ ୪ ଜଣ ସ୍ପିନର ରହିଛନ୍ତି। ସେମାନେ ହେଲେ ପୁନମ୍ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍‌ୱାଡ୍‌ ଓ ଦୀପ୍ତି ଶର୍ମା। ଅଭିଜ୍ଞ ବ୍ୟାଟ୍‌ସୱମ୍ୟାନ୍ ବେଦା କୃଷ୍ଣମୂର୍ତ୍ତି ଦଳକୁ ଫେରିଛନ୍ତି। ତେବେ ଦଳରେ ଅଲ୍‌ରାଉଣ୍ଡର ଅନୁଜା ପାଟିଲ ଓ ପେସ୍ ବୋଲର ମାନସୀ ଯୋଶି ସ୍ଥାନ ପାଇନାହାନ୍ତି। ବଙ୍ଗଳାର ରିଚା ଘୋଷ କଟକରେ ଆୟୋଜିତ ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଭଲ ପ୍ରଦର୍ଶନ କରି ବିଶ୍ବକପ୍ ଖେଳିବାର ସୁଯୋଗ ପାଇଛନ୍ତି। ସୂଚନାଯୋଗ୍ୟ; ୨୦୧୮ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଚମ୍ପିଆନ୍ ହୋଇଥିଲା। ଏଥର ବିଶ୍ବକପ୍‌ରେ ଗତ ଚମ୍ପିଆନ ତଥା ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ଗତ ବିଶ୍ବକପ୍ ପରଠାରୁ ଭାରତ ତୁଳନାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ପ୍ରଦର୍ଶନ ବହୁତ ଭଲ ଅଛି। ତେଣୁ ଉଭୟ ଦଳଙ୍କୁ ଏଥିର ଫେଭରିଟ୍‌ର ମାନ୍ୟତା ମିଳିଛି।
ତେବେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଲାଗି ପ୍ରସ୍ତୁତ ହେବା ପାଇଁ ଭାରତ ଓ ଇଂଲଣ୍ଡ ସହ ଅଷ୍ଟ୍ରେଲିଆ ଏକ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ବିଶ୍ବକପ୍ ପାଇଁ ଘୋଷିିତ ୧୫ ଜଣିଆ ଭାରତୀୟ ଦଳର ୧୫ ଜଣିଆ ଖେଳାଳିଙ୍କ ସହ ୧୬ଶ ସଦସ୍ୟା ଭାବେ ନୁଝତ୍‌ ପରୱିନ୍‌ଙ୍କୁ ଉକ୍ତ ଦଳରେ ସାମିଲ କରାଯାଇଛି। ଉକ୍ତ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଜାନୁୟାରୀ ୩୧ରୁ ଆରମ୍ଭହେବ। ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୧୦ଟି ଦଳ ଭାଗ ନେଉଛନ୍ତି। ସେମାନଙ୍କୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଭାରତ ସହ ଗ୍ରୁପ୍ ‘ଏ’ରେ ଥିବା ଦଳମାନେ ହେଲେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ। ପ୍ରତି ଗ୍ରୁପ୍‌ର ପ୍ରଥମ ୨ଟି ଦଳ ସେମିଫାଇନାଲ ଖେଳିବେ।

ଭାରତୀୟ ମହିଳା ଟ୍ବେଣ୍ଟି୨୦ ଦଳ
ହରମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ସେଫାଳି ବର୍ମା, ଜେମିମା ରଡ୍ରିଗ୍ବେଜ୍, ହର୍ଲିନ୍ ଦେଓଲ, ଦୀପ୍ତି ଶର୍ମା, ବେଦା କୃଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ୍ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍‌ୱାଡ୍‌, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର ଓ ଅରୁନ୍ଧତୀ ରେଡ୍‌ଡୀ।

 

Comments
Loading...