ରାସ୍ତାରେ ସନ୍ତାନ ଜନ୍ମ ଦେବା ପରେ ୧୭୦ କିଲୋମିଟର ଚାଲିଲେ ମହିଳା

ଭୋପାଳ: ରାସ୍ତାରେ ପ୍ରସବ କରିବା ପରେ ଜଣେ ମହିଳା ଦୀର୍ଘ ୧୭୦ କିଲୋମିଟର ଚାଲିଛନ୍ତି। ଲକଡାଉନ ଯୋଗୁ ନିଜ ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଛି। ମହିଳାଙ୍କ ଘର ମଧ୍ୟପ୍ରଦେଶରେ। ସେ ମହାରାଷ୍ଟ୍ରର ନାସିକରୁ ପରିବାର ଲୋକଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିଲେ। ତାଙ୍କ ସ୍ବାମୀ କହିଛନ୍ତି, ସନ୍ତାନ ଜନ୍ମ ଦେବା ପରେ ସେମାନେ ପ୍ରାୟ ୨ ଘଣ୍ଟା ବିଶ୍ରାସ ନେଇଥିଲେ। ଏହା ପରେ ପୁଣି ଥରେ ନିଜ ଘର ଅଭିମୁଖେ ବାହାରିବା ସହିତ ପ୍ରାୟ ୧୭୦ କିଲୋମିଟର ଚାଲି ଚାଲି ଯାଇଥିଲେ।

ମହିଳା ଜଣକ ନାସିକରୁ ନିଜ ଗାଁ ଉଚେହରା ଅଭିମୁଖେ ଚାଲି ଚାଲି ଯାଉଥିଲେ। କିନ୍ତୁ ନାସିକ ପରେ ପୀପରଗାଓଁରେ ମହିଳାଙ୍କର ପ୍ରସବ ହୋଇଥିଲା। ରାସ୍ତାରେ ମହିଳା ଜଣକ ପ୍ରସବ କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳି ନ ଥିଲା। ପ୍ରସବ ପରେ ପ୍ରାୟ ୧୭୦ କିଲୋମିଟର ଚାଲି ଚାଲି ମଧ୍ୟପ୍ରଦେଶ ସୀମାରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ସହାୟତା ମିଳିଥିଲା। ନିଜ ଗାଁ ଉଚେହରା ନିକଟ ଇଚୌଲ ଅଞ୍ଚଳରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଜନନୀ ଏକ୍ସପ୍ରେସରେ ହସ୍ପିଟାଲ ନିଆଯାଇଥିଲା। ଉଭୟ ନବଜାତ ଶିଶୁ ଏବଂ ତା’ର ମା’କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନ ଥିବା କୁହାଯାଇଛି।

ସତନା ବ୍ଲକ ମେଡିକାଲ ଅଫିସର ଏ.କେ. ରାୟ କହିଛନ୍ତି, ରାଜ୍ୟ ସୀମାନ୍ତରେ ମହିଳା ଜଣକ ପହଞ୍ଚିବା ପରେ ଆମକୁ ଏ ବିଷୟରେ ଖବର ମିଳିଥିଲା। ଫଳରେ ତାଙ୍କ ପାଇଁ ଜଜନୀ ଏକ୍ସପ୍ରେସର ବ୍ୟବସ୍ଥା କରାଯାଇଥିଲା। ଏବେ ମହିଳାଙ୍କର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ମା’ ଏବଂ ଶିଶୁ ଉଭୟ ଠିକ୍‌ ଅଛନ୍ତି।

Comments are closed.