ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ, ୧୪ରୁ ଊର୍ଦ୍ଧ୍ଵ ଆହତ

ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତର ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ଶ୍ରମିକ ହେଲେ ଏସ.ବି. ଜଗଦ୍ଦେବପୁର ଗ୍ରାମର ଭୈର ସାହୁଙ୍କ ସ୍ତ୍ରୀ ବନିତା ସାହୁ(୪୦)। ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଚିକିଟି ବ୍ଲକ ବୀରସିଂହପୁର ଗ୍ରାମ ନିକଟରେ ଚାଲିଥିବା ଏକ ରାସ୍ତା କାର୍ଯ୍ୟରେ  ଖାରିଆଗୁଡା ପଞ୍ଚାୟତ ଏସ. ବି. ଜଗଦ୍ଦେବପୁର ଗ୍ରାମର ଶ୍ରମିକମାନେ ନିୟୋଜିତ ଥିଲେ। କାମ ସାରି ସନ୍ଧ୍ୟା ସମୟରେ ଏକ ଟ୍ରାକ୍ଟର (OD07 S 6392) ଯୋଗେ ଗ୍ରାମକୁ ଫେରୁଥିଲେ। ଟ୍ରାକ୍ଟର ଇଞ୍ଜିନ୍ରୁ ଏକ ସାପ ବାହାରି ଯିବାରୁ ଭୟରେ ଡ୍ରାଇଭର ଗାଡ଼ିର ବ୍ରେକ୍  ଦେଇ ଦେଇଥିଲେ। ଯାହା ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାଜପୁର ଗାଁ ପାଖ ହେତ। ବନ୍ଧ ନିକଟରେ ଓଲଟି ପଡ଼ିଥିଲା। ଲୋକମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ।

ଦୁର୍ଘଟଣାରେ ଆହତ ଶ୍ରମିକମାନେ ହେଉଛନ୍ତି ଖଡିକା ସାହୁ (୫୫), ସୁଦଷ୍ଣା ଗୌଡ (୩୫), ସରିତା ସାହୁ (୩୫), ବୃନ୍ଦାବନ ସାହୁ (୩୫), ନାରାୟଣ ସାହୁ (୨୬), କାଦମ୍ବରୀ ପାଇକ (୨୦), ତପି ସାହୁ (୨୦), ବନଲତା ସାହୁ (୫୦), ଇନ୍ଦୁ ସାହୁ (୫୦), ସବା ଚଣ୍ଡ (୩୫), ଏ. ନାଗା (୩୫), ଶିବନୀ ସାହୁ (୨୦), ଏ ଲକ୍ଷ୍ମୀ (୪୦), ଅନୁସାୟା ଚଣ୍ଡ (୨୮) ବୋଲି ଜଣାପଡିଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ ତହସିଲଦାର ଅମିତ କୁମାର ନାୟକ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କର୍ତ୍ତୀଭାସନ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଆହତ ଶ୍ରମିକମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.