ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା: ଖୋଲୁଛି ରହସ୍ୟ

0

ବ୍ରହ୍ମପୁର: ଛତ୍ରପୁର ରେଲୱେ ଫାଟକ ନିକଟ ଧାରଣାରୁ ଶୁକ୍ରବାର ସକାଳେ ଛତ୍ରପୁର ବ୍ଲକ ସୁନ୍ଦରପୁର ସ୍ବାସ୍ଥ୍ୟକେନ୍ଦ୍ର ଡା. ଅର୍ଚ୍ଚନା ଦାଶଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଖୋଲିବାରେ ଲାଗିଛି । ଅର୍ଚ୍ଚନାଙ୍କ ସ୍ବାମୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଛାଡପତ୍ର ପିଟିଶନ ଭୁବନେଶ୍ୱରସ୍ଥିତ ପରିବାର ଜଜ୍ କୋର୍ଟରେ ଦାଖଲ କରାଯାଇଥିଲା । ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବେ ବୋଲି ନୋଟିସ୍ ପାଇବା ପରେ ଅର୍ଚ୍ଚନା ଭାଙ୍ଗିପଡିଥିଲେ । ସମସ୍ୟା ସମାଧାନ ହେଉ ଏବଂ ପରିବାର ନ ଭାଙ୍ଗୁ ବୋଲି ସ୍ବାମୀ ଓ ଶ୍ୱଶୁରଙ୍କୁ ଅନୁରୋଧ କରିଥିଲେ ବୋଲି ଜଣାପଡିଛି। କୋର୍ଟ ନୋଟିସ୍ ପାଇବା ପରେ ଅର୍ଚ୍ଚନା ଛତ୍ରପୁର ଥାନାର ସହାୟତା ଚାହିଁଥିଲେ । ମାତ୍ର ତାହା ମଧ୍ୟ ମିଳି ନ ଥିଲା ବୋଲି ମାଆ କୁସୁମ ପ୍ରଭା ମିଶ୍ର ଅଭିଯୋଗ କରିଛନ୍ତି। ଅର୍ଚ୍ଚନାଙ୍କ ମସ୍ତିଷ୍କ ବିକୃତି ଥିବା ତାଙ୍କ ସ୍ବାମୀ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଏହା ଉପରେ ଅର୍ଚ୍ଚନାଙ୍କ ବାପା ରଘୁନାଥ ଦାଶ କହିଛନ୍ତି, ମୁଣ୍ଡ ଖରାପ ଥିଲା ଯଦି ଡାକ୍ତର ନିଯୁକ୍ତି ମିଳିଥିଲା କିପରି ବୋଲି ପ୍ରଶ୍ନ କରିଛନ୍ତି। ଅର୍ଚ୍ଚନାଙ୍କୁ ଡାଇବେଟିସ୍ ଥିବା ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଜାଣିଥିଲେ ବୋଲି ରଘୁନାଥ କହିଛନ୍ତି। ମୃତା ଅର୍ଚ୍ଚନାଙ୍କ ମାଆ ଛତ୍ରପୁର ଥାନା ପୋଲିସକୁ ଆକ୍ଷେପ କରିଛନ୍ତି। ଏ ସମ୍ପର୍କରେ ତଦନ୍ତ କରିବାକୁ ସେ ଗଞ୍ଜାମ ଏସପିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଛତ୍ରପୁର ଥାନାକୁ ୧୬ ତାରିଖରେ ୨ ଥର ଯାଇ ଝିଅଙ୍କ ସମସ୍ୟା ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା । ଏପରିକି ସନ୍ଧ୍ୟାରେ ଝିଅ ଅର୍ଚ୍ଚନା ମଧ୍ୟ ମାଆଙ୍କ ସହ ଛତ୍ରପୁର ଥାନାକୁ ଯାଇଥିଲା। ମାତ୍ର ଛତ୍ରପୁର ପୋଲିସ କୌଣସି ସହାୟତା ନକରି ଚନ୍ଦ୍ରଶେଖରପୁର ଥାନାରେ ଜଣାଇବାକୁ କହିଥିଲେ ବୋଲି ମାଆ ଅଭିଯୋଗ କରିଛନ୍ତି। ଶୁକ୍ରବାର ଭୋରରୁ ଘରୁ ଅର୍ଚ୍ଚନା ନିଖୋଜ ହେବା ନେଇ ଥାନାକୁ ଫୋନ୍ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ହେଁ ଏହାକୁ ରିସିଭ କରାଯାଇନଥିବା କୁସୁମ ପ୍ରଭା ଅଭିଯୋଗ କରିଛନ୍ତି। ଅର୍ଚ୍ଚନାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଦେଉଥିବା ନିର୍ଯ୍ୟାତନା ନେଇ ଏତଲାକୁ ଭିତ୍ତି କରି ଛତ୍ରପୁର ପୋଲିସ ମୃତା ଅର୍ଚ୍ଚନାଙ୍କ ସ୍ବାମୀଙ୍କ ସମେତ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏମାନଙ୍କୁ ଧରିବା ପାଇଁ ଭୁବନେଶ୍ୱରକୁ ଏକ ପୋଲିସର ଟିମ୍ ଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave A Reply