ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦: ଭାରତକୁ ହରାଇଲା ଅଷ୍ଟ୍ରେଲିଆ

କାନ୍‌ବେରା: ଏଠାରେ ଚାଲିଥିବା ମହିଳା ତ୍ରିରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତା’ର ୨ୟ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ଦଳ। ଏଲିଜ୍ ପେରିଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଭାରତକୁ ୪ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ସ୍ମୃତି ମାନ୍ଧାନା ଓ ହରମନପ୍ରୀତ କୌରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତୀୟ ମହିଳା ୨୦ ଓଭର ଶେଷରେ ୯ ୱିକେଟ ହରାଇ ୧୦୩ ରନ୍ କରିଥିଲା। ପରେ ଏଲିଜ୍ ପେରିଙ୍କ ୪୯ ରନ୍ ବଳରେ ୧୮.୫ ଓଭରରେ ୬ ୱିକେଟ ହରାଇ ଅଷ୍ଟ୍ରେଲିଆ ଜିତିଥିଲା। ଏହି ମ୍ୟାଚ୍‌ ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ ୨ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବା ବେଳେ ସମସ୍ତେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ପରବର୍ତ୍ତୀ ଲିଗ୍ ମ୍ୟାଚ୍ ଖେଳିବ।

ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଦୁଇ ଯୁବ ପ୍ରତିଭା ସେଫାଳି ବର୍ମା ୫ ଓ ଜେମିମା ରଡ୍ରିଗ୍ବେଜ୍ ୧ ରନ୍‌କରି ଆଉଟ ହୋଇ ଯାଇଥିଲେ। ୧୬ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଅନ୍ୟ ଓପ୍‌ନର ସ୍ମୃତି ମାନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌର ୪୦ ରନ୍ ଯୋଗ କରିଥିଲେ। ବାମହାତି ମାନ୍ଧାନା ବିସ୍ଫୋରକ ବ୍ୟାଟିଂକରି ୨୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୫ ରନ୍ କରିଥିଲେ। ହରମନପ୍ରୀତ ୩୨ ବଲ୍‌ରୁ ୪ଟି ଚୌକା ସହ ୨୮ ରନ୍ କରିଥିଲେ। ପରେ ଅନ୍ୟମାନେ ବିଫଳ ହେବାରୁ ଭାରତ ୨୧ ରନ୍‌ରେ ଶେଷ ୬ଟି ୱିକେଟ ହରାଇଥିଲା। ଅଷ୍ଟ୍ରେଲିଆର ଏଲିଜ୍ ପେରି ୪ଟି ଓ ଟାଏଲା ଭ୍ଲାଏମିଙ୍କ୍‌ ୩ଟି ୱିକେଟ ନେଇଥିଲେ। ୧୦୪ ରନ୍‌ ବିଜୟଲକ୍ଷ୍ୟର ପିଛାକରି ଅଷ୍ଟ୍ରେଲିଆ ୩୦ ରନ୍‌ରେ ୩ଟି ୱିକେଟ ହରାଇଥିଲା। ତେବେ ଆସ୍‌ଲେ ଗାର୍ଡନର ଓ ଏଲିଜ୍ ପେରି ଦଳକୁ ଜିତାଇଥିଲେ। ଗାର୍ଡନର ୧୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ଏବଂ ପେରି ୪୭ ବଲ୍‌ରୁ ୮ଟି ଚୌକା ସହ ୪୯ ରନ୍‌ କରିଛନ୍ତି। ଭାରତର ରାଜେଶ୍ବରୀ ଗାଏକ୍‌ୱାଡ୍ ୨ଟି ୱିକେଟ ନେଇଥିଲେ। ଏଲିଜ୍ ପେରି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Comments are closed.