ପୁଅ ଅସୁସ୍ଥ ଖବର ପାଇ ବାଇକରେ ୧୮ ଶହ କିଲୋମିଟର ଅତିକ୍ରମ କଲେ ମହିଳା

ପୁନେରୁ ଜାମସେଦପୁର ଯିବାକୁ ଲାଗିଲା ୫ ଦିନ, ୧୦ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ,

ଖାଇବା ପାଇଁ ୩ ଢ଼ାବାରେ ଅଟକିଥିଲେ । 

ପୁଣେ : ବିମାନଯାତ୍ରା ପାଇଁ ନଥିଲା ଟଙ୍କା। ଜ୍ୱରରେ ପୀଡ଼ିତ ପୁଅକୁ ଦେଖିବା ପାଇଁ ୫ ଦିନ ସ୍କୁଟର ଚଲାଇ ପୁଣେରୁ ଜାମସେଦପୁରରେ ପହଞ୍ଚିଲେ ଜଣେ  ମହିଳା । ପୁଣେରୁ ଜାମସେଦପୁର ଦୂରତା ୧୮୦୦ କିଲୋମିଟର। ୧୦ଟି ପେଟ୍ରୋଲ ପମ୍ପ ଓ ୩ଟି ଢାବାରେ ଅଟକିଥିଲେ। ମହିଳା ଜାମସେଦପୁରରେ ପହଂଚିବା ପରେ ତାଙ୍କର କୋଭିଡ଼ ଯାଞ୍ଚ ହୋଇଥିଲା। ଏହି ଯୁବତୀଙ୍କ ନାଁ ସୋନିଆ ଦାଶ ।

ସୂଚନା ଅନୁଯାୟୀ, ୨୬ ବର୍ଷ ବୟସ୍କା ସୋନିଆ  ପୁନେରେ ଚାକିରି କରୁଥିଲେ । ତାଙ୍କର ସ୍ବାମୀ ଓ ପୁଅ ଜାମସେଦପୁରରେ ରହୁଥିଲେ । କରୋନା ଯୋଗୁଁ ସୋନିଆ ଚାକିରି ହରାଇଥିଲେ । ମାତ୍ର ଅସୁବିଧା ଯୋଗୁଁ ଘରକୁ ଫେରି ପାରି ନ ଥିଲେ । କରୋନା ଯୋଗୁଁ ଯାତାୟତ ସମ୍ଭବ ହୋଇ ପାରୁ ନ ଥିଲା । ବିମାନଯାତ୍ରା ପାଇଁ ପାଖରେ ଟଙ୍କା ନ ଥିଲା । ଏହି ସମୟରେ ତାଙ୍କ ପୁଅ ଅସୁସ୍ଥ ହୋଇ ପଡ଼ିଥିବା ଖବର ତାଙ୍କୁ ମିଳିଥିଲା । କଦମାସ୍ଥିତ ଭାଟିଆ ବସ୍ତିରେ ରହୁଥିବା ଏହି ମହିଳା ପୁନେରୁ ଜାମସେଦପୁର ବାହାରିଥିଲେ । ସାଙ୍ଗରେ ଥିଲେ ଆଉ ବାନ୍ଧବୀ । ଦୁଇ ମହିଳା ପୁନେରୁ ଏକ ମୋଟର ସାଇକେଲରେ ବାହାରିଥିଲେ । ୧୮୦୦ କିଲୋମିଟର ଅତିକ୍ରମ କରିବାକୁ ତାଙ୍କୁ ପ୍ରାୟ ୫ ଦିନ ଲାଗିଥିଲା । ବାଟରେ ସେ ତେଲ ପକାଇବା, ଖାଇବା ପାଇଁ ପ୍ରାୟ ୧୩ଟି ସ୍ଥାନରେ ଅଟକିଥିଲେ । ସେଥିରୁ ୧୦ଟି ଥିଲା ପେଟ୍ରୋଲ ପମ୍ପ ଓ ୩ଟି ଥିଲା ଢ଼ାବା  । ସୋମବାରରୁ ବାହାରି ଶୁକ୍ରବାର ସନ୍ଧ୍ୟାରେ ସେ ଜାମସେଦପୁରରେ ପହଞ୍ଚିବା ପରେ ସେମାନଙ୍କର ଆଣ୍ଟିଜେନ ପରୀକ୍ଷା ହୋଇଥିଲା । ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ସେ ଘରକୁ ଯାଇ ପାରି ନ ଥିଲେ ମଧ୍ୟ ବାଲ୍କୋନୀରୁ ପରିବାର ଲୋକଙ୍କୁ ଦେଖିଥିଲେ । ମାତ୍ର ଜଣେ ଯୁବତୀ ହୋଇ ଏପରି ପଦକ୍ଷେପ ନେବା ସମ୍ପର୍କରେ ତାଙ୍କୁ ଯେତେବେଳେ ପଚରାଗଲା ସେତେବେଳେ ସେ ଅତି ସରଳ ଉତ୍ତର ଦେଇଥିଲେ । ପୁଅକୁ ଦେଖିବାକୁ ଇଚ୍ଛା ହେଉଥିଲା, ଟ୍ରେନ୍ ଚାଲୁ ନ ଥିଲା ଓ ବିମାନଯାତ୍ରା ପାଇଁ ଏତେ ଟଙ୍କା ନ ଥିଲା । ସେଥିପାଇଁ ସେ ଦୁଇ ଚକିଆରେ ପୁନେରୁ ଜାମସେଦପୁର ଚାଲି ଆସିଲେ ।

Comments are closed.