କେନାଲ ମଧ୍ୟରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡିର ଭେଡା ସାଲେପୁର ଗ୍ରାମର ମଝି ପାଟ କେନାଲ ମଧ୍ୟରୁ ଗୁରୁବାର ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ଅନ୍ନପୂର୍ଣ୍ଣା ମହାପାତ୍ର ବୋଲି ଜଣାପଡ଼ିଛି। ତେବେ ଶୌଚ ପାଇଁ ଆସିଥିବା ବେଳେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ଅନ୍ନପୂର୍ଣ୍ଣାଙ୍କ ପିତା ଭରତପ୍ରସାଦ ଜେନା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ସେ ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ନିଜ ବାସଗୃହ ପଛପଟ ବିଲକୁ ଯାଇଥିଲେ। ଏହି ସମୟରେ ଗାଁରେ ବିବାହ ଭୋଜି ସହ ସରସ୍ବତୀ ଠାକୁର ଭସାଣି ଉତ୍ସବ ହେଉଥିଲା। ଭସାଣି ଯାତ୍ରାରେ ମାଇକ ବାଜୁଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଉକ୍ତ ମହିଳାଙ୍କୁ ବିଲରୁ ଟେକିନେଇ ଗଣ ଦୁଷ୍କର୍ମ କରିବାସହ ପାଟ ମଝିରେ ଥିବା କେନାଲ ପଙ୍କରେ ମୁହଁକୁ ମାଡି ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି। ଏନେଇ ନେଇ ମୃତ ଅନ୍ନପୂର୍ଣ୍ଣାଙ୍କ ପିତା ଭରତପ୍ରସାଦ ଜେନା ଗଣମାଧ୍ୟମରେ ଅଭିଯୋଗ କରି କହିଛନ୍ତି କି ତାଙ୍କ ବିଧବା ଝିଅକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।

ଗତକାଲି ସନ୍ଧ୍ୟା ସମୟରୁ ଅନ୍ନପୂର୍ଣ୍ଣା ରହୁଥିବା ଘରେ ତାଲା ପଡିଥିବାବେଳେ ସନ୍ଧ୍ୟା ସାଢ଼େସାତଟା ବେଳୁ ତାଙ୍କୁ ଦେଖିବାକୁ ମିଳି ନଥିଲା। ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ଗତ ତିନିବର୍ଷ ହେବ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ଓ ପୁତ୍ର ବଧୂ ବାଙ୍ଗାଲୋରରେ ଚାକିରୀ କରି ସେଠାରେ ରହୁଥିବାରୁ ଅର୍ଣ୍ଣପୂର୍ଣା ଏକାକୀ ତାଙ୍କ ନୂତନ ଅର୍ଦ୍ଧ ନିର୍ମିତ ଗୃହରେ ରହିଆସୁଥିଲେ। ରାତ୍ରିରେ ତାଙ୍କ ପୁତୁରା ତାଙ୍କ ସହ ରହୁଥିଲେ। କିନ୍ତୁ ଗତକାଲି ସରସ୍ବତୀ ପୂଜା ଭସାଣି ହେଉଥିବାରୁ ପୁତୁରା ସନ୍ଧ୍ୟାବେଳେ ତାଙ୍କ ଘରକୁ ଆସି ଘର ତାଲା ପଡିଥିବାରୁ ଫେରିଯାଇଥିବା କହିଛନ୍ତି। ଆଜି ସକାଳୁ ଗ୍ରାମରେ କେହି ଶୌଚ ପାଇଁ କେନାଲକୁ ଯାଇଥିବାବେଳେ ଅନ୍ନପୂର୍ଣ୍ଣା ମରିପଡିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ତାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। କୁମୁଡା ଯଇପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପୁଲିସ ବିଜ୍ଞାନୀ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.