ଦୁଇ ଦଶନ୍ଧି ପରେ ଯୁଦ୍ଧପୋତରେ ମହିଳା ଅଧିକାରୀ

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଦୀର୍ଘ ୨୩ ବର୍ଷ ବ୍ୟବଧାନରେ ଯୁଦ୍ଧପୋତରେ ନିଯୁକ୍ତ ହୋଇଛନ୍ତି ମହିଳା ଅଧିକାରୀ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ୪ଜଣ ମହିଳା ଅଧିକାରୀଙ୍କୁ ନୌସେନା ନିୟୋଜିତ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଆଇଏନଏସ୍ ବିକ୍ରମାଦିତ୍ୟ ଓ ଅନ୍ୟ ଦୁଇ ଜଣ ଆଇଏନଏସ୍ ଶକ୍ତିରେ ନିଯୁକ୍ତ ହୋଇଛନ୍ତି। ଆଇଏନଏସ ଶକ୍ତିରେ ନିଯୁକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡାକ୍ତର। ୧୯୯୭ରେ ସର୍ବପ୍ରଥମ ଥର ପାଇଁ ଯୁଦ୍ଧପୋତ (ଆଇଏନ୍‌ଏସ୍‌ ଜ୍ୟୋତି)ରେ ମହିଳାଙ୍କୁ ନିଯୁକ୍ତି ଦିଆଇଥିଲା। ସେତେବେଳେ ଚିକିତ୍ସା ଓ ମାଲ ପରିବହନ କ୍ଷେତ୍ରରେ ସେମାନଙ୍କୁ ନିଯୁକ୍ତ କରାଯାଇଥିଲା। ପରେ ବିଭିନ୍ନ ସମସ୍ୟା କାରଣରୁ ଏହାକୁ ବନ୍ଦ କରି ଦିଆଯାଇଥିଲା; ତେବେ ଯୁଦ୍ଧ ପୋତରେ ମହିଳାଙ୍କୁ ନିଯୁକ୍ତି ଦିଆଯିବା ନେଇ କିଛି କାଳ ହେଲା ପୁନଃ ପ୍ରୟାସ ଆରମ୍ଭ ହୋଇଥିଲା। ଏହି ଉଦ୍ଦେଶ୍ୟରେ ମହିଳା ଅଧିକାରୀଙ୍କ ପାଇଁ ଯୁଦ୍ଧପୋତ ନିର୍ମାଣ ସମୟରେ ଏଥିରେ ଅଲଗା କ୍ୟାବିନ ଓ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଥିଲା। ସମ୍ପ୍ରତି ନୌସେନାର ବିଭିନ୍ନ ବିଭାଗରେ ୭୦୪ ମହିଳା କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬.୫ ପ୍ରତିଶତ ଅଫିସର ପାହ୍ୟାରେ କାର୍ଯ୍ୟରତ। ଗତ ସେପ୍ଟେମ୍ବରରେ ନୌସେନାର ହେଲିକପ୍ଟର ଚଳାଚଳ କ୍ଷେତ୍ରରେ ଦୁଇ ମହିଳା କୁମୁଦିନୀ ତ୍ୟାଗୀ ଓ ରୀତି ସିଂହଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅପରପକ୍ଷରେ ସ୍ଥଳ ସେନାରେ ସମ୍ପ୍ରତି ୯୧୧୮ ମହିଳା ବିଭିନ୍ନ ପଦରେ କାର୍ଯ୍ୟରତ ଥିବାବେଳେ ୨୦୧୫ରୁ ବିମାନ ବାହିନୀ ମହିଳାଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି। ଏବେ ମହିଳା ପାଇଲଟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି।

Comments are closed.