ଜଳଯୋଗାଣ ଦାବୀରେ ଗ୍ରାମ୍ୟ ଜଳ ଓ ପରିମଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ମହିଳା

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‍ ବାମଣ୍ଡା ଗ୍ରାମ ପଞ୍ଚାୟତର ତଳସାହି ଓ ଗୁମ୍ଫାସାହିକୁ ଗ୍ରାମରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ଜଳଯୋଗାଣ ହୋଇ ପାରୁ ନ ଥିବା ଯୋଗୁଁ ଗ୍ରାମକୁ ପାଣି ଯୋଗାଇ ଦେବା ଦାବିରେ ଗ୍ରାମର ମହିଳାମାନେ ଆଜି ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଅଭିଯୋଗରୁ ଜଣାଯାଏ ଯେ, ନାଏକପଡା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଜଳଯୋଗାଣ ପ୍ରକଳ୍ପରେ ନିମ୍ନମାନର ପ୍ଲାଷ୍ଟିକ ପାଇପ ବ୍ୟବହାର ହୋଇଥିବାରୁ ବାରମ୍ବାର ପାଇପ ଫାଟି ଜଳଯୋଗାଣ ବାଧାପ୍ରାପ୍ତ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀ ଅଭିଯୋଗ କଲାପରେ ବର୍ତ୍ତମାନ କିଛି ଅଂଚଳରେ ଲୁହାପାଇପ ବିଛାଯାଇଛି ଓ ପ୍ଲାଷ୍ଟିକ ପାଇପ ଫାଟିଥିବା ଯୋଗୁଁ ପ୍ରାୟ ୭୫ ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଜଳ ସମସ୍ୟା ଯୋଗୁଁ ବିଶେଷ କରି ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ନାଏକପଡା ତଳ ସାହି ଓ ଗୁମ୍ଫା ସାହିକୁ ଲୁହା ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Comments are closed.