୧୦ କିମି ଚାଲିଚାଲି କଣ୍ଡରା, କାଚପାଜୁରେ ପହଞ୍ଚିଲେ ମହିଳା ଅଧିକାରୀ

ହରଭଙ୍ଗା : ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା କଣ୍ଡରା-କାଚପାଜୁ ଗାଁରେ ବୁଧୁବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବାଷ୍ଟିନ୍ କୁଜୁରୁ ଏବଂ ହରଭଙ୍ଗା ଶିଶୁ ବିକାଶ ଅଧିକାରୀ ନିରୁପମା ପାଣି, ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ,ସୁପରଭାଇଜର ଯଜ୍ଞ ନନ୍ଦ ପ୍ରମୁଖ ପହଞ୍ଚି କାଚପାଜୁ ଅଙ୍ଗନୱାଡୀ କେନ୍ଦ୍ର ସହିତ ପ୍ରାଥମିକ ସ୍କୁଲ ପରିଦର୍ଶନ କରିଥିବା ଜଣାପଡିଛି। ଅଙ୍ଗନୱାଡୀ କର୍ମୀ ଏବଂ ସହାୟିକାଙ୍କ ହରାତାଳ ଯୋଗୁଁ କେନ୍ଦ୍ରଗୁଡିକ ୧୭ଦିନ ହେଲା ବନ୍ଦ ରହିଛି । ଶିଶୁଙ୍କ ବିକାଶ ପାଇଁ ଦିଆଯାଇଥିବା ଛତୁଆ ଶିଶୁଙ୍କ ପାଖରେ ପହଞ୍ଚିଛି କି ନାହିଁ ସେ ସବୁ ତଦାରଖ କରିଥିଲେ। ଛତୁଆର ମାନ ଯାଞ୍ଚ କରିବା ସହିତ ଖୁଆଇବା ନିୟମ ମଧ୍ୟ ମାଆମାନଙ୍କୁ ଶିଖାଇଥିଲେ। ସ୍ୱୟଂସହାୟକ ଦଳଗୁଡିକ ମିଶନ ଶକ୍ତି ଯୋଜନାରେ କରିଥିବା ଛେଳି, ମେଣ୍ଢା ପାଳନ ମଧ୍ୟ ବୁଲି ଦେଖିଥିଲେ।ସେଠାକାର ଅଧିବାସୀଙ୍କୁ ବାଲ୍ୟ ବିବାହ ସମ୍ପର୍କରେ ସଚେତନତା ମଧ୍ୟ କରିଥିଲେ। କାଚପାଜୁ ପ୍ରାଥମିକ ସ୍କୁଲକୁ ଯାଇ ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହ ମଧ୍ୟାହ୍ନ ଭୋଜନ ଆଦିର ତଦାରଖ କରିଥିଲେ। ଦୀର୍ଘ ୧୦ କିଲୋମିଟର ଚାଲି ଚାଲି ୪ଜଣ ମହିଳା କର୍ମଚାରୀ ଦୁର୍ଗମ କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ସାରୁପଦର ଭଳି ୫ଟି ଗାଁ ପରିଦର୍ଶନ କରି ଫେରିଥିବା ଜଣାପଡିଛି । ମହିଳା କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
Comments are closed.