ମହିଳା ହିଂସା ୫୦% ବୃଦ୍ଧି

ଭୁବନେଶ୍ବର: ଲକ୍ଡାଉନ୍ ସମୟରେ ଘରେ ରହି ବି ମହିଳାମାନେ ସୁରକ୍ଷିତ ନୁହନ୍ତି। ଏହି ଦେଢ଼ମାସ ମଧ୍ୟରେ ୫୦%ରୁ ଅଧିକ ମହିଳା ହିଂସା ମାମଲା ରେକର୍ଡ଼ ହୋଇଥିବା ଓଡ଼ିଶା ମହିଳା ହେଲ୍ପଲାଇନ ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ଏହି ସମୟରେ ଓଡ଼ିଶା ମହିଳା ହେଲ୍ପଲାଇନ ନିକଟକୁ ୨୦୪୯ ଅଭିଯୋଗ ଆସିଛି। ସେଥିମଧ୍ୟରୁ ୨୪୫ଟି କେବଳ ଘରୋଇ ହିଂସା ହୋଇଥିବାବେଳେ ୨୨୨ଟି ଅନ୍ୟାନ୍ୟ ଅଭିଯୋଗ ଅନ୍ତର୍ଭୁକ୍ତ। ପୂର୍ବରୁ ଦିନକୁ ୧୫ରୁ ୨୦ ଅଭିଯୋଗ ଆସୁଥିଲା ା ବର୍ତ୍ତମାନ ଏହା ୬୦ରୁ ଊର୍ଦ୍ଧ୍ବରେ ପହଞ୍ଚିଛି ବୋଲି ହେଲ୍ପଲାଇନ ୧୮୧ର ପରିଚାଳିକା ପ୍ରଜ୍ଞା ପାରମିତା ବସ୍ତିଆ କହିଛନ୍ତି। ଏଥିମଧ୍ୟରେ ଅଧିକାଂଶ ଯୌତୁକଜନିତ। ଏସବୁକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ୧୮୧ ଏବଂ ଘରୋଇ ହିଂସା ପାଇଁ ହ୍ୱାଟ୍ସଆପ୍ ନମ୍ବର- ୭୨୦୫୦୦୬୦୩୯ ଜାରି କରାଯାଇଛି। ଅଭିଯୋଗ ପାଇବା କ୍ଷଣି ହେଲ୍ପଲାଇନ ପକ୍ଷରୁ ମହିଳାଙ୍କୁ ସୁରକ୍ଷିତ ଭାବେ ତତ୍କାଳ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ପରାମର୍ଶ ଦିଆଯାଉଛି।
ଏଥିପାଇଁ ପ୍ରତ୍ୟେକ ଜିଲାରେ ଥିବା ୱାନ୍ଷ୍ଟପ୍ ସେଣ୍ଟର ବା ସଖୀ ସେଣ୍ଟର ସହିତ ଯୋଗାଯୋଗ, ପୁଲିସ ନିକଟରେ ଅଭିଯୋଗ, ହସ୍ପାତାଳ ଓ ଆଇନ ସହାୟତା ଏବଂ ଆପାତକାଳୀନ ଉଦ୍ଧାର ତଥା ବିଭିନ୍ନ ବିଭାଗ ସହ ସଂଯୋଗ ସ୍ଥାପନ କରି ଅଭିଯୋଗକାରିଣୀଙ୍କୁ ସହଯୋଗ କରାଯାଉଛି। ଏହି ଘଡ଼ିସନ୍ଧି ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ଯଦିଓ ବଢ଼ିଛି ତଥାପି ମୁକାବିଲା କରିବାରେ ମହିଳାମାନେ ପୂର୍ବାପେକ୍ଷା ଅଧିକ ସଚେତନ ହୋଇଛନ୍ତି ବୋଲି କହିଛନ୍ତି ପ୍ରଜ୍ଞା ପାରମିତା।