ବାପଘରେ ବିବାହିତ ମହିଳାଙ୍କ ମୃତ୍ୟୁ: ଥାନାରେ ମାମାଲା, ପୁଲିସର ତଦନ୍ତ ଆରମ୍ଭ

ବୌଦ୍ଧ,ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ଅର୍ନ୍ତଗତ ଫୁଲଝରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପ ଘରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ହେବା ପରେ ବାପଘର ଲୋକ ଶବକୁ ପୋଡି ଦେଇଥିବାରୁ ବର୍ତ୍ତମାନ ସନେ୍ଧହ ଘେରରେ ବାପଘର ଲୋକଥିବା ଜଣାପଡିଛି। ମିଳିଥିବା ସୁଚନା ମୁତାବକ ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫) ରାମଗଡ ଗ୍ରାମର ଖଶେଶ୍ୱର ଜଗଦଲାଙ୍କୁ ଦୀର୍ଘ ବର୍ଷ ହେବ ବିବାହ କରିଥିଲା। ଜିରାଙ୍କ ବଡ ବଡ ପୁଅ ଓ ଝିଅ ମଧ୍ୟ ଅଛନ୍ତି। କୌଣସି କାରଣରୁ ଜିରା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନମାଳିନ ହୋଇଥିବା ଯୋଗୁଁ ପ୍ରାୟ ଏକ ମାସ ହେବ ଜିରା ବାପଘରେ ଆସି ରହୁଥିଲା। କିନ୍ତୁ ଗତ ଗୁରୁବାର ଦିନ ଜିରା ବାପଘର ଗାଁ ନିକଟସ୍ଥ ଏକ ଗଛରେ ଆତ୍ମହତ୍ୟା କରିଥିଲା। ଆତ୍ମହତ୍ୟା ପରେ ଜିରାର ବାପଘର ଲୋକ ଶବକୁ ରାତାରାତି ପୋଡାଇ ଦେଇଥିଲେ।

 

ଏପେଟ ଶବକୁ ପୋଡିଦେଇଥିଲେ ସୁଧା ଜିରାର ସ୍ୱାମୀ କି ତାର ପୁଅ ଝିଅଙ୍କୁ କୌଣସି ଖବର ଦେଇନଥିବା ନେଇ ମୃତ ଜିରାର ସ୍ୱାମୀ ତାର ସ୍ତ୍ରୀକୁ ବାପଘର ଲୋକ ପୋଡି ମାରିଦେଇଥିବା ନେଇ ଅଭିଯୋଗ କରିବା ପରେ ଏବେ ସନେ୍ଧହ ଘେରରେ ଜିରାର ବାପଘର ଲୋକ। ଏପେଟ କିନ୍ତୁ ମୃତ ଜିରାର ବାପଘର ଲୋକଙ୍କ କହିବା କଥା ତାର ସ୍ୱାମୀ ଉକ୍ତ ଦିନ ଜିରାକୁ ନେବାକୁ ଆସିଥିଲା ଓ ଜିରାର ତା ସହିତ ସନ୍ଧ୍ୟାରେ ଯାଇଥିବା ମଧ୍ୟ କହୁଛନ୍ତି। ଏନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅପମୃତ୍ୟୁ ମାମଲା ୪/୨୧ ରେ ରୁଜୁ କରି ପୋଡାଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

 

Comments are closed.