ଗୋଆର ପୂର୍ବତନ ମନ୍ତ୍ରୀଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା ନିଖୋଜ

ପାଣାଜୀ : ଗୋଆର ପୂର୍ବତନ ମନ୍ତ୍ରୀ, କଂଗ୍ରେସ ନେତା ତଥା ପାଣାଜୀ ବିଧନସଭା ଉପନିର୍ବାଚନ ପ୍ରାର୍ଥୀ ଅତାନାସିଓ ମୋନସେରେଟ ଓରଫ ବାବୁଶଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ମହିଳା କେଉଁଆଡେ ନିଖୋଜ ହୋଇଯାଇଛନ୍ତି।
ପୁଲିସ୍‍ ସୋମବାର ସୂଚନା ଦେଇଛି ଯେ ମହିଳା ଜଣକ ପାଣାଜୀସ୍ଥିତ ଏକ ପୁନର୍ବାସ କେନ୍ଦ୍ରରୁ ନିଖୋଜ ହୋଇଛନ୍ତି। ମହିଳା ଜଣକ ୨୦୧୬ରେ ମୋନସେରେଟଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଥିଲେ ଯେ ସେତେବେଳେ ସେ ନାବାଳିକା ଥିଲେ।
ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଗୋଆ ଜିଲାର ଏକ ପୁନର୍ବାସ କେନ୍ଦ୍ରରେ ମହିଳା ଜଣକ ରହୁଥିଲେ। ୨୮ ଅପ୍ରେଲରୁ ସେ ନିଖୋଜ ଅଛନ୍ତି। ଗତ ସପ୍ତାହରେ ସେ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା।
ପ୍ରକାଶ ଯେ ପାଣାଜୀ ବିଧାନସଭା ଉପନିର୍ବାଚନରେ ମୋନସେରେଟଙ୍କୁ କଂଗ୍ରେସ ଟିକେଟ ପ୍ରଦାନ କରିଛି। ତାଙ୍କ ବିରୋଧରେ ୨୦୧୬ରେ ମହିଳା ଜଣକ ବଳାତ୍କାର ମାମଲା ରୁଜୁ କରିଥିଲେ। ସେତେବେଳେ ମହିଳା ଜଣକ ୧୭ ବର୍ଷ ବୟସର ହୋଇଥିଲେ। ମହିଳା ଜଣକ ଫ୍ୟାସନ ଡିଜାଇନିଂ ପାଠ ପଢୁଥିଲେ। ମହିଳାଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି।

Comments are closed.