ମହିଳାଙ୍କୁ ବଞ୍ଚିବାର ରାହା ଦେଇଛି ବ୍ୟବସାୟ

ବଲାଙ୍ଗିର: ବଲାଙ୍ଗିର ସହରରେ ଉଠାଦୋକାନୀ ମାନେ ସାଧାରଣତଃ ରାତି ୧୦ ଯାଏଁ ନିଜ ନିଜ ବ୍ୟବସାୟ କରୁଥିବା ବେଳେ ସହରରେ ଚର୍ଚ୍ଚାରେ ରହିଛନ୍ତି କିଛି ମହିଳା ବ୍ୟବସାୟୀ। ପୂର୍ବରୁ ମହିଳାମାନଙ୍କୁ ବ୍ୟବସାୟରେ କ୍ୱିଚିତ ଦେଖାଯାଉଥିବା ବେଳେ ଏବେ ତାହା ଧିରେ ଧିରେ ବଢିବାରେ ଲାଗିଲାଣି। ବ୍ୟବସାୟ ଏଭଳି ଏକ ସ୍ଥାନ ଯେଉଁଠି ଟଙ୍କା ରୋଜଗାର କରିବାର ସେଭଳି ପରିସୀମା ନାହିଁ। ନିଜେ ନିଜର ସ୍ୱୟଂ ମାଲିକ। ବଲାଙ୍ଗିର ସହର ପରିକ୍ରମା କରିବା ସମୟରେ ମହିଳାଙ୍କ ସଶକ୍ତ ପରିଲକ୍ଷିତ ହୋଇଥିଲା। ଜୀବନ ଜୀବିକାର ଜୀବନରେ ସବୁକିଛି ପଛରେ ପକେଇ ସୁଦୂର ଲାଞ୍ଜିଗଡରୁ ବ୍ୟବସାୟ ପାଇଁ ବଲାଙ୍ଗିରକୁ ଚାଲି ଆସିଛନ୍ତି।

ଏଭଳି ଜଣେ ମହିଳା ହେଉଛନ୍ତି ଉମା ନିଆଲ। ୫ ଜଣ ଶିଶୁର ମା’ ହୋଇଥିିବା ବେଳେ ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ତାଙ୍କ ସଂକଳ୍ପ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଋତୁକାଳୀନ ବ୍ୟବସାୟ କରୁଥିବା ଉମା ବିଷମ କଟକରୁ ସପୁରି ପଣସ କିଣି ବଲାଙ୍ଗିର ସହରରେ ସିଧାସଳଖ ଗ୍ରାହକୁ ବିକ୍ରି କରୁଛନ୍ତି। ଏଥିରୁ ବେଶ ଦୁଇ ପଇସା ଲାଭ ପାଉଥିବା କୁହନ୍ତି ଉମା। ବର୍ଷା ସମୟରେ ମାତ୍ର ଗୋଟେ ଏକର ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ଧାନ ଅପେକ୍ଷା ଡାଳି ଜାତୀୟ ଚାଷକୁ ଅଧିକ ଗୁରୁତ୍ୱ ଦେଉଥିବା କୁହନ୍ତି। ମରୁଡି ଯୋଗୁଁ ଚାଷ କାର୍ଯ୍ୟ ବେଶ କ୍ଷତି ହେଉଥିବାରୁ ଏବେ ବ୍ୟବସାୟ ହିଁ ବଞ୍ଚିବାର ରାହା ଦେଇଛି ବୋଲି ସେ କୁହନ୍ତି।

ସେହିପରି ମାଲପଡାର ବୃଦ୍ଧା ସୁକୃବାରୀ ପୋଢଙ୍କ ମଧ୍ୟ କାହାଣୀ ମଧ୍ୟ କମ ନୁହେଁ। ଘରେ ବସି ରହିବା ଅପେକ୍ଷା ବୟସର ସାୟାହ୍ନରେ ନିଜ ସାନ ପୁଅ ନୀଳକଣ୍ଠକୁ ବ୍ୟବସାୟରେ ସହାୟତା କରି ଆସୁଛନ୍ତି। ସକାଳ ପ୍ରାୟ ୭ଟା ରୁ ରାତି ସାଢେ ୧୦ଟା ଯାଏଁ ପୁଅ ସାଥୀରେ ରୁହନ୍ତି। ପୁଅ ପକ୍ଷଘାତରେ ଗୋଟେ ହାତ ଅଚଳ ହୋଇଥିବା ବେଳେ ଏବେ ଅସହାୟ ହୋଇଯାଇଛନ୍ତି। ଘରେ ଦୀର୍ଘ ଦିନ ଧରି ପଡି ରହିବା ପରେ ତାଙ୍କ ମା’ଙ୍କ ପରାମର୍ଶ କ୍ରମେ ପୁଣି ବ୍ୟବସାୟ ଆରମ୍ଭ କଲେ। ଗୋଟିଏ ହାତ ଅଚଳ ହୋଇଯାଇଥିବା ବେଳେ ଏବେ ମା’ଙ୍କ ଦୁଇ ହାତ ତାଙ୍କ ବ୍ୟବସାୟରେ ସହାୟତାର ହାତ ବଢିଛି। ସୁଖ ଦୁଃଖର ସଂସାରରେ ଦୁଇ ମା ପୁଅ କାହାକୁ ହାତ ପତେଇବା ଅପେକ୍ଷା ନିଜ ପରିଶ୍ରମରେ ବଞ୍ଚୁଛନ୍ତି। ତେବେ ତାଙ୍କ ସମସ୍ୟା କହିଲେ ଦୀର୍ଘ ଦିନ ହେଲା ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ ହେଁ ପକ୍ଷଘାତରେ ପିଡୀତ ପୁଅକୁ ମିଲିନାହିଁ। ଏ ଅଫିସରୁ ସେ ଅଫିସ ଧାଇଁଥିଲେ ହେଁ କିଛି ସୁଫଳ ମିଲିନାହିଁ। ତେବେ ସେ ଯାହା ହେଉ ଜୀବନ ଜୀବିକାର ଜୀବନରେ ମହିଳାମାନଙ୍କ ସଂଘର୍ଷ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ହୋଇ ରହିବ।

Comments are closed.