ବିଯୁକ୍ତ ୩ ତାପମାତ୍ରାରେ କ୍ଷେତରେ ଶିଶୁକୁ ଜନ୍ମ ଦେଲେ ପ୍ରସୂତି

ପିଥୋରାଗଡ: ଉତ୍ତରାଖଣ୍ଡର ପିଥୋରାଗଡ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୩ (-୩) ଥିବା ବେଳେ କ୍ଷେତ ମଧ୍ୟରେ ଜଣେ ମହିଳା ଶିଶୁକୁ ଜନ୍ମ ଦେଇଛନ୍ତି। ସୌଭାଗ୍ୟବଶତଃ ମା’ ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ପିଥୋରାଗଡ ଅନ୍ତର୍ଗତ ମୁନସ୍ୟାରୀ ଅଞ୍ଚଳର ମାଲୁପାତୀ ଗାଁର ଗିରୀଶ ଗୋସ୍ବାମୀଙ୍କ ସ୍ତ୍ରୀ ସଙ୍ଗୀତା ଦେବୀ ଶୁକ୍ରବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନଥିବାରୁ ପ୍ରସୂତି ଆସନ୍ନ ମହିଳାଙ୍କୁ ଭାରାରେ ବୋହି କ୍ଷେତ ରାସ୍ତା ଦେଇ ମୁନସ୍ୟାରୀ ହସ୍ପିଟାଲକୁ ନିଆଯାଉଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଗାଁଠାରୁ ମାତ୍ର ୪ କିମି ଦୂରତାରେ କ୍ଷେତ ରାସ୍ତା ମଧ୍ୟରେ ପ୍ରସୂତି ଏକ ଶିଶୁକୁ ଜନ୍ମ ଦେଇଥିଲେ। ସେହି ସମୟରେ ସେଠାକାର ତାପମାତ୍ରା ବିଯୁକ୍ତ ୩ ବା -୩ ଥିଲା। ଏତେ କମ୍ ତାପମାତ୍ରାରେ ଶିଶୁ ଜନ୍ମ ହେବା ପରେ ଉଭୟ ମା’ ଓ ଶିଶୁକୁ ପରିବାରଲୋକ ପୁଣି ଘରକୁ ଫେରାଇ ନେଇଥିଲେ। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଥମ ଥର ନୁହେଁ ବୋଲି ସ୍ଥାନୀୟ ଜଣେ ସ୍ବେଚ୍ଛାସେବୀ କର୍ମୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଏଭଳି ଘଟଣା ମଧ୍ୟ ଘଟିଥିଲା।

Comments are closed.