ବିଦ୍ୟୁତ୍‍ ଆଘାତରେ ମହିଳା ମୃତ

ପିପିଲି: ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‍ ଆଘାତରେ ଶନିବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ହେଲେ ପିପିଲି ନିକଟବର୍ତ୍ତି ବାଲିପାଟଣା ଥାନା ଅନ୍ତର୍ଗତ ମୁକୁନ୍ଦଦାସପୁର ନିକଟ ସଉଳକୁଣ୍ଡ ଗ୍ରାମର ଲକ୍ଷ୍ମୀଧର ଛାଟୋଇଙ୍କ ପତ୍ନୀ ସୁମିତ୍ରା ଛାଟୋଇ(୪୨)। ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ସୁମିତ୍ରା ଆଜି ସକାଳେ ଗାଧୋଇ ସାରିବା ପରେ ଘର ଅଗଣାରେ ଲୁଗା ଶୁଖାଇବା ପାଇଁ ବନ୍ଧା ହୋଇଥିବା ଜିଆଇ ତାରରେ ଓଦା ଲୁଗା ଶୁଖାଉଥିବା ବେଳେ ତାଙ୍କୁ ବିଦ୍ୟୁତ୍‍ ଆଘାତ ଲାଗିଥିଲା। ବିଦ୍ୟୁତ୍‍ ଆଘାତରେ ସୁମିତ୍ରା ଛଟପଟ ହେଉଥିବା ଦେଖି ତାଙ୍କ ଯାଆ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ୍‍ ଆଘାତରେ ସାମାନ୍ୟ ଆହତ ହୋଇଥିଲେ। ସୁମିତ୍ରାଙ୍କୁ ମୁର୍ମୁଷ ଅବସ୍ଥାରେ ପରିବାରଲୋକେ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ୍‍ ଆଘାତ ଯୋଗୁଁ ତାଙ୍କ ଦୁଇହାତର ପାପୁଲି ପୋଡି ଯାଇଥିବା ସୂଚନା ମିଳିଛି। ଖବରପାଇ ପିପିଲି ଥାନା ଏସ୍‍ଆଇ ସନ୍ଦୀପ କୁମାର ଦାସ ଓ ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Comments are closed.