ଦୁଇ ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ପରିଶ୍ରମର ମୂଲ୍ୟ ଅଛି, ଏହି ଉକ୍ତିର ଯଥାର୍ଥତାକୁ ବେଶ୍ ଭଲଭାବେ ହୃଦୟଙ୍ଗମ କରିଛନ୍ତି ବେଙ୍ଗାଲୁରୁନିବାସୀ ଦୁଇ ମହିଳା ଶୈଲା ଗୁରୁଦତ୍ତ ଓ ଲକ୍ଷ୍ମୀ ଭୀମାଚାର। ଏକ ନାମୀ ସଫ୍ଟୱେୟାର କମ୍ପାନୀର ଉଚ୍ଚପଦରେ କାର୍ଯ୍ୟରତ ଦୁଇ ବାନ୍ଧବୀ ଚାହୁଁଥିଲେ କିଛି ଭିନ୍ନ କାମ କରିବାକୁ। ସେମାନଙ୍କର ମୁଖ୍ୟ ଚିନ୍ତା ଥିଲା, ପ୍ରଦୂଷଣ ସ୍ତରକୁ କିପରି ରୋକିବେ?

ଆମ ଭାରତରେ ଏବେ ମହାନଗରୀଗୁଡ଼ିକର ଚିତ୍ରପଟ ଭିନ୍ନ, ବିଭିନ୍ନ ସହରରେ ମଲ୍, ଗାଡ଼ିମଟରର ଭିଡ଼ ବଢ଼ିବାରେ ଲାଗିଛି। ଏସବୁ ଭିତରେ କିନ୍ତୁ ଆମେ ପ୍ରଦୂଷଣକୁ ରୋକିବାକୁ ଆଦୌ ଚେଷ୍ଟା କରୁନାହାନ୍ତି। ଶୈଲା ଓ ଲକ୍ଷ୍ମୀ ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ ପ୍ରଥମ ପଦକ୍ଷେପ ଭାବେ ପ୍ଲାଷ୍ଟିକ୍ ଥାଳି, କପ୍, ଦନା ପରିବର୍ତ୍ତେ ‘ଇକୋ-ଫ୍ରେଣ୍ଡଲି’ ଥାଳି, ଚାମଚ, ଛୁରି କରିବାକୁ ଯୋଜନା କଲେ। ଦେଖନ୍ତୁ ଭିଡିଓ (ସୌଜନ୍ୟ-ଭାସ୍କର)

https://dainik-b.in/kNb3RYcyn8

ଏସବୁ କାମ ଆଦୌ ସହଜ ନଥିଲା ହେଲେ ସେମାନେ ମନୋବଳ ଦୃଢ଼ କରିନେଲେ। ପାଖାପାଖି ୧ ବର୍ଷର ନିରନ୍ତର ପରିଶ୍ରମ ପରେ ଶୈଲା, ଲକ୍ଷ୍ମୀ ସଫଳ ହେଲେ, ଏହା ପରେ ଦୁହେଁ ମୋଟା ଅଙ୍କ ବେତନବିଶିଷ୍ଟ ଚାକିରି ଛାଡ଼ିଲେ। ଅଟା, ବେସନ ଇତ୍ୟାଦି ସାମଗ୍ରୀକୁ ଉପଯୋଗ କରି ପ୍ଲେଟ୍, ଚାମଚ, ଗିଲାସ, କପ୍ ଇତ୍ୟାଦି ତିଆରି ହୋଇଥିଲା। କମ୍ପାନୀର ନାମ ‘ଏଡିବଲ୍ ପ୍ରୋ’ ଓ ୮୦ରୁ ଅଧିକ ସାମଗ୍ରୀ ଦୁହେଁ ମିଶି ତିଆରି କରିଛନ୍ତି।

ଲକ୍-ଡାଉନ୍ ପୂର୍ବରୁ ସେମାନଙ୍କ ବ୍ୟବସାୟ ଆରମ୍ଭ ହୋଇଥିଲା ଓ କରୋନା ଶଟ୍‌-ଡାଉନ୍ ସମୟରେ ମଧ୍ୟ ସେମାନଙ୍କ ଏହି ଇକୋ-ଫ୍ରେଣ୍ଡଲି ଥାଳି, ଚାମର ଲୋକପ୍ରିୟତା ଓ ବିକ୍ରି ବଢ଼ିଥିଲା। କାରଣ ସେସମୟରେ ଅଧିକାଂଶ ଏଭଳି ଥାଳି, ଗିଲାସ କିଣିବାକୁ ପସନ୍ଦ କରିଥିଲେ, ଯେଉଁଥିରେ ଭୋଜନ କରିବା ପରେ ସେଇ ପରଷାଥାଳିକୁ ଖାଇହେବ। ଏସବୁ ଥାଳି, ଗିଲାସ ୬ମାସ ପର୍ଯ୍ୟନ୍ତ ଖରାପ ହୋଇନଥାଏ। ପାଳଙ୍ଗ ଶାଗ, ଗାଜର, ବିଟ୍ ସହ ଅନ୍ୟାନ୍ୟ ଫଳରସ ମିଶାଇ ଏସବୁ ଥାଳି ତିଆରି କରାଯାଉଥିବାର ଜଣାପଡ଼ିଛି।

ଶୈଲା କହିଛନ୍ତି, ଚାକିରି ଛାଡ଼ିବାବେଳେ ତାଙ୍କ ପରିବାର ଲୋକ ଖୁବ୍ ବିରକ୍ତ ହୋଇଥିଲେ। ଏସବୁ ଇକୋ-ଫ୍ରେଣ୍ଡଲି ଜିନିଷର ଆଦର ଭାରତରେ ବଢ଼ିବା ଅସମ୍ଭବ ବୋଲି ଅଧିକାଂଶ ସାଙ୍ଗ ଯୁକ୍ତି ବାଢ଼ିଥିଲେ। ସମସ୍ତଙ୍କ ନକାରାତ୍ମକ ଉପଦେଶ ଶୁଣି ମଧ୍ୟ ସେ ଓ ଲକ୍ଷ୍ମୀ ନିଜ ଲକ୍ଷ୍ୟରେ ଆଗକୁ ବଢ଼ି ସଫଳ ହୋଇ ପାରିଛନ୍ତି।

Comments are closed.